ପାରଳାଖେମୁଣ୍ଡି: ଏକ ରହସ୍ୟ ରୋମାଞ୍ଚଭରା ଅପରାଧ ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଆଲୋଡ଼ନ ଖେଳାଇ ଦେଇଛି। ତେଲିଶୁଣ୍ଢି ସାହିରେ ଅନୈତିକ ପ୍ରେମ ସମ୍ପର୍କକୁ ବାରଣ କରିବାରୁ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଛି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ପାଳିତା କନ୍ୟା। ସବୁଠାରୁ ହୃଦୟବିଦାରକ ହେଲା, ଯେଉଁ ମା’ ନବଜାତ ଶିଶୁକୁ ରାସ୍ତା କଡ଼ରୁ ଗୋଟାଇ ଆଣି ଲାଳନପାଳନ କରି ବଡ଼ କରିଥିଲା, ୧୩ ବର୍ଷର ହେଲା ପରେ ସେହି ମା’କୁ ପ୍ରେମିକ ସହ ମିଶି ହତ୍ୟା କରିଛି ପାଳିତା କନ୍ୟା। ଏପରିକି ହତ୍ୟା ପରେ ଚତୁରତାର ସହ ପରିବାର ଲୋକଙ୍କୁ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ନାଟକ ରଚିଥିଲା। ନାବାଳିକାର କଥାରେ ପରିବାର ଲୋକ ଶବକୁ ନେଇ ସଂସ୍କାର ବି କରି ଦେଇଥିଲେ। ହେଲେ ଗତ ଏପ୍ରିଲ ୨୯ ତାରିଖରେ ଘଟିଥିବା ଏହି  ଘଟଣାର ୧୫ଦିନ ପରେ ଇନ୍‌ଷ୍ଟାଗ୍ରାମ୍‌ ଚାର୍ଟରୁ ପ୍ରକୃତ ତଥ୍ୟ ପଦାକୁ ଆସିଛି। ‌ନାବାଳିକା ଜଣକ ପ୍ରେମିକ ଓ ସହଯୋଗୀଙ୍କ ସହ ମିଶି ମା’ ରାଜଲକ୍ଷ୍ମୀ କର (୫୪ )ଙ୍କୁ ପ୍ରଥମେ ନିଶାବଟିକା ଦେଇ ଅଚେତ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ଉଭୟଙ୍କୁ ଅଟକ ରଖିଛି।  ଅଧିକ ତଦନ୍ତ ପାଇଁ ପୁଲିସ ଅଭିଯୁକ୍ତ ଝିଅକୁ ସାଙ୍ଗରେ ନେଇ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ଘଟଣାର ସିନ୍‌ ରିକ୍ରିଏସନ‌୍ କରିଛି।  

Advertisment

୧୫ ଦିନ ପରେ ଇନ୍‌ଷ୍ଟା ତଥ୍ୟ ଖୋଲିଲା ରହସ୍ୟ
ପ୍ରେମିକ ସହ ମିଶି ମା’କୁ ହତ୍ୟା ପରେ ଭୁବନେଶ୍ବରକୁ ନେଇ ପୋଡ଼ିଥିଲା
ପ୍ରେମିକ ଓ ନାବାଳିକା ଅଟକ

ସୂଚନା ଅନୁସାରେ ପାଠ ପଢିବା ପାଇଁ ଭୁବନେଶ୍ବରରୁ ଆସି ଏଠାରେ ପୋଷ୍ୟଝିଅ ସହ ଭଡ଼ା ଘରେ ରହୁଥିଲେ ରାଜଲକ୍ଷ୍ମୀ। ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ଥାନ ନ ମିଳିବାରୁ  ପାରଳାଖେମୁଣ୍ଡିରେ ରହି କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ  ପାଠ ପଢାଉଥିଲେ। ହେଲେ ନାବାଳିକା ଜଣକ ସ୍ଥାନୀୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲା। ମା’ ରାଜଲକ୍ଷ୍ମୀ ଜାଣିବା ପରେ ଯୁବକ ସହ ନାବାଳିକା ଝିଅର ଅନୈତିକ ସମ୍ପର୍କର ପ୍ରତିବାଦ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ସହ ମିଶି ମା’କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଝିଅ ଷଡ଼୍‌ଯନ୍ତ୍ର ରଚିଥିଲା। ପ୍ରଥମେ ଖାଦ୍ୟରେ ନିଶା ବଟିକା ଦେଇ ଅଚେତ କରାଇବା ପରେ ପ୍ରେମିକ ଓ ଅନ୍ୟଜଣେ ସହଯୋଗୀ ସହ ମିଶି ମୁହଁରେ ତକିଆ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ମା’ର ମୃତ୍ୟୁ ପରେ ଯୋଜନା ପ୍ରକାରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଦର୍ଶାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ମୃତ ଶରୀରକୁ ଭୁବନେଶ୍ୱର ନେଇ ପରିବାର ସମ୍ପର୍କୀୟଙ୍କ ସହଯୋଗରେ ଶେଷକୃତ୍ୟ ସଂପନ୍ନ କରି ଦେଇଥିଲା ନାବାଳିକା। ପରବର୍ତ୍ତୀ ସମୟରେ ବିଭିନ୍ନ ମାଧ୍ୟମରେ ପ୍ରେମିକ ସହ ନାବାଳିକା ଜଣକ ଯୋଗାଯୋଗରେ ରହୁଥିଲା। ନାବାଳିକା ଓ ପ୍ରେମିକର ବାର୍ତ୍ତାଳାପରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା। ପରେ ଏହାକୁ ନେଇ ଉଭୟଙ୍କ ଇନ୍‌ଷ୍ଟାଗ୍ରାମ ଚାର୍ଟରୁ ସନ୍ଦେହ ଘନୀଭୂତ ହୋଇଥିଲା। ଘଟଣାର ତଦନ୍ତ ପାଇଁ ପୁଲିସକୁ ପରିବାର ଲୋକେ ଅନୁରୋଧ କରିବା ପରେ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଥିଲା। ହତ୍ୟା ପରେ ପ୍ରେମିକ ଓ ସହଯୋଗୀ ସହ ମିଶି  ମା’ ପିନ୍ଧିଥିବା ୧୦ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର ସବୁ ନେଇ ଯାଇଥିବା ମୃତ ରାଜଲକ୍ଷ୍ମୀଙ୍କ ଭାଇ ଶିବଶଙ୍କର ମିଶ୍ର  ଅଭିଯୋଗ କରିଛନ୍ତି।