ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଣ୍ଡି ଖୋଲିବାର ଦିନକ ପୂର୍ବରୁ ଆଜି ଚାଷୀମାନେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆର୍‌ସିଏସ୍‌କୁ ଭେଟିଥିଲେ। ଧାନ ସଂଗ୍ରହ ସମୟରେ ଯେମିତି ଚାଷୀମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଚାଷୀମାନଙ୍କର କୌଣସି ଅସୁବିଧା ହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏହା ସତ୍ତ୍ବେ ଜିଲ୍ଲାରେ ମିଲ୍‌ ମାଲିକଙ୍କ ମନ୍‌ମାନି ଚାଲିଛି। ଏହାକୁ ନେଇ ଆଜି ଚାଉଁରପୁରଠାରେ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଯୁବବାହିନୀର ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଆଜି କୃଷକ ସଂଗଠନର ଉପସଭାପତି ଉମେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଧାନ ସଂଗ୍ରହ ସଂପର୍କିତ ବିଭିନ୍ନ ପ୍ରସଂଗରେ ଆଲୋଚନା କରାଯାଇଥିଲା। ମଣ୍ଡି ଖୋଲିବା ପୂର୍ବରୁ ଜିଲ୍ଲାର ମିଲ୍‌ଗୁଡ଼ିକୁ ଧାନ ପଶିବା ଆରମ୍ଭ ହୋଇଥିଲା। ଗତ ୧୪ ତାରିଖ ଦିନ ସାନସିଂହାରୀ ଓ ରଘୁନାଥପାଲି ନିକଟରୁ ୪ଟି ଧାନ ବୋଝେଇ ଗାଡ଼ିକୁ ସ୍ଥାନୀୟ ଚାଷୀମାନେ ଅଟକାଇଥିଲେ। ସେହି ଗାଡ଼ିଗୁଡ଼ିକରୁ ୩୦୬.୭୬ କୁଇଣ୍ଟାଲ ଧାନ ଜବତ ହୋଇଥିଲା। ଏହି ରାସ୍ତାରେ ଥିବା ୩ଟି ମିଲ୍‌କୁ ତାହା ଯାଉଥିବା ସନ୍ଦେହ କରାଯାଉଛି। ଏପଟେ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ୨୫ ପ୍ରତିଶତ ବି ସରିନଥିବା ବେଳେ ବାହାର ଜିଲ୍ଲାରୁ ଧାନ ସମ୍ବଲପୁରର ମିଲ୍‌ଗୁଡ଼ିକୁ ଆସିବା ଜାରି ରହିଛି। ନିକଟରେ ବୈଜାମୁଣ୍ଡା ପାଖ ଏକ ରାଇସ୍‌ ମିଲ୍‌ରେ ସୁନ୍ଦରଗଡ଼ ଜିଲ୍ଲାର ଏକ ଧାନ ବୋଝେଇ ଗାଡ଼ି ଥିବା ଚାଷୀମାନେ ଧରିଥିଲେ। ଯେଉଁ ମିଲ୍‌ଗୁଡ଼ିକ ସମ୍ମୁଖରେ ଧାନ ବୋଝେଇ ଗାଡ଼ି ଜବତ ହୋଇଥିଲା, ସଂପୃକ୍ତ ମିଲ୍‌ଗୁଡ଼ିକୁ କଷ୍ଟମ ମିଲିଂ ଦାୟିତ୍ବରୁ ବାଦ୍ ଦେବାକୁ ଚାଷୀମାନେ ଦାବି କରିଥିଲେ। ପ୍ରଶାସନ କିନ୍ତୁ କିଛି ଶୁଣୁ ନାହିଁ।

ଏପଟେ ମିଲ୍‌ ମାଲିକମାନେ କଟ୍‌ନି ଛଟ୍‌ନି ଜାରି ରଖିଛନ୍ତି। ଚାଷୀମାନଙ୍କ ବିରୋଧ ସତ୍ତ୍ବେ ମନଇଚ୍ଛା କଟ୍‌ନି ଛଟ୍‌ନି ଚାଲିଛି। କଷ୍ଟମ୍‌ ମିଲିଂ ବ୍ୟତୀତ ଧାନ ସଂଗ୍ରହ ପ୍ରକ୍ରିୟାରେ ମିଲ୍‌ ମାଲିକମାନଙ୍କ ଅନ୍ୟ କ‌ୌଣସି ଭୂମିକା ରହେ ନାହିଁ। ରାଜ୍ୟ ସରକାର ଯୋଗାଣ ନିଗମ ଜରିଆରେ ପେକ୍ସ, ଲେମ୍ପସ, ଏସ୍ଏଚ୍‌ଜି ଯୋଗ ଧାନ କିଣୁଛନ୍ତି। ଆର୍‌ଏମ୍‌ସି ତାର ମାନ ନିର୍ଣ୍ଣୟ କରିଥିବା ବେଳେ ମିଲ୍‌ ମାଲିକମାନେ କଟ୍‌ନି ଛଟ୍‌ନି ନାମରେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି।

ପୁଣି କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଏପର୍ଯ୍ୟନ୍ତ ମଣ୍ଡି ‌ଖୋଲି ନାହିଁ। ଡିଏଲ୍‌ସିସି ବୈଠକରେ ବୈଠକରେ କୃଷକ ସଂଗଠନ ପକ୍ଷରୁ ଶୀଘ୍ର ମଣ୍ଡି ଖୋଲିବାକୁ ଦାବି କରାଯାଇଥିଲା। ପ୍ରତ୍ୟେକ ବର୍ଷ ପ୍ରଥମେ ସମ୍ବଲପୁର ସଦର ଉପଖଣ୍ଡରେ ମଣ୍ଡି ଖୋଲିଥାଏ। ସଦର ଉପଖଣ୍ଡରେ ମଣ୍ଡି ଖୋଲିବାର ୭ ଦିନ ପରେ କୁଚିଣ୍ଡା ଉପଖଣ୍ଡ ଏବଂ ଏହାର ପୁଣି ୭ ଦିନ ପରେ ରେଢ଼ାଖୋଲ ଉପଖଣ୍ଡରେ ମଣ୍ଡି ଖୋଲିଥାଏ। କୁଚିଣ୍ଡା ବିଧାୟକ କିଶୋର ନାୟକ କିନ୍ତୁ ଏଥର ସଦର ଉପଖଣ୍ଡ ସହିତ ସମାନ ଦିନରେ କୁଚିଣ୍ଡାରେ ମଣ୍ଡି ଖୋଲିବାକୁ ଦାବି କରିଥିଲେ। ଗୋଟିଏ ଦିନରେ ମଣ୍ଡି ନଖୋଲିଲେ ଚାଷୀମାନଙ୍କୁ ଅଭାବୀ ବିକ୍ରି ସମସ୍ୟାର ସମ୍ମୁଖୀନ ହେବା ନେଇ ବିଧାୟକ ଶ୍ରୀ ନାୟକ ଆଶଙ୍କା ବ୍ୟକ୍ତ କରିଥିଲେ। ତେବେ, କେତେକ ବୈଷୟିକ କାରଣରୁ ସଦର ଉପଖଣ୍ଡ ଖୋଲାଯିବାର ୭ ଦିନ ପରେ କୁଚିଣ୍ଡାରେ ମଣ୍ଡି ଖୋଲାଯିବାର ଆବଶ୍ୟକତା ଉପରେ ବୈଠକରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ।

ସମ୍ବଲପୁର ସଦର ଉପଖଣ୍ଡରେ ୨୨ ତାରିଖରେ ମଣ୍ଡି ଖୋଲିଛି। ତେଣୁ, ୨୯ ତାରିଖ ଦିନ କୁଚିଣ୍ଡାରେ ମଣ୍ଡି ଖୋଲାଯିବା କଥା। କିନ୍ତୁ, ସରକାରୀ ସ୍ତରରେ କୁଚିଣ୍ଡା ଉପଖଣ୍ଡରେ ୨ ତାରିଖ ଏବଂ ରେଢ଼ାଖୋଲ ଉପଖଣ୍ଡରେ ୯ ତାରିଖ ମଣ୍ଡି ଖୋଲାଯିବାକୁ ସ୍ଥିର କରାଯାଇଥିବାରୁ ଆଜି କୃଷକ ସଂଗଠନର ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଅଭାବୀ ଧାନ ବିକ୍ରି ଭଳି ସମସ୍ୟା ସୃଷ୍ଟି ପାଇଁ ଏଭଳି କରାଯାଇଥିବା କୃଷକ ସଂଗଠନ ଅଭିଯୋଗ ଆଣିଛି। ଏସବୁ ପ୍ରଂସଗ ନେଇ ଆଗାମୀଦିନରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ଏବଂ ତଥାପି ସ୍ଥିତିରେ ସୁଧାର ନଆସିଲେ ତୀବ୍ର ଆନ୍ଦୋଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସୁଶାନ୍ତ ପଣ୍ଡା, ଶାନ୍ତନୁ ପ୍ରଧାନ, ସନତ ମିଶ୍ର ପ୍ରମୁଖ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଯୁବବାହିନୀର ସଦସ୍ୟମାନେ ସାମିଲ‌ ହୋଇଥିଲେ।