ବଜାରରେ ୟୁରିଆ ସାର କଳାବଜାରୀ: ବାମନଘାଟୀ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ

ରାଇରଙ୍ଗପୁର: କରୋନା ମହାମାରୀ ସମୟରେ ଚାଷବାସ ଉପରେ ସାଧାରଣ ଲୋକଙ୍କ ଭରସା | କିନ୍ତୁ ଚାଷୀଙ୍କୁ ଉପଯୁକ୍ତ ସମୟରେ ମିଳୁନି ସାର | ସାର କଳାବଜାରୀଙ୍କ ଇସାରାରେ ବଜାର ପରିଚାଳିତ ହେଉଥିବା ବେଳେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଲାଇସେନ୍ସପ୍ରାପ୍ତ ସାର ଦୋକାନରେ ଏବେ ୟୁରିଆ ସାର ଯଥେଷ୍ଟ ପରିମାଣରେ ମିଳୁନଥିବା ବେଳେ ସେମାନଙ୍କ ନାଁରେ ଅଧିକ ପରିମାଣର ସାର ମହଜୁଦ ଥିବା ଅନ-ଲାଇନରେ ଦେଖାଉଛି | ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରରେ ଥିବା ପ୍ରମୁଖ ସାର ଯୋଗାଣକାରୀ ଏଜେନସି (ହୋଲସେଲର) ମାଧ୍ୟମରେ ସମସ୍ତ ବ୍ଲକରେ ଥିବା ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କୁ ଦିଆନଯାଇ ଗ୍ରାମାଞ୍ଚଳରେ ଥିବା ଅଣ-ଲାଇସେନ୍ସ ପ୍ରାପ୍ତ ଖୁଚୁରା ଦୋକାନୀଙ୍କୁ ଯୋଗାଇ କଳାବଜାରୀକୁ ସୁଯୋଗ ଦେଉଛନ୍ତି|

କୃଷି ଜିଲ୍ଲା ଅଧିକାରୀଙ୍କ ନାକ ତଳେ ରାଇରଙ୍ଗପୁରର ହୋଲସେଲରମାନେ ଏକ ବଡ଼ ଧରଣର ଦୁର୍ନୀତିରେ ସାମିଲ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି | ୟୁରିଆ ଦୁର୍ନୀତି ପଛରେ କୃଷି ବିଭାଗର କିଛି ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆଣି ବାମନଘାଟୀ କୃଷକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କ୍ଷୋଭ ପ୍ରକାଶ କରାଯାଇଛି | ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରୀଙ୍କୁ ଚାଷୀମାନେ ୟୁରିଆ କଳାବଜାରୀ ସମ୍ପର୍କରେ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ |

ବାମନଘାଟୀ ଉପଖଣ୍ଡରେ ଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ରିଟେଲରମାନଙ୍କ ଷ୍ଟକ ଅନୁଯାୟୀ ସେପ୍ଟେମ୍ବର ପହିଲା ସୁଦ୍ଧା ୧୪୦.୮୫ ମେଟ୍ରିକ ଟନ ୟୁରିଆ ମହଜୁଦ ରହିଥିଲା | କିନ୍ତୁ ସାରା ଉପଖଣ୍ଡରେ ସ୍ଥିତି ଓଲଟା ଥିବା ଚାଷୀ ଓ ଲାଇସେନ୍ସପ୍ରାପ୍ତ ରିଟେଲରମାନେ ଅଭିଯୋଗ ଆଣିଛନ୍ତି | ସରକାରଙ୍କ ୟୁରିଆ ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୬୬.୫୦ ଟଙ୍କା ଥିବା ବେଳେ ୫୦୦/୬୦୦ ଟଙ୍କାରେ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି |
ବାମନଘାଟୀ କୃଷକ ସଂଘର ସଭାପତି ରାମଚନ୍ଦ୍ର ମୁର୍ମୁ, ସମ୍ପାଦକ ଭଞ୍ଜ କିଶୋର ମହାନ୍ତି, ସଦସ୍ୟ ଜନକ କୁମାର ସି, ଚନ୍ଦ୍ରଶେଖର ମଣ୍ଡଳ, ମୋହନ ହାଁସଦା ପ୍ରମୁଖ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ | ୟୁରିଆ କଳାବଜାରୀକୁ ରୋକିବା ସହ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇ ନ ଦେଲେ ଆନ୍ଦୋଳନ ଜୋରଦାର ହେବା ନେଇ ଚେତାବନୀ ଦେଇଛନ୍ତି |

ସମ୍ବନ୍ଧିତ ଖବର