ରାଷ୍ଟ୍ରପତିଙ୍କ ପାଇଁ ରାଇରଙ୍ଗପୁର ଉତ୍ସବମୁଖର

ରାଇରଙ୍ଗପୁର : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଦିଲ୍ଲୀ ସଂସଦ ଭବନରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଜନ୍ମସ୍ଥାନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉତ୍ସବମୁଖର ହୋଇ ଉଠିଥିଲା। ଉପରେବେଡ଼ାସ୍ଥିତ ପୈତୃକ ଗ୍ରାମ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗ୍ରାମ ଓ ରାଇରଙ୍ଗପୁରସ୍ଥିତ ବାସଭବନରେ ଆଜି ଅଦିନିଆ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିବାବେଳେ ସବୁଠି ନାଚଗୀତ, ହସଖୁସିର ବାତାବରଣ ଦେଖିବାକୁ ମିଳିଛି।

ଶପଥ ଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ରାଇରଙ୍ଗପୁର ପିସିଏମ୍‌ କଲ୍ୟାଣ ମଣ୍ଡପରେ ସାଜସଜ୍ଜା ସହ ଏକାଧିକ ବଡ଼ ଏଲ୍‌ଇଡି ଟିଭି ଲଗାଯାଇଥିଲା। ଶପଥ ଉତ୍ସବ ଆରମ୍ଭ ପୂର୍ବରୁ ଓ ପରେ ସ୍ଥାନୀୟ ଜନସାଧାରଣ, ବିଜେପି ଓ ଅନ୍ୟ ଦଳର ନେତା, କର୍ମୀ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହ ପାରମ୍ପରିକ ବାଦ୍ୟ ମାଦଳ, ଧୂମ୍‌ସାର ତାଳେ ତା‌ଳେ ମନଭରି ନାଚିଥିଲେ। ଭାରତ ମାତା ଓ ଦ୍ରୌପଦୀ ମୁର୍ମୁଙ୍କ ଜୟ ନାରାରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ସ୍କୁଲ୍‌ ପିଲା ମଧ୍ୟ ସାମିଲ ହୋଇଥିଲେ। ସେମାନେ ହାତରେ ଜାତୀୟ ପତାକା ଧରି ଭାରତ, ଭାରତୀୟ ସମ୍ବିଧାନ ତଥା ଦ୍ରୌପଦୀ ମୁର୍ମୁଙ୍କ ଜୟଧ୍ବନି ଦେଇଥିଲେ।
ସେହିପରି ଦ୍ରୌପଦୀ ମୁର୍ମୁ ପାଠ ପଢ଼ିଥିବା ଉପରବେଡ଼ା ଉପ୍ରା ବିଦ୍ୟାଳୟ ପରିସରରେ ରାଇରଙ୍ଗପୁର ବନଖଣ୍ତ ଓ ବାଦାମପାହାଡ଼ ରେଞ୍ଜ ପକ୍ଷରୁ ବୃକ୍ଷ‌ରୋପଣ କାର୍ଯ୍ୟକ୍ରମ ଆୟୋଜନ ସହ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା। ରାଇରଙ୍ଗପୁର ଡିଏଫ୍‌ଓ ନଳିନୀକାନ୍ତ ବେହେରା, କୁସୁମୀ ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ବାଦାମପାହାଡ଼ ରେଞ୍ଜର ରମାକାନ୍ତ ମାଝୀ, ଓଏଫ୍‌ଏସ୍‌ଡିପି ସଂଯୋଜକ ଶକ୍ତିକାନ୍ତ ମହାପାତ୍ର, ରାଜେଶ କୁମାର ପଲେଇଙ୍କ ସମେତ ବନ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏଥିସହିତ ଆଦିବାସୀମାନେ ସ୍ଥାନୀୟ ଜାହିରା ପୀଠରେ ସ୍ବତନ୍ତ୍ର ପୂଜାପାଠର ଆୟୋଜନ କରିଥିଲେ। ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁଙ୍କ ସଫଳତା କାମନା କରି ଏହି ପୂଜା ହୋଇଥିବା ଗ୍ରାମବାସୀ ଓ ସଂପର୍କୀୟମାନେ କହିଛନ୍ତି। ଶ୍ରୀମତୀ ମୁର୍ମୁ ପ୍ରତିଷ୍ଠା କରିଥିବା ପାହାଡ଼ପୁରସ୍ଥିତ ଏସ୍‌ଏଲ୍‌ଏସ୍‌ ଆବାସିକ ବିଦ୍ୟାଳୟରେ ମଧ୍ୟ ସିଧା ପ୍ରସାରଣର ବ୍ୟବସ୍ଥା ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଦ୍ରୌପଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଦେଖିବା ସହ ପରସ୍ପରକୁ ମିଠାଖୁଆଇ ଖୁସି ମନାଇଥିଲେ। ଜାମଦାରେ ବିଜୁଗୋପାଲ ଗୋପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋପାଳ ଚନ୍ଦ୍ର ବେଶ୍ରା, ଡ.ସିଂଗ୍ରାୟ ସୋରେନ, ପାଶନା ସରପଞ୍ଚ ମାଳତୀ ଆଲଦା, ସମିତିସଭ୍ୟ ମଧୂସୁଦନ ଟୁଡୁ, ସାମନ୍ତ ଚନ୍ଦ୍ରଶେଖର ସିଂ ଗିରି, ପାଶନା ମଣ୍ତଳ ସଭାପତି ଲକ୍ଷ୍ମଣ ମାରାଣ୍ତି, ଜାମଦା ମଣ୍ତଳ ସଭାପତି ତୁରାମ ଦେଓଗାମଙ୍କ ସହ ବିଜେପିର ବହୁକର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଅବସରରେ ସେଠାରେ ଆଦିବାସୀ ନାଚଗୀତ ସହ ଭୋଜିଭାତର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର