ରଥ ପୂର୍ବରୁ ମରାମତି ହେବ ପୁରୀ ରାଜଭବନ : ତିନିଟି ପର୍ଯ୍ୟାୟରେ ମରାମତି ହେବ, ବାତ୍ୟା ପ୍ରତିରୋଧକ କାଚ କବାଟ, ଝରକା ଲାଗିବ

ପ୍ରତି ସପ୍ତାହରେ ଜିଲ୍ଲାପାଳ ସମୀକ୍ଷା କରି ରିପୋର୍ଟ ଦେବେ

ଭୁବନେଶ୍ବର : ବାତ୍ୟା ଫନି ପୂର୍ବରୁ ବିପଦସଙ୍କୁଳ ଘୋଷଣା ହୋଇଥିବା ପୁରୀସ୍ଥିତ ରାଜଭବନ ବାତ୍ୟାରେ ପୂରା ନଷ୍ଟ ହୋଇଯାଇଛି। ରାଜଭବନରେ ରହିବା ଦୂରର କଥା ଏବେ ‌େକହି ଏଠାରେ ଘଣ୍ଟାଏ ବସିବା ଭଳି ସ୍ଥିତି ନାହିଁ। ବାତ୍ୟା ପରଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁରୀ ଯାଇ ରାଜଭବନର ସ୍ଥିତି ଦେଖି ଆସିବା ପରେ ଏହାର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ ପୁରୀ ଯାଇ ରାଜଭବନ ମରାମତି କାର୍ଯ୍ୟ କିପରି ତ୍ବରାନ୍ବିତ ହେବ ସେନେଇ ସମୀକ୍ଷା କରିଛନ୍ତି। ଆଉ ଆସନ୍ତା ରଥଯାତ୍ରା ପୂର୍ବରୁ ଏହାର ତଳ ମହଲାର ମରାମତି ଶେଷ କରିବାକୁ କହିଛନ୍ତି। ରଥଯାତ୍ରାବେଳେ ରାଜ୍ୟପାଳ ଏଠାରେ ବିଶ୍ରାମ ନେବାକୁ ଥିବାରୁ ଏହା ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଶ୍ରୀ ପାଢ଼ୀ କହିଛନ୍ତି।

ପୁରୀ ରାଜଭବନର ସମ୍ମୁଖ ଗେଟ୍‌, ଦୁଇଟି କର୍ମଚାରୀ କ୍ବାର୍ଟର୍ସ, ସୁରକ୍ଷାକର୍ମୀଙ୍କ ବାରାକ୍ ତୁରନ୍ତ ନିର୍ମାଣ କରିବାକୁ କୁହାଯାଇଛି। ରାଜଭବନର ସୁରକ୍ଷା ପାଇଁ ଏହାର ଉତ୍ତର ଓ ପୂର୍ବ ପାର୍ଶ୍ବରେ ଭାଙ୍ଗି ଯାଇଥିବା ପାଚେରୀର ତୁରନ୍ତ ନିର୍ମାଣ ସହ ‌ପାଚେରୀ ଚାରି‌ପଟେ ଲୁହା ତାର ବାଡ଼ କରିବାକୁ କୁହାଯାଇଛି।

ସେହିପରି ପ୍ରଥମ ପର୍ଯ୍ୟାୟରେ ରାଜଭବନର ଉତ୍ତର ପାର୍ଶ୍ବରେ ଥିବା ତଳ ମହଲା ଏବଂ ପ୍ରଥମ ମହଲାର ସଂପୂର୍ଣ୍ଣ ମରