ଭୁବନେଶ୍ବର: ଓଡ଼ିଶା ରାଜଭବନରେ ଏବେ ମାସକୁ ପ୍ରାୟ ୫୦ହଜାର ୟୁନିଟ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଛି। ଆମେ ୧୫୦କିଲୋୱାଟ୍‌ର ସୌରଶକ୍ତି ପ୍ଲାଣ୍ଟ ବସାଇବା ପରେ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ବିଲ୍‌ ୪୫% କମିଛି। ଖୁବ୍‌ ଶୀଘ୍ର ଆମେ ୪୦୦ କ‌ିଲୋୱାଟ୍‌ର ‌ସୌର ପ୍ଲାଣ୍ଟ ବସାଇବୁ। ଏହାଦ୍ବାରା ରାଜଭବନର ବିଦ୍ୟୁତ୍ ବିଲ୍ ବାବଦକୁ ଆଉ ଅର୍ଥ ଦେବାକୁ ପଡ଼ିବନି। ବରଂ ଆମେ ଗ୍ରିଡ୍‌କୁ ବିଦ୍ୟୁତ୍‌ ବିକି ଅର୍ଥ ପାଇବୁ। ଏହିପରି ଭାବେ ଆମେ ଓଡ଼ିଶା ରାଜଭବନକୁ ସଂପୂର୍ଣ୍ଣ ଅକ୍ଷୟ ଶକ୍ତିରେ ଚଲାଇବାକୁ ଯୋଜନା କରିଛୁ ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି।

Advertisment

ଆଜି ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ କହିଥିଲେ, ଆମର ଦୈନନ୍ଦିନ ଜୀବନଶୈଳୀ ଯୋଗୁ ପରିବେଶ ଉପରେ ବହୁତ ପ୍ରଭାବ ପଡ଼ୁଥିବାରୁ ରାଜଭବନକୁ ଅକ୍ଷୟ ଶକ୍ତିରେ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜଭବନ ସାରା ଦେଶରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି। ଏହାସହ ରାଜଭବନର ସମସ୍ତ ଗାଡ଼ି ଇଭି ହେବ। ଏବେ ରାଜଭବନର ନିତ୍ୟ ବ୍ୟବହାର ପାଇଁ ୪ଟି ଇଭି କାର୍, ୭ଟି ଇଭି ବାଇକ୍ କିଣାଯାଇଛି। ଆଗକୁ ରାଜ୍ୟପାଳଙ୍କ କାରକେଡ୍‌ର ସମସ୍ତ ଗାଡ଼ି ଇଭି ହେବ। ଆମେ ରାଜ୍ୟବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଚାହୁଛୁ। ପ୍ରତ୍ୟେକ ଲୋକ ଯଦି ଇଭି ଗାଡ଼ି ଚଳାଇବେ ତେବେ ଓଡ଼ିଶାର ପ୍ରଦୂଷଣ ସ୍ଥିତିରେ ବହୁତ ସୁଧାର ଆସିବ।

ଏହାସହ ରାଜ୍ୟପାଳ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ସମସ୍ତେ ଆପଣାଇବା ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ସବ୍‌ସିଡି ଦେଉଛନ୍ତି। ଆମ ଦେଶରେ ବର୍ଷକୁ ୩୦୦ଦିନ ଖରା ହେଉଥିବାରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ କୌଣସି ସମସ୍ୟା ହେବନି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଏବଂ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ ରାଜ୍ୟପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍ ରାଜପୁତ ଉପସ୍ଥିତ ଥିଲେ।

ପ୍ରତିଷ୍ଠା ହେବ ୫୫୦କିଲୋୱାଟ୍‌ର ସୌର ପ୍ଲାଣ୍ଟ
ରାଜଭବନର ସମସ୍ତ ଗାଡ଼ି ଇଭି ହେବ

ଖୁବ୍‌ଶୀଘ୍ର ଇଭି ନୀତିରେ ସଂଶୋଧନ, ବିନା ଇଭିରେ ଲୋକସେବା ଭବନ ପ୍ରବେଶ ମନା ହେବ

ଭୁବନେଶ୍ବର: ଯେଉଁ ସରକାରୀ କର୍ମଚାରୀ ସରକାରୀ କ୍ବାର୍ଟର୍ସରେ ରହୁଛନ୍ତି ସେମାନଙ୍କୁ ଛାତ ଉପରେ ସୌର ପ୍ୟାନେଲ୍ ଲଗାଇବାକୁ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସୌରପ୍ୟାନେଲ୍ ଲଗାଇବାକୁ ସାଧାରଣ ଲୋକ ଭଳି ସବ୍‌ସିଡି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଆଜି ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନ‌ୀରେ ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟବହାର ନେଇ ସୂଚନା ଦେବା ବେଳେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଏବେ ଭୁବନେଶ୍ବର, କଟକର ସମସ୍ତ ସରକାରୀ ଅଫିସରେ ସୌର ପ୍ୟାନେଲ୍ ଲାଗୁଛି। ଆଗକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ। ସେହିଭଳି ଏବେ ବିଭିନ୍ନ ଡିସକମ୍ ସଂସ୍ଥା ସରକାରୀ କ୍ବାର୍ଟର୍ସରେ ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌର ପ୍ୟାନେଲ୍ ଲଗାଇବାକୁ ସବ୍‌ସିଡି ଦେବାକୁ ମନା କରୁଥିବାବେଳେ ଏହାକୁ କୋହଳ କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଆଗକୁ ରାଜ୍ୟରେ ଇଭି-ଗାଡ଼ିର ବ୍ୟବହାର ବଢ଼ାଇବାକୁ ଚାହୁଁଛୁ। ସମସ୍ତ ସରକାରୀ ଗାଡ଼ି ଇଭି କରାଯିବ। ଏହା ପୂର୍ବରୁ ଲୋକସେବା ଭବନକୁ ଆସୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଇଭି ଗାଡ଼ି ଚଳାଇବା ବାଧ୍ୟତାମୂଳକ କରାଯିବ। ଯିଏ ଦୁଇଚକିଆ କି ଚାରିଚକିଆ ଗାଡ଼ି ଆଣୁଛନ୍ତି ସେମାନେ ଇଭି ଗାଡ଼ିରେ ଅଫିସ୍ ଆସିବେ। ଇଭି ଗାଡ଼ି ନଥିଲେ ପାସ୍‌ ଥିଲେ ବି ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବନି। ରାଜ୍ୟ ସରକାର ଏବେ ଥିବା ଇଭି-ନୀତିକୁ ସଂଶୋଧନ କରି ନୂଆ ଇଭି ନୀତି ଆଣିବାକୁ ଯୋଜନା କରିଛନ୍ତି। ଏଥିରେ ପେଟ୍ରୋଲ, ଡିଜେଲ୍ ଗାଡ଼ି ସ୍କ୍ରାପିଂ ବ୍ୟବସ୍ଥା,  ଇଭି ଚାର୍ଜିଂ ଷ୍ଟେସନ୍‌, ଇଭି କିଣିବାକୁ ସବ୍‌ସିଡି ଆଦିକୁ ସାମିଲ୍ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।