ମୌଳିକ ସୁବିଧାରୁ ବଞ୍ଚିତ ରଇଠାଣୀ ଗାଁ, ଦୀପ ତଳ ଅନ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ମହକୁମା ସୀମାଠାରୁ ମାତ୍ର ଦେଢ଼ କିମି ଦୂରରେ ରହିଛି ରଇଠାଣୀ ଗାଁ। ବୌଦ୍ଧ ଏନ୍‌ଏସି ବାହାରେ ଓ ହରଭଙ୍ଗା ବ୍ଲକ୍‌ ଅଧୀନରେ ରହିଛି ଏହି ଗାଁ। ସହର ଉପକଣ୍ଠରେ ରହିଥିଲେ ସୁଦ୍ଧା ଏହି ଗ୍ରାମବାସୀ ଅନେକ ମୌଳିକ ଅଧିକାରରୁ ବଞ୍ଚିତ ‌ରହିଥିବା ଅଭିଯୋଗ ହୋଇଛି। ଏହି ଗାଁକୁ ନା ଅଛି ଭଲ ରାସ୍ତା ଖଣ୍ଡିଏ ନା ଅଛି ପାନୀୟ ଜଳର ସୁବିଧା। ସରକାର ସଡ଼କ ନିର୍ମାଣ କରି ଅପହଞ୍ଚ ଅଞ୍ଚଳକୁ ମୁଖ୍ୟ ସ୍ରୋତରେ ଯୋଡ଼ୁଛନ୍ତି। ପାନୀୟ ଜଳ ଯୋଗାଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ହେଲେ ଦୀପତଳ ଅନ୍ଧାର ନୀତିରେ ଅବହେଳିତ ହୋଇ ପଡ଼ିରହିଛି ରଇଠାଣୀ ଗାଁ।

ଏହି ଗାଁରେ ପ୍ରାୟ ୭୦୦ ଲୋକ ବସବାସ କରନ୍ତି। ସହର ନିକଟରେ ରହିଥିଲେ ସୁଦ୍ଧା ହରଭଙ୍ଗା ବ୍ଲକ୍‌ର ଶେଷ ସୀମାରେ ରହିଛି। ବ୍ଲକ୍‌ ସଦର ମହକୁମାରୁ ୩୩ କିମି ଦୂରରେ ରହିଥିବାରୁ ଚରମ ଅବହେଳାର ଶିକାର ହୋଇଛି। ବ୍ଲକ୍‌ ପ୍ରଶାସନର ନଜର ମଧ୍ୟ ପଡ଼ୁନାହିଁ। ୫୭ ନଂ ଜାତୀୟ ରାଜପଥ କଡ଼ରେ ଗାଁ ଅବସ୍ଥିତ ହୋଇଥିଲେ ମଧ୍ୟ ଗାଁକୁ ଭଲ ରାସ୍ତା ଟିଏ ନାହିଁ। ଜାତୀୟ ରାଜପଥରୁ ୩୦ ବର୍ଷ ପୁରୁଣା କଂକ୍ରିଟ୍‌ ରାସ୍ତା ଗାଁକୁ ଲମ୍ବିଛି। ଯାହା ବର୍ତ୍ତମାନ ମରଣଯନ୍ତାର ରୂପ ନେଇଛି। ରାସ୍ତାର କଂକ୍ରିଟ୍‌ ନଷ୍ଟ ହୋଇ ପଥର ବାହାରିଲାଣି। ଗାଁ ମଝିରେ ଥିବା ପୋଲ ଭାଙ୍ଗି ମରଣ କୂପର ରୂପ ନେଇଛି। ପୋଲ ଛାତର ଗୋଟିଏ ପାର୍ଶ୍ବ ଓ ମଝିରେ କଂକ୍ରିଟ୍‌ ଭାଙ୍ଗି ଯାଇଥିବାରୁ ସାଇକଲ ଓ ବାଇକ୍‌ ଆରୋହୀ ଭୟ ମଧ୍ୟରେ ଯାତାୟତ କରୁଛନ୍ତି। ସାମାନ୍ୟ ଅସାବଧାନତା ଯୋଗୁଁ ଖାଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଆଶଙ୍କା ରହିଛି। ପୋଲର ଛାତର ରଡ କଳଙ୍କି ଲାଗିଯାଇଥିବାରୁ ତଳପଟ କଂକ୍ରିଟି ଝଡ଼ି ପତଳା ‌ହୋଇ ଗଲାଣି। ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି।

ପୂର୍ବରୁ ଅନେକ ଦୁର୍ଘଟଣା ଘଟି ଲୋକେ ଗୁରୁତର ଆହତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁକୁ ୪ ଚକିଆ ଯାନ ଆସିପାରେ ନାହିଁ। ଆମ୍ବୁଲାନ୍‌ସ ଗାଁର ସବୁ ସାହିକୁ ପହଞ୍ଚି ପାରେନାହିଁ। ତେଣୁ ଗାଁ ମୁଣ୍ଡକୁ ରୋଗୀଙ୍କୁ ବୋହିକି ନେବାକୁ ପଡ଼େ। ଏହି ରାସ୍ତାରେ ଉପରେ ନାରାୟଣପୁର, ସିଦ୍ଧପୁର ଓ ଗୋଧ୍ରାବେଣୀ ଗାଁର ଲୋକେ ମଧ୍ୟ ଯାତାୟତ କରିଥାନ୍ତି। ଫଳରେ ସବୁବେଳେ ଏହି ରାସ୍ତାରେ ଯାତାୟତ ଲାଗି ରହିଥାଏ। ସରକାରଙ୍କ ପରିମଳ ଓ ପାନୀୟ ଜଳ ଯୋଗାଣ ଗାଁଠାରୁ ଅନେକ ଦୂରରେ ରହିଛି। ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ। ବ୍ୟବହୃତ ପାଣି ଜମା ହୋଇ ମଶା ମାଛିଙ୍କ ପ୍ରଜନନ କେନ୍ଦ୍ର ପାଲଟିଛି। ପାନୀୟ ଜଳର ମଧ୍ୟ ଘୋର ଅସୁବିଧା। ଅଙ୍ଗନୱାଡ଼ି, ମୁଖ୍ୟ ରାସ୍ତା ପାର୍ଶ୍ବ, ନାରାୟଣପୁର ରାସ୍ତା ଓ ଗାଁ ମଝିରେ ନଳକୂଅ ରହିଛି। ସେଥିମଧ୍ୟରୁ କେବଳ ଗାଁ ମଝିରେ ଥିବା ନଳକୂଅ ପାଣି ବ୍ୟବହାର ଯୋଗ୍ୟ। ଗାଧୋଇବାକୁ ବାଦ୍‌ ଦେଲେ ଅନ୍ୟ ସବୁ କାମ ପାଇଁ ପୁରା ଗାଁର ଲୋକେ ସେହି ନଳକୂଅ ଉପରେ ନିର୍ଭର କରନ୍ତି। ଗାଁ ନିକଟରେ ଥିବା ନାଳାରେ ଇନଟେକ୍‌ ୱେଲ୍‌ କରି ‌ଜଳ ଯୋଗାଣ କରିବା, ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବ୍ଲକ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଶେଷରେ ନିରାଶ ହୋଇ ଅବହେଳିତ ଜୀବନ ଜିଉଁଛନ୍ତି ଗ୍ରାମବାସୀ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ଗାଁର ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର