ଭୁବନେଶ୍ବର: ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ଉପରେ କଟକଣା ଲଗାଇଲା ରାଜଭବନ। କୁଳପତିମାନେ ମନଇଚ୍ଛା ଛୁଟିରେ ରହିପାରିବେ ନାହିଁ କିମ୍ବା ମୁଖ୍ୟାଳୟ ଛାଡ଼ିପାରିବେନି। ବିଦେଶ ଭ୍ରମଣରେ ଯିବା ପୂର୍ବରୁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ଅନୁମତି ଲୋଡ଼ିବେ। ବୃତ୍ତିଗତ ହେଉ ଅଥବା ବ୍ୟକ୍ତିଗତ ବିଦେଶ ଗସ୍ତ, ରାଜଭବନ ପକ୍ଷରୁ ଅନୁମତି ମିଳିବା ପରେ ହିଁ ସେମାନେ ଯାଇପାରିବେ। ବ୍ୟକ୍ତିଗତ ଗସ୍ତ କରୁଥିଲେ ବିଶ୍ବବିଦ୍ୟାଳୟ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରିପାରିବେ ନାହିଁ।

Advertisment

ରାଜଭବନ ପକ୍ଷରୁ କୁଳପତିମାନଙ୍କୁ ପଠାଯାଇଥିବା ପତ୍ରରେ ସ୍ପଷ୍ଟ କରାଯାଇଛି ଯେ କୁଳାଧିପତିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଦେଶ ଭିତରେ ଭ୍ରମଣ କରିବାକୁ ହେଲେ ଛୁଟି ନେବାର ୧୦ ଦିନ ପୂର୍ବରୁ କୁଳାଧିପତିଙ୍କୁ ଛୁଟି ଆବେଦନପତ୍ର ପଠାଇବେ। ଦେଶ ବାହାରକୁ ଯିବାକୁ ଥିଲେ ୩୦ ଦିନ ଆଗରୁ ଅନୁମତି ଲୋଡ଼ିବେ। ଜରୁରିକାଳୀନ ପରିସ୍ଥିତିରେ ବିନା ଛୁଟି ଆବେଦନପତ୍ରରେ କୁଳପତି ଯାଇପାରିବେ ଏବଂ ମୁଖ୍ୟାଳୟ ଛାଡ଼ିପାରବେ। ତେବେ ପରବର୍ତ୍ତୀ ସମୟରେ କୁଳପତି ଏ ସମ୍ପର୍କରେ ସବିଶେଷ ତଥ୍ୟ କୁଳାଧିପତିଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଯଦି ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରି ନ କରନ୍ତି ତା’ହେଲେ ଛୁଟି ବାତିଲ୍‌ ସହ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ବ୍ୟକ୍ତିଗତ ଛୁଟି, ଭ୍ରମଣ କିମ୍ବା ଅନ୍ୟ କୌଣସି ପ୍ରକାର ଛୁଟିରେ ଯାଉଥିଲେ ତାହାର ଖର୍ଚ୍ଚ କୁଳପତି ନିଜେ ବହନ କରିବେ। ଏବାବଦରେ ବିଶ୍ବବିଦ୍ୟାଳୟରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯିବ ନାହିଁ। ଯଦି ବୃତ୍ତିଗତ ଛୁଟିରେ ଯାଇ ତାହାକୁ ବ୍ୟକ୍ତିଗତ ଛୁଟିରେ ପରିବର୍ତ୍ତନ କରନ୍ତି ତେବେ ଉକ୍ତ ଛୁଟି ସମୟର ସମସ୍ତ ଖର୍ଚ୍ଚ ତାଙ୍କୁ ହିଁ ବହନ କରିବାକୁ ପଡ଼ିବ।

ଗୋଟିଏ ପଟେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଲାଗୁ କରି ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ କ୍ଷମତା ସଙ୍କୁଚିତ କରିଛନ୍ତି। ଆଉ ଅନ୍ୟପ‌ଟେ ରାଜଭବନ ପକ୍ଷରୁ କୁଳପତିଙ୍କ ଗସ୍ତ ଉପରେ ରୋକ ଲାଗିବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କେବଳ କୁଳପତି ନୁହନ୍ତି, ବିଶ୍ବବିଦ୍ୟାଳୟ କର୍ମଚାରୀ(ଶିକ୍ଷକ ଓ ଅଣଶିକ୍ଷକ)ଙ୍କ ଛୁଟି ଉପରେ ମଧ୍ୟ କଟକଣା ଲାଗିଛି। ଗତ ଜୁନ୍‌ ମାସରେ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ ରାଜ୍ୟର ଏକ ସରକାରୀ ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ପ୍ରଫେସର କୁଳପତିଙ୍କ ଅନୁମତି ନେଇ ବୃତ୍ତିଗତ ଭ୍ରମଣରେ ଆମେରିକା ଯିବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ କୁଳାଧିପତିଙ୍କ ହସ୍ତକ୍ଷେପ ପରେ ତାହା ବାତିଲ୍‌ ହୋଇଥିଲା। ତାହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଯେପରି ଏଭଳି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ରାଜଭବନ ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇ ତାହାକୁ କଡ଼ାକଡ଼ି ପାଳନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବୃତ୍ତିଗତ ହେଉ କିମ୍ବା ଘରୋଇ ଉଦ୍ଦେଶ୍ୟ, କୁଳପତି ବିଦେଶ ଗସ୍ତ କରିବା ପୂର୍ବରୁ କୁଳାଧିପତିଙ୍କଠାରୁ ଲିଖିତ ଅନୁମତି ଲୋଡ଼ିବେ। ବିଦେଶ ଗସ୍ତରେ ଯିବାର ବହୁ ଦିନ ଆଗରୁ ପ୍ରସ୍ତୁତି କରିବାକୁ ପଡ଼ୁଥିବାରୁ କୁଳାଧିପତିଙ୍କ ନିକଟରେ ଆଗୁଆ ଆବେଦନ କରିବେ। ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ବିଦେଶ ଯିବାକୁ କୁଳପତି ଅନୁମତି ଦେଇପାରିବେ। ମାତ୍ର ଏସମ୍ପର୍କରେ କୁଳାଧିପତିଙ୍କ କାର୍ଯ୍ୟାଳୟକୁ ଅବଗତ କରିବାର ଆବଶ୍ୟକତା ରହିଛି। ବିଦେଶ ଗସ୍ତ ପାଇଁ ପ୍ରଚୁର ଅର୍ଥ ଲାଗିଥାଏ। ଲୋକଙ୍କ ଅର୍ଥ ଏଭଳି ଖର୍ଚ୍ଚ କରା ନ ଯାଇ ଯେତେଦୂର ସମ୍ଭବ ଭର୍ଚୁଆଲ ମିଟିଂରେ ସାମିଲ ହୋଇପାରିବେ। ବିଶ୍ବବିଦ୍ୟାଳୟ କିମ୍ବା ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯେତେବେଳେ ଅତ୍ୟନ୍ତ ଜରୁରୀ ପ‌ଡ଼ିବ ସେତେବେଳେ ଅନୁମତି ଦିଆଯାଇପାରେ। କୌଣସି ସଂସ୍ଥା ମାଧ୍ୟମରେ ବିଦେଶ ଗସ୍ତ କରିବା ସମୟରେ ମଧ୍ୟ ଏହି ନିୟମଗୁଡ଼ିକ ଲାଗୁ ହେବ। କର୍ମଚାରୀଙ୍କ ବ୍ୟକ୍ତିଗତ ବିଦେଶ ଗସ୍ତକୁ କୁଳପତି ଚାହିଲେ ଅନୁମତି ଦେଇପାରିବେ ନ ହେଲେ ବାତିଲ୍‌ କରିପାରନ୍ତି।