ବିଧାୟକ ପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ସରଗରମ ଆଲୋଚନା

ଭୁବନେଶ୍ବର: ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ବିଧାୟକ ପାଣ୍ଠି ବୃଦ୍ଧି କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ୩ କୋଟି ରହିଛି। ସେଥିରୁ ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ  ୫୦ ଲକ୍ଷ ଟଙ୍କା ଦିଆଯାଉଛି।
ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନକର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ ରାଜ୍ୟର ବଡ଼ ବଡ଼ ମନ୍ଦିରଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି। ମାତ୍ର ଗାଁରେ ରହିଥିବା ଛୋଟ ଛୋଟ ମନ୍ଦିରଗୁଡ଼ିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ୍ ପଡୁଛି। ସେଥିପାଇଁ ସାଧାରଣ ଖର୍ଚ୍ଚ ୨ କୋଟି ବଦଳରେ ୩ କୋଟି କରାଯାଉ। ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେହେତୁ ପଡ଼ୋଶୀ ରାଜ୍ୟମାନଙ୍କରେ ବିଧାୟକ ପାଣ୍ଠି ୫ କୋଟି ଟଙ୍କା ରହିଛି, ତେଣୁ ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟିକୁ ବୃଦ୍ଧି କରାଯାଉ। ସରସ୍ୱତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ, ତାହାର ବ୍ୟବସ୍ଥା କରାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତାଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ଯ୍ୟ ଅର୍ଥସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରାଯାଉ।

ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ। ସମୟ ଆସିଲେ ବିଚାର କରାଯିବ। ୨୦୨୦-୨୧ରେ ବିଧାୟକ ପାଣ୍ଠି ୧ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ୨ କୋଟି ଥିବା ବେଳେ ତେଲେଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ରରେ ୫ କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ୫ କୋଟି ରହିଛି।

ଏଣେ ବିଧାୟକମାନେ ଯେଉଁ ପ୍ରସ୍ତାଵ ଦେଇଛନ୍ତି, ତାହା କିପରି କାର୍ଯ୍ୟକାରୀ ହେବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ସମ୍ବନ୍ଧିତ ଖବର