ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକା ସଂଖ୍ୟାରେ ବସବାସ କରନ୍ତି କୋୟା ସଂପ୍ରଦାୟର ଜନଜାତି। କୋୟା ଜନଜାତି ସଂପ୍ରଦାୟରେ ରହିଛି ଭିନ୍ନ ଏକ ପରଂପରା ଓ ଚାଲିଚଳଣି। ଜିଲ୍ଲାର ଦୁର୍ଗମ ସୀମାନ୍ତ ଗ୍ରାମଗୁଡ଼ିକରେ କୋୟା ସଂପ୍ରଦାୟର ଲୋକେ ନିଜର ସଂସ୍କୃତି ଓ ପରଂପରାକୁ ନେଇ ୧୨ ମାସରେ ୧୩ ପର୍ବ ପାଳନ କରନ୍ତି। ସୀମାନ୍ତ ଗ୍ରାମଗୁଡିକରେ କିନ୍ତୁ ଆନ୍ଧ୍ରର ପ୍ରତିଛବି ଦେଖିବାକୁ ମିଳେ।

Advertisment

ସୀମାନ୍ତ ଗ୍ରାମର ଲୋକେ ଆନ୍ଧ୍ରର ଝିଅଙ୍କୁ ବୋହୂ କରି ଆଣୁଥିବା ବେଳେ ଆନ୍ଧ୍ର ଲୋକେ ମଧ୍ୟ ମାଲକାନଗିରି ଜିଲ୍ଲାର ସୀମାନ୍ତରେ ବସବାସ କରୁଥିବା କୋୟା ସଂପ୍ରଦାର ଝିଅଙ୍କୁ ବୋହୂ କରି ନେଇଥିବା ନଜିର ରହିଛି।ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବା ଗାଁରେ କୋୟା ଜନଜାତିର ବାନ୍ଦାମ ଗୋଷ୍ଠୀ ବସବାସ କରନ୍ତି।ଏହି ବାନ୍ଦାମ ଗୋଷ୍ଠୀ ପାଳନ କରନ୍ତି ଚୁମ୍ପ ପାଣ୍ଡୁ।ଗ୍ରାମବାସୀ ଏକତ୍ରୀତ ହୋଇ ଗାଁର ଶେଷ ମୁଣ୍ଡରେ ରହିଥିବା ଆମ୍ବ ତୋଟାରେ ପୂଜାର୍ଚ୍ଚନା କରନ୍ତି।ପ୍ରଥମେ ଗ୍ରାମର ଡିଶାରୀ କୁକୁଡା,ଅଣ୍ଡା,ଧୂପଦୀପ ନେଇ ହୁଣ୍ଡି ଦେବତାଙ୍କୁ ଆରାଧନା କରନ୍ତି।ପରେ ଗ୍ରାମବାସୀଙ୍ତୁ ଅଣାଯାଇ ଗୋଟିଏ ସ୍ଥାନରେ ରଖାଯାଏ।ଭଲ ଫସଲ ହେବା ଲକ୍ଷ୍ୟରେ ଏହି ପର୍ବ ମୁଖ୍ୟତଃ ପାଳନ କରାଯାଇଥାଏ।ଏହି ପୂଜା କଲେ ହିଁ ଗ୍ରାମବାସୀ ମହୁଲ ପତ୍ରେ ସୁରା ପାନ କରିପାରିବେ ଏବଂ ମହୁଲ ପତ୍ରକୁ ଛୁଇଁ ପାରିବେ।ଏହି ଅବସରରେ କୁକୁଡା ବଳି ସାଂଗକୁ ନାଚଗୀତର ଆସର ଜମେ।ଗୋଟିଏ ପଟେ ପୂଜା ଚାଲିଥିବା ବେଳେ ଅନ୍ୟପଟେ ଗ୍ରାମବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୁଏ।ଦରସିଝା ଭାତ ସାଂଗକୁ ପାଣିଆ ଡାଲିକୁ ବେଶମଜାରେ ଖାଉଥିବା ଦେଖିବାକୁ ମିଳିଥିଲା।କିଏ ବସି ଖାଇବାକୁ ଭଲ ପାଏ ତ ଆଉ କିଏ ସିଆଡି ପତ୍ର ଦୋନାରେ ଭାତ ନେଇ ଘରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।ତେବେ ମହିଳା ଓ ପୁରୁଷ ସମସ୍ତେ ସୁରା ପାନ କରି ଏହି ପର୍ବର ମଜା ଉଠାଉଥିଲେ।ପୂଜାର୍ଚ୍ଚନା ବେଳେ ଆନ୍ଧ୍ରର ବହୁ ଲୋକ ଜମା ହୋଇଥିବା ଦେଖିବାକୁ ମିଳିଥିଲା।ସେମାନଙ୍କ ଆସିବାର ଅଭିପ୍ରାୟ ସଂପର୍କରେ ପଚାରିବାରୁ ଏହି ଗ୍ରାମଗୁଡିକ ସହ ସଂପର୍କ ରହିଥିବା କହିଥିଲେ।ଜାନିଯାତ୍ରା ହେଉ ବା ବାହାଘର ହେଉ ପଡୋଶୀ ଆନ୍ଧ୍ରର ଲୋକେ ଏଠାକୁ ଆସିଥାନ୍ତି ବୋଲି ଗ୍ରାମବାସୀ କହନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରତିମାସରେ ଗାଁରେ କିଛି ନା କିଛି ପର୍ବ ରହିଥାଏ।ପନିପରିବାକୁ ଛୁଇଁବା ହେଉ ବା ଆମ୍ବ,ମହୁଲକୁ ଖାଇବା ହେଉ ଗ୍ରାମଦେବୀଙ୍କ ନିକଟରେ ପୂଜା ନହେଲେ ଏସବୁ ଜିନିଷ ଛୁଇଁ ନଥାଉ।କୋୟା ସଂପ୍ରଦାୟ ମଧ୍ୟରେ ରହିଥିବା ବିଭିନ୍ନ ପର୍ବ ମଧ୍ୟରେ ଚମ୍ପ ପାଣ୍ଡୁ ପର୍ବ ଅନ୍ୟତମ।ଏହା ତିନି ଦିନ ଧରି ଚାଲିଥାଏ।ଗ୍ରାମର ପ୍ରତ୍ୟେକ ଘରେ ତିନି ଦିନ ଧରି ରୋଷେଇ ନବ୍ଦ ରହେ।ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ପୂଜାରେ ଭାଗ ନିଅନ୍ତି।ଏଠାରେ ରନ୍ଧା ଯାଇଥିବା ଖାଦ୍ୟକୁ ଖାଇଥାନ୍ତି।