ସାରାଦେଶରେ ରାଇରଙ୍ଗପୁରକୁ ନେଇ ଚର୍ଚ୍ଚା

ଗତକାଲି ସନ୍ଧ୍ୟା ଯାଏ ଓଡ଼ିଶାର ଏକ ଛୋଟିଆ ସହର ଭାବେ ରାଇରଙ୍ଗପୁରକୁ ଲୋକେ ଜାଣିଥିଲେ। ହେଲେ ରାତାରାତି ଏହି ସହରର ପରିଚୟ ବଦଳିଯାଇଛି। ‘ରାଇରଙ୍ଗପୁରରୁ ରାଇସିନା ଶୀର୍ଷକ’ ଖବର ଏବେ ସବୁ ଜାତୀୟ ଗଣମାଧ୍ୟମରେ ସ୍ଥାନ ପାଉଛି। ଏମିତିକି ଗତସନ୍ଧ୍ୟାରୁ ରାଇରଙ୍ଗପୁରକୁ ଲୋକଙ୍କ ସୁଅ ଛୁଟିଥିଲା। ଦ୍ରୌପଦୀ ମୁର୍ମୁଙ୍କ ପ୍ରତିକ୍ରିୟା ପାଇଁ ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନେ ଏଠାରେ ଡେରା ପକାଇଥିଲେ। ଦ୍ରୌପଦୀଙ୍କ ପାଇଁ ରାଇରଙ୍ଗପୁର ଆଜି ଦେଶର ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଲା ବୋଲି ସହର ସାରା ଚର୍ଚ୍ଚା ହେଉଛି।

ବିଜେପି ଫୋକସ୍‌ରେ ଓଡ଼ିଶା
ପୂର୍ବରୁ ଜାତୀୟସ୍ତରରେ ଏତେସଂଖ୍ୟକ ଓଡ଼ିଆ ଲୋକ ଗୁରୁତ୍ବପୂର୍ଣ୍ଣ ପଦରେ ନଥିଲେ। କାଭାଁ କିଏ କେମିତି ସୁଯୋଗ ପାଇଲେ ତାହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଭାବେ ପରିଗଣିତ ହେଉଥିଲା। ହେଲେ ବର୍ତ୍ତମାନ ସେ ଚିତ୍ର ବଦଳିଯାଇଛି। ଏବେ ଦେଶ ଚଳାଉଥିବା କିଛି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଖୋଜିଲେ ସେଥିରେ ସର୍ବାଧିକ ଓଡ଼ିଆ ଲୋକଙ୍କୁ ଦେଖିବାକୁ ମିଳୁଛି। ବରିଷ୍ଠ ଆଇଏସ୍‌ ଅଧିକାରୀ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି। ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୃତ୍ୟୁଞ୍ଜୟ ମିଶ୍ର ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ରର ମୁଖ୍ୟ, ସତ୍ୟନାରାୟଣ ପ୍ରଧାନ ଏନ୍‌ସିବି (ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ) ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ମୟୂରଭଞ୍ଜର ଓଡ଼ିଆ ପୁଅ ବରିଷ୍ଠ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ବର୍ତ୍ତମାନ ଭାରତର ସିଏଜି ଥିବାବେଳେ ପୂର୍ବରୁ ସେ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ଇଂ.ବିଶ୍ବେଶ୍ବର ଟୁଡ଼ୁ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଓ ମୟୂରଭଞ୍ଜର ବୋହୂ ପୁନମ୍‌ ଗୁପ୍ତା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ସଦସ୍ୟ ଅଛନ୍ତି। ଆଉ ଏବେ ଜଣେ ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି। ଏ ସବୁକୁ ଲକ୍ଷ୍ୟ କଲେ ପୂରା ଓଡ଼ିଶାକୁ ବିଜେପି ଫୋକସ୍‌ରେ ରଖିଥିବା ଚର୍ଚ୍ଚା ହେଉଛି।

ସ୍ବାମୀ ଓ ପୁଅଙ୍କ ସ୍ମୃତିରେ ସ୍କୁଲ ସ୍ଥାପନ
ନିଜ ଜୀବନ କାଳରେ ବହୁ ବାଧାବିଘ୍ନକୁ ସାମ୍‌ନା କରିଛନ୍ତି ଦ୍ରୌପଦୀ। ପ୍ରଥମେ ବଡ଼ ଝିଅର ମୃତ୍ୟୁ ଘଟିବା ପରେ ଦ୍ରୌପଦୀଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କର ଦେହାନ୍ତ ହୋଇ ଯାଇଥିଲା। ଏହାର କିଛି ବର୍ଷ ପରେ ବଡ଼ପୁଅର ମୃତ୍ୟୁ ଓ ପରେ ଏକ ଦୁର୍ଘଟଣାରେ ସାନପୁଅର ମୃତ୍ୟୁ ଘଟିଥିଲା। ଏବେ କେବଳ ତାଙ୍କ ସାନଝିଅ ଇତିଶ୍ରୀ ମୁର୍ମୁ ଅଛନ୍ତି। ତେବେ ସ୍ବାମୀ ଓ ସନ୍ତାନଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହେବା ପରିବର୍ତ୍ତେ ଆଧ୍ୟାତ୍ମିକ ମାର୍ଗରେ ପାଦ ରଖିଥିଲେ ଦ୍ରୌପଦୀ। ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ଅଧିକ ସମୟ ବିତାଇଥିଲେ। ଦିବଂଗତ ସ୍ବାମୀ ଓ ୨ ପୁଅଙ୍କ ସ୍ମୃତିରେ ଗରିବ ଛାତ୍ରଛାତ୍ରୀଙ୍କ ନିମନ୍ତେ କୁସୁମୀ ବ୍ଲକ୍‌ ପାହାଡ଼ପୁରଠାରେ ଏକ ବିଦ୍ୟାଳୟ ଓ ଉପରବେଡ଼ାଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନିର୍ମାଣ କରିଛନ୍ତି ଦ୍ରୌପଦୀ।

ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିକ୍ରିୟା
ପୂର୍ବରୁ ଡ.ଏପିଜେ ଅବ୍‌ଦୁଲ୍‌ କଲାମଙ୍କଠାରୁ ନେଇ ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ବିଭିନ୍ନ ସଂପ୍ରଦାୟର ବ୍ୟକ୍ତିବିଶେଷ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି। ତେବେ ଆଦିବାସୀ ସାନ୍ତାଳୀ ସଂପ୍ରଦାୟରୁ କେହି ଏତେ ବଡ଼ ଗୌରବର ଅଧିକାରୀ ହୋଇନଥିଲେ। ସେ ଦୃଷ୍ଟିରୁ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ସମାଜର କୌଣସି ବର୍ଗ ମୋଦୀ ସରକାରରେ ଅବହେଳିତ ନୁହନ୍ତି। ଯୋଗ୍ୟତା ଅନୁସାରେ ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ମିଳିବ। ଏହି ନିଷ୍ପତ୍ତି ପରେ ଆଦିବାସୀ ସମାଜର ବିଜେପି ପ୍ରତି ସମର୍ଥନ ବଢ଼ିବା ଆଶା କରାଯାଉଛି। ଓଡ଼ିଶାରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେଡି ହୋଇଥିଲେ ମଧ୍ୟ ଜଣେ ଓଡ଼ିଆ ନେତ୍ରୀଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ବିଜେଡି ଏହାକୁ ସମର୍ଥନ କରିବ ବୋଲି ଆଶା ରହିଛି। କାରଣ ପୂର୍ବରୁ ରାଷ୍ଟ୍ରର ହିତ ପାଇଁ ଧାରା ୩୭୦ ଧାରା ଉଚ୍ଛେଦ ଓ ଅନ୍ୟାନ୍ୟ ଘଟଣାରେ ସଂସଦରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି। ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ନିଷ୍ପତ୍ତି ପରେ ନିଶ୍ଚିତ ଭାବେ ଓଡ଼ିଶାରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢ଼ିବ।
ଇଂ.ବିଶ୍ବେଶ୍ବର ଟୁଡ଼ୁ, କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ

ସମ୍ବନ୍ଧିତ ଖବର