ତୁଷାରକାନ୍ତ ମହାନ୍ତ
ରାଇରଙ୍ଗପୁର: ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ରାଜନୀତି ସରଗରମ ହୋଇ ଉଠିଲାଣି। ବିଜେଡି ଓ ବିଜେପିରେ ଆଶାୟୀଙ୍କ ତାଲିକା ବଢିଚାଲିଥିବା ବେଳେ ନିର୍ବାଚନରେ କିଏ ପ୍ରାର୍ଥୀ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଚାଲିଲାଣି।
ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରାଇରଙ୍ଗପୁର ବିଧାନସଭା ଆସନ ରାଇରଙ୍ଗପୁର ପୌର ପରିଷଦ, ରାଇରଙ୍ଗପୁର ବ୍ଲକ୍, ଜାମଦା ବ୍ଲକ, ବହଳଦା ବ୍ଲକ ଓ ତିରିଂ ବ୍ଲକ୍କୁ ନେଇ ଗଠିତ। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବାସନ୍ତୀ ମାରାଣ୍ଡିଙ୍କୁ ୨୮୪୭ ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜେପିର ନବଚରଣ ମାଝୀ ବିଜୟୀ ହୋଇଥିଲେ। ୨୦୧୪ରେ ବିଜେଡି ପ୍ରାର୍ଥୀ ସାଇବା ସୁଶୀଲ କୁମାର ହାଁସଦା ଓ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଶ୍ୟାମଚରଣ ହାଁସଦା ନିର୍ବାଚନ ଜିଣି ଏଠାରୁ ବିଧାୟକ ହୋଇଥିଲେ। ଆସନ୍ତା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଛି। ଏହା ସମ୍ଭବ ହେଲେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ। ଫଳରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଗତଥର ଏହି ଆସନକୁ ହାତେଇବା ପାଇଁ ବିଜେଡି ମହିଳା କାର୍ଡ ଖେଳି ବାସନ୍ତୀ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପିର ନବଚରଣ ମାଝୀ ବିଜୟୀ ହୋଇଥିଲେ। ଏଥର ଏହି ଆସନକୁ ଅକ୍ତିଆର କରିବା ଲାଗି ବିଜେଡି ଏବେଠୁ କସରତ ଆରମ୍ଭ କରିଥିବା ବେଳେ ବିଜେପି ମଧ୍ୟ ଗୋଟି ଚାଳନା ଆରମ୍ଭ କରିଛି।
ନିକଟରେ ପୁଲିସ ଚାକିରି ଛାଡ଼ିଥିବା ରାଇସେନ୍ ମୁର୍ମୁ ବିଜେଡି ଟିକେଟ୍ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ରାଜନୈତିକ ପରିବାରରୁ ଆସିଥିବା ବିଜେଡି ମୟୂରଭଞ୍ଜ (୨)ର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ୍, ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା, ରାଇରଙ୍ଗପୁର ବ୍ଲକ୍ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମଙ୍କ ନାଁ ବି ଏହି ତାଲିକାରେ ରହିଛି। ବିଜେପି ବିଧାୟକ ନବଚରଣ ମାଝୀ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଆଶା ରଖିଥିବା ବେଳେ ବିଜେପି ନେତା ରାମଚନ୍ଦ୍ର ହାଁସଦା, ଫାଗୁରାମ ମାରାଣ୍ଡି, ଗୋପାଲଚନ୍ଦ୍ର ବେଶ୍ରା, କମଳା ନାଏକ ମଧ୍ୟ ଟିକେଟ୍ ଦୌଡ଼ରେ ରହିଛନ୍ତି। ନିର୍ବାଚନ ମଣ୍ଡଳୀରେ ହୋ ସମ୍ପ୍ରଦାୟ ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ପୂର୍ବତନ ବିଧାୟକ ତଥା ହୋ ସମାଜର ନେତା ପ୍ରହ୍ଲାଦ ପୂର୍ତ୍ତି ମଧ୍ୟ ଟିକେଟ୍ ପ୍ରତ୍ୟାଶୀ ଅଛନ୍ତି। ଉଭୟ ବିଜେଡି ଓ ବିଜେପି ସହ ସେ ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ ଜିଲ୍ଲାରେ ଗତଥର କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ ହୋଇଥିବାରୁ ରାଇରଙ୍ଗପୁର ଆସନରେ ଜେଏମ୍ଏମ୍ ପ୍ରାର୍ଥୀ ଦେଇଥିଲା। ଚଳିତବର୍ଷ ଜେଏମ୍ଏମ୍ର ଦୁର୍ବଳ ସାଙ୍ଗଠନିକ ସ୍ଥିତିକୁ ଦେଖି କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ଦୁଇ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଓ ଶ୍ୟାମଚରଣ ହାଁସଦା ଏଥିପାଇଁ ଆଶାୟୀ।
ରାଇରଙ୍ଗପୁର ଆସନରୁ ୨୦୦୦ ଓ ୨୦୦୪ରେ ବିଜେପିରୁ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଧାୟକ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଥିବାରୁ ରାଇରଙ୍ଗପୁର ବିଧାନସଭା ଆସନ ଉପରେ ସାରା ଭାରତର ନଜର ରହିବ। ରାଇରଙ୍ଗପୁର ଜିଲ୍ଲା ଗଠନ, ଇସ୍ପାତ କାରଖାନା ପ୍ରତିଷ୍ଠା, ରେଳ ସଂଯୋଗୀକରଣ ଓ ଉତ୍ତମ ସ୍ୱାସ୍ଥ୍ୟସେବା ଆଦି ଆଗାମୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହେବ।