ରାଇରଙ୍ଗପୁର : ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଲୁହାଖଣିରୁ କ୍ରମାଗତ ଭାବେ ପଥରଗୁଣ୍ତ, ମାଟି ଅତଡ଼ା, ବାଲି ଭାସି ଆସି ଚାଷଜମିକୁ ପୋତି ପକାଉଛି। ଲୁହାଖଣିରେ ପଥରଗୁଣ୍ତ, ମୋରମ୍, ବାଲି ପ୍ରଭୃତି ପାହାଡ଼ ଉଚ୍ଚାରେ ଗଦା ହୋଇଥିବାବେଳେ ସେସବୁ ଲଗାଣ ବର୍ଷାରେ ଧୋଇଯାଉଛି। କେବଳ ସେତିକି ନୁହେଁ, ଏହି ଅଞ୍ଚଳ ଦେଇ ପ୍ରବାହିତ ନଈନାଳ ମଧ୍ୟ ଉକ୍ତ ଖଣି ବର୍ଜ୍ୟବସ୍ତୁରେ ପ୍ରଦୂଷିତ ହୋଇ ପୋତିହେବାକୁ ବସିଛି। ଉକ୍ତ ନଦୀନାଳ ଉପରେ ଆଖପାଖ ଅଞ୍ଚଳବାସୀ ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ଜମିକୁ ପାଣି ମଡ଼ାଇବାଠାରୁ ଆରମ୍ଭ କରି ପାନୀୟଜଳସ୍ତରକୁ ସନ୍ତୁଳିତ ରଖିବାରେ ଉକ୍ତ ନଦୀନାଳଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ପ୍ରାକୃତିକ ଜଳଉତ୍ସ ଓ କୃଷି ଉପଯୋଗୀ ଜମିର ସୁରକ୍ଷା ଉପରେ ସରକାର ଗୁରୁତ୍ବାରୋପ କରୁଥିବାବେଳେ ଏଠାରେ କିନ୍ତୁ ତା’ର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଖଣି କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ, କେହି ବି ଏ ଦିଗରେ ଧ୍ୟାନ ଦେଉନାହାନ୍ତି।
ଖଣି ପାହାଡ଼ ପାଦଦେଶରେ ଥିବା ଶୁଣ୍ଢଳ, ବଡମୌଦା, ବେଶ୍ରାକଚା, ଲୋଧାବଣି, କୁକୁଡିମୁଣ୍ତି ଆଦି ଗାଁରେ ଚାଷଜମି ଉଜୁଡ଼ିଯିବାକୁ ବସିଲାଣି। ଖଣି ବର୍ଜ୍ୟବସ୍ତୁରେ ଜମି ପୋତି ହୋଇଯାଉଥିବାରୁ ଗାଁ ଲୋକେ ବର୍ଷ ବର୍ଷ ଧରି ଚାଷରୁ ବଞ୍ଚିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଖଣି କର୍ତ୍ତୃପକ୍ଷ, ରାଇରଙ୍ଗପୁର ତହସିଲଦାର, ଉପଜିଲ୍ଲାପାଳଙ୍କଠାରେ ବାରମ୍ବାର ଫେରାଦ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। କେବଳ କିଛି ଚାଷୀଙ୍କୁ ୧ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଧରାଇଦେଇ ଦାୟିତ୍ବ ସାରୁଛି ପ୍ରଶାସନ। ଖଣି ସଂଲଗ୍ନ ଅଞ୍ଚଳରେ ପାରିପାର୍ଶ୍ବିକ ଉନ୍ନତି, ଚାଷଜମି, ନଦୀନାଳର ସୁରକ୍ଷା ସବୁଠୁ ବଡ଼ କାମ। ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସ୍ଥାନୀୟ ପ୍ରଶାସନ ନିରନ୍ତର ବ୍ୟବଧାନରେ ଏସବୁର ତଦାରଖ କରିବା ଆବଶ୍ୟକ। ହେଲେ, ଏହାକୁ ଆଦୌ ଗୁରୁତ୍ବ ଦିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଅନେକ ଚାଷଜମି ମୋରମ, ମାଟି ଓ ଖଣି ବର୍ଜ୍ୟବସ୍ତୁରେ ପୋତି ହୋଇ ପଡ଼ିଆରେ ପରିଣତ ହେଲାଣି। ଗତବର୍ଷ ଲୌହଖଣି ପକ୍ଷରୁ କିଛି ସ୍ଥାନରେ ବଡ଼ ହିଡ଼ କରାଯାଇଥିଲେ ମଧ୍ୟ ଜମିଗୁଡ଼ିକରୁ ବାଲି ଓ ଲୁହାପଥର ଗୁଣ୍ତ ବାହାର କରାଯାଇନଥିବାରୁ ଫସଲ ହୋଇ ପାରିନଥିଲା। ଏଭଳି ପରିସ୍ଥିତିରେ ଜମିରୁ ଖଣି ବର୍ଜ୍ୟବସ୍ତୁ ନିଷ୍କାସନ, ଖଣି ଅଞ୍ଚଳରେ ଥିବା ନଈନାଳଗୁଡ଼ିକର ପୁନରୁଦ୍ଧାର ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।