ରାଇରଙ୍ଗପୁର : ହଟିଲା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ

ଆଲୋଚନାରେ ବସିଲେ ପ୍ରଶାସନ, ରାଜନେତା ଓ କମିଟି, ଚୂଡ଼ାନ୍ତ ମାହାସୁଲ ଆଦାୟ ନିଷ୍ପତ୍ତି

ରାଇରଙ୍ଗପୁର : ଚଢ଼ା ମାହାସୁଲ୍ ଆଦାୟକୁ ବିରୋଧ କରି ଗତ କିଛିଦିନ ଧରି ରାଇରଙ୍ଗପୁର ଦୈନିକ ପରିବା ବଜାରରେ ଲାଗି ରହିଥିବା ଅନିଶ୍ଚିତତା ହଟିଛି। ଆସନ୍ତାକାଲି ଠାରୁ ସ୍ୱାଭାବିକ ଭାବେ ଖଡ଼ଖାଇ ନଦୀ ପାର୍ଶ୍ବସ୍ଥ ସତୀକୁଦରଠାରେ ପରିବା ବଜାର ବସିବା ସହ ପ୍ରଶାସନ ଦ୍ୱାରା ଚୂଡ଼ାନ୍ତ ମାହାସୁଲ୍ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଇରଙ୍ଗପୁର ମ୍ୟୁନିସିପାଲଟିର କର୍ମଚାରୀ ଓ ପରିବା ବଜାର କମିଟିର ଦୁଇ ଜଣ ସଦସ୍ୟ ମିଶି ଆଗାମୀ ଏକ ସପ୍ତାହ ପାଇଁ ମହାସୁଲ୍ ଆଦାୟ କରିବା ସହ ଆନୁପାତିକ କେତେ ଟଙ୍କା ମ୍ୟୁନିସିପାଲଟିର ରାଜସ୍ୱ ଆୟ ହେଉଛି ଜଣାପଡ଼ିବ। ଏଥିସହିତ ପରିବା ମାର୍କେଟର ଭିତ୍ତିଭୂମି ବିକାଶ ସହ ଚାଷୀ, ଛୋଟ ବଡ଼ ବ୍ୟବସାୟୀଙ୍କ ରହିଥିବା ସମସ୍ୟା ପ୍ରତି ଧ୍ୟାନ ଦିଆଯିବ ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ବିପତ୍ତି ସମୟରେ ଚାଷୀ ଓ ପନିପରିବା ବ୍ୟବସାୟୀଙ୍କ ଠାରୁ ମାତ୍ରାଧିକ ମାହାସୁଲ୍ ଆଦାୟକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଷୀ ଓ ପରିବା ବ୍ୟବସାୟୀମାନେ କାରବାର ବନ୍ଦ ଡାକରା ଦେଇଥିଲେ। ଦୁଇ ଦିନ ପରେ ପ୍ରଶାସନ ଆଲୋଚନା ପାଇଁ ବାଧ୍ୟ ହୋଇଥିବା ‌ବେଳେ ସ୍ଥାନୀୟ ରାଜନେତା ଓ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସମସ୍ୟାର ସମାଧାନର ରାସ୍ତା ବାହାର କରିଛନ୍ତି। ରାଇରଙ୍ଗପୁର ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ବିଜେଡି ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ୍, ବିଧାୟକ ରାଜକି‌ଶୋର ଦାସ, ତ୍ରିନାଥ ଦୈନିକ ବାଜାର କମିଟି ପକ୍ଷରୁ ପ୍ରତିନିଧିତ୍ବ କରିଥିବା ସମାଜସେବୀ ଦୀପ୍ତିମାନ ବଳ, କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ, ବିଜୟ ରାମ, ଅରବିନ୍ଦ ବାଗାଡ଼ିଆ, ଗଣେଶ ମିଶ୍ର, ଦୀପକ ମିଶ୍ର, ତୁଶିଲ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଛୋଟ ଚାଷୀଙ୍କ ପାଖରୁ ୫ଟଙ୍କା, ବ୍ୟବସାୟୀଙ୍କ ପାଖରୁ ୧୦ଟଙ୍କା, ଛୋଟ ମାଛ ବ୍ୟବସାୟୀ ୨୦ଟଙ୍କା, ବଡ଼ ମାଛ ବ୍ୟବସାୟୀ ୫୦ଟଙ୍କା, ଅଟୋଠୁ ୫୦ଟଙ୍କା, ପିକଅପ୍ ପରିବା ବ୍ୟବସାୟୀଙ୍କ ଠାରୁ ୨୦୦ଟଙ୍କା ପର୍ଯ୍ୟନ୍ତ ମାହାସୁଲ ଉଠାଇବା ନେଇ ଧାର୍ଯ୍ୟ କରାଯାଇଛି। ଚାଷୀ ଓ ବ୍ୟବସାୟୀ ଚଢ଼ା ମାହାସୁଲ୍ ଦେଇ ପଟ୍ଟାଦାର ଦ୍ବାରା ଦୀର୍ଘଦିନରୁ ଶୋଷଣର ଶିକାର ହେଉଥିବାରୁ ଏହାର ଏକ ପ୍ରକାର ସମାଧାନର ରାସ୍ତା ବାହାରିଛି। ଗ୍ରାହକମାନେ ପନିପରିବା, ମାଛ ମାଂସ ଆଦି ଖାଦ୍ୟ ସାମଗ୍ରୀ କିଭଳି ଶସ୍ତାରେ ପାଇବେ ସେନେଇ ଏକ ନିୟନ୍ତ୍ରିତ ଦରଦାମ୍ ଚୂଡ଼ାନ୍ତ ହୋଇପାରିବ ବୋଲି ସାଧାରଣରେ ଆଲୋଚନା‌ ହେଉଛି।

ଏଥିସହିତ ଖଡ଼ଖାଇ ନଦୀ ପାର୍ଶ୍ବସ୍ଥ ସତୀକୁଦରରେ ନୂଆ କରି ବସୁଥିବା ପରିବା ମାର୍କେଟରେ ଚାଷୀ ଓ ବ୍ୟବସାୟୀମାନଙ୍କ ବସିବା ପାଇଁ ସ୍ଥାୟୀ ବ୍ୟବସ୍ଥା, ଆବଶ୍ୟକୀୟ ପାନୀୟଜଳ, ଆଶ୍ରୟସ୍ଥଳୀ, ଶୌଚାଳୟ ଆଦିର ବନ୍ଦୋବସ୍ତ କରିବାକୁ ଦାବି ହେଉଛି। ତ୍ରିନାଥ ପରିବା ମାର୍କେଟ କମିଟିର ସଭାପତି ରାଜାରାମ ମହାନ୍ତ, ଉପସଭାପତି ଶୈଳେନ୍ଦ୍ର ସ୍ବାଇଁ, ସଂପାଦକ ରଂଜିତ କୁମାର ବଳ, ସହସଂପାଦକ ଦୀନେଶ ରାମ, ‌କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଲୋହାର, ଉପକୋଷାଧ୍ୟକ୍ଷ ପ୍ରଜେଶ ପଢ଼ିଆରୀ ପ୍ରମୁଖ ବିଭିନ୍ନ ସମସ୍ୟାକୁ ଆଲୋଚନା କରିବା ସହ ଏହାର ସମାଧାନ ରାସ୍ତା ବାହାର କରିବାକୁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର