ଦୁର୍ଘଟଣାରେ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ଙ୍କ ମୃତ୍ୟୁ

ଦେଢ଼ବର୍ଷ ତଳେ କରିଥିଲେ ବିବାହ, ଗୁରୁତର ଅବସ୍ଥାରେ ସ୍ବାମୀ ଚିକିତ୍ସାଧୀନ

ଯଶିପୁର/ପଦ୍ମପୁର : ରାତି ପାହିଲେ ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷଯାତ୍ରା। ମହାପ୍ରଭୁଙ୍କ ଏହି ଦିବ୍ୟଯାତ୍ରାରେ ସାମିଲ ହେବାକୁ ଯାଉଥିବାବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନ (୩୩)। ଆଜି ଅପରାହ୍ନରେ ଯଶିପୁର ଥାନା ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ଛକ ନିକଟରେ ଏସ୍‌ଡିଜେଏମ୍‌ଙ୍କ କାର୍‌ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯିବା ଫଳରେ ଶ୍ରୀମତୀ ପ୍ରଧାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ତାଙ୍କ ସ୍ବାମୀ ବିଶ୍ବଜିତ ଜେନା (୩୪) ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୧୫ ସମୟରେ ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନ, ସ୍ବାମୀ ବିଶ୍ଵଜିତ ଜେନାଙ୍କ ସହ ପୁରୀ ରଥଯାତ୍ରା ଦେଖିବାକୁ ରାଇରଙ୍ଗପୁରସ୍ଥିତ ସରକାରୀ ବାସଭବନରୁ ବାହାରିଥିଲେ। ରାଇରଙ୍ଗପୁରରୁ ୪୩ କିଲୋମିଟର ଆସିବାପରେ ଯଶିପୁରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଅପରାହ୍ନ ପାଖାପାଖି ୪ଟା ସମୟରେ ଯଶିପୁରଠାରୁ ୭ କିମି ଦୂର ୪୯ ନମ୍ବର ଜାତୀୟ ରାଜପଥର ଚାଇନେଁବଦା ଛକ ନିକଟରେ ଘନଘନ ବଜ୍ରପାତ ସାଙ୍ଗକୁ ଭୟଙ୍କର ଶଦ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଏହିସମୟରେ ଏସ୍‌ଡିଜେଏମ୍‌ଙ୍କ କାର୍‌ ଆଗରେ ବଜ୍ରପାତ ହେବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ସ୍ବାମୀ ବିଶ୍ବଜିତ । ଫଳରେ, ସେ ଚଳାଉଥିବା ହୁଣ୍ଡାଇ କ୍ରେଟା କାର୍‌ (ଓଡି୦୨-ବିଡି-୫୮୭୭) ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଏଥିରେ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କୁ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଏସ୍‌ଡିଜେଏମ୍‌ଙ୍କ ସ୍ବାମୀ ବିଶ୍ଵଜିତ ଜେନାଙ୍କ ଚିକିତ୍ସା ଜାରି ରହିଛି। ଏ ନେଇ ଯଶିପୁର ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି।

ସୂଚନାଥାଉକି, ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କ ବାପ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପରଳା ଗ୍ରାମରେ ହୋଇଥିବାବେଳେ ଶ୍ବଶୁର ଘର ମଧ୍ୟ କୃଷ୍ଣପ୍ରସାଦ ବ୍ଲକର ଅଁଳାକୁଦା ଗ୍ରାମରେ। ରଥଯାତ୍ରା ଅବସରରେ ତାଙ୍କ ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆୟୋଜନ ଥିଲା। ଏହିଉତ୍ସବରେ ସ୍ବାମୀ-ସ୍ତ୍ରୀ ଯୋଗ ଦେଇଥା’ନ୍ତେ ଏବଂ ସେଠାରୁ ପୁରୀ ଯାଇ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ଶ୍ରୀମତୀ ପ୍ରଧାନ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଶ୍ବଜିତ ଜେନା ହାଇଦ୍ରାବାଦର ଏକ ଆଇଟି କଂପାନିରେ ସଫଟ୍‌ୱେୟାର ଇଞ୍ଜିନିୟର ଅଛନ୍ତି। ସେ ପତ୍ନୀଙ୍କ ପାଖରେ ରହି (ୱାର୍କ ଫ୍ରମ୍‌ ହୋମ୍‌) କାମ କରୁଥିଲେ।

ସମ୍ବନ୍ଧିତ ଖବର