ଭଞ୍ଜନଗର: ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସମ୍ମାନ,ସହାୟତା ଓ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ନଦେଖି ସେହି ସ୍ବତନ୍ତ୍ର କ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବିଶ୍ବ ଭିନ୍ନକ୍ଷମ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଅନେକ ନିଜର ଶାରୀରିକ ଦୁର୍ବଳତା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇଥାନ୍ତି। ଏଥିସହ ସାଧାରଣ ମଣିଷଙ୍କ ତୁଳନାରେ ନିଜକୁ ସମକକ୍ଷ ନକରି ପାରି କିଛି ଭିକ୍ଷା ବୃତ୍ତି ଭଳି କାର୍ଯ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ସମାଜରେ ଏଭଳି ବି ମଣିଷ ରହିଛନ୍ତି ଯେଉଁ ମାନେ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମ ସମ୍ମାନର ସହ ବଞ୍ଚିବା ପାଇଁ ସଂର୍ଘଷ ଜାରି ରଖିଛନ୍ତି। ଏଭଳି ଜଣେ ହେଉଛନ୍ତି ବେଲଗୁଣ୍ଠା ବ୍ଳକ୍ ବଡ଼ବୋରସିଂ ଗ୍ରାମର ଭିକାରୀ ଚରଣ ପ୍ରଧାନ। ସଂପୂର୍ଣ୍ଣ ଦୃଷ୍ଟିହୀନ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ସେ କାହାରି ଉପରେ ବୋଝ ପାଲଟି ନାହାନ୍ତି।
ଭିକାରୀଙ୍କ ବର୍ତ୍ତମାନ ବୟସ ପାଖାପାଖି ୫୯ ବର୍ଷ। ସେ ପିଲାଟି ଦିନରୁ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ଦୃଢ ମନୋବଳ ଯୋଗୁ ଜୀବନର ସଂର୍ଘଷରେ କେବେ ହାରି ନାହାନ୍ତି। ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଘର ସଂସାର କରି ନିଜର ଅଦମ୍ୟ ପରିଶ୍ରମ ବଳରେ ପିଲାମାନଙ୍କୁ ବଡ କରି ବହୁତ ଖୁସିରେ ଘର ସଂସାର କରିବାରେ ସକ୍ଷମ ହୋଇଛନ୍ତି ସେ। ଭିକାରୀଙ୍କ ପରିବାର କହିଲେ ପତ୍ନୀ ଓ ତିନି ପୁଅ। ନିଜର ପରିଶ୍ରମ ବଳରେ ତିନୋଟି ଯାକ ପୁଅକୁ ଯୁକ୍ତଦୁଇ ପଢାଇ ଥିବା ବେଳେ ଦୁଇଟି ପୁ୍ଅ ବର୍ତ୍ତମାନ ରୋଜଗାର କରିବା ଆରମ୍ଭ କଲେଣି। ପିଲା ମାନଙ୍କ ଭଲ ପାଠ ପଢାଇ ଭଲ ମଣିଷ କରିବା ଭୀକାରିଙ୍କ ସ୍ବପ୍ନ ରହିଥିଲା ବୋଲି ସେ କହିଛନ୍ତି। ନିଜେ ଦିବ୍ୟାଙ୍ଗ ହୋଇ ସୁଦ୍ଧା କେବେ କାହା ଆଗରେ ହାତ ପତେଇ ନଥିବା ବେଳେ ଭିକ୍ଷାବୃତ୍ତିକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି।
ଶାରୀରିକ ଦୁର୍ବଳତାକୁ ନିଜର ବଳ କରି ଜୀବନର ପ୍ରତିଟି ଦୁଃଖ କଷ୍ଟକୁ ସାମ୍ନା କରିବା ସହ ବଞ୍ଚିବା ପାଇଁ ସଂର୍ଘଷ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଏଥିପାଇଁ ବହୁତ ଲୋକଙ୍କ ସହାନୁଭୂତି ଓ ସହଯୋଗ ମିଳୁଛି କିନ୍ତୁ ସେଥିରେ ପେଟ ପୂରୁନି। ତେଣୁ ପ୍ରତିଦିନ ଭୋର ହେଲେ ନିତ୍ୟକର୍ମ ସାରି ଗ୍ରାମରୁ ଭଞ୍ଜନଗର ଚାଲି ଆସନ୍ତି। ସେଠାରୁ ଆରମ୍ଭ ହୁଏ ତାଙ୍କର ନିତିଦିନଆ ସଂର୍ଘଷର ଯାତ୍ରା। କ୍ୟାଲେଣ୍ଡର ଆଉ କିଛି ବ୍ରତ ଓ ଧାର୍ମିକ ବହି ଧରି ବିଭିନ୍ନ ସାହି ଗଳି କନ୍ଦିରେ ବୁଲିବା ସହ ରଘୁନାଥ ମନ୍ଦିର ନିକଟରେ ଦିନ ୧୦ ଟାରୁ ଅପରାହ୍ନ ଯାଏଁ ବିଭିନ୍ନ ବସ୍ ଗୁଡ଼ିକରେ ପଶି ବିକ୍ରି କରନ୍ତି । ତାଙ୍କୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ଏବଂ ଏହି କ୍ୟାଲେଣ୍ଡର ବିକ୍ରିରୁ ଯାହା ଲାଭ ହୁଏ ତାକୁ ନେଇ ତାଙ୍କ ପରିବାର ପ୍ରତିପୋଷଣ ହୁଏ ବୋଲି ଭୀକାରି କହିଛନ୍ତି। ଦିନରେ ମନ୍ଦିରରେ କିମ୍ବା ଯେଉଁ ଦିନ ଭଲ ରୋଜଗାର ହୋଇଥିବ ସେହି ଦିନ ହୋଟେଲ୍ରେ ଦିନ ବେଳା ଖାଉଥିବା ବେଳେ ସଂନ୍ଧ୍ୟା ପର୍ଯ୍ୟନ୍ତ ଏଠି ସେଠି ବୁଲି ବୁଲି ବିକ୍ରି କରିବା ପରେ ରାତି ହେଲେ ଗାଁକୁ ଫେରି ଯାଆନ୍ତି।
ଭିକାରୀଙ୍କୁ ୧୨ ବର୍ଷ ବୟସରୁ ସେ ବ୍ରହ୍ମପୁରରେ ରହି ଖବର କାଗଜ ସହ ଏଭଳି ଧାର୍ମିକ ପୁସ୍ତକ ବିକ୍ରି କରୁଥିବା ବେଳେ ବିବାହ ପରଠାରୁ ଭଞ୍ଜନଗରରେ ଏଭଳି ବୁଲି ବୁଲି କ୍ୟାଲେଣ୍ଡର ବିକ୍ରି କରୁଛନ୍ତି। ଦୀର୍ଘ ୪୫ ବର୍ଷ ଧରି ସେ ନିୟମିତ ଆସୁଥିବାରୁ ଭଞ୍ଜନଗର ଅନେକ ଲୋକ ଓ ବସ୍ କର୍ମଚାରୀଙ୍କ ସହ ତାଙ୍କର ବହୁତ ଭଲ ସଂର୍ପକ ଗଢି ଉଠିଛି। ଜଣଙ୍କ ସ୍ବରକୁ ଶୁଣିବା ମାତ୍ରେ ସେ ତାଙ୍କୁ ଚିହ୍ନି ପକାନ୍ତି। ଅନେକ ଲୋକଙ୍କ ସହ ନିବିଡ ସଂର୍ପକ ହୋଇଥିବା ବେଳେ ସୁବିଧା ଅସୁବିଧାରେ ସେମାନେ ସହଯୋଗ ମଧ୍ୟ କରନ୍ତି। ସେମାନଙ୍କ ସହ ଥଟ୍ଟା ମଜାରେ ଦିନ କେମିତି କଟିଯାଏ ତାହା ଜଣାପଡେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଭିନ୍ନକ୍ଷମ ହେଲେ ମଧ୍ୟ ନିଜର ସ୍ବାଭିମାନ ପାଇଁ ପରିଶ୍ରମ କରି ପରିବାର ପ୍ରତିପୋଷଣ କରୁଥିବା ଭୀକାରୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଜମାରୁ ଅତ୍ୟୁକ୍ତି ହେବ ନାହିଁ।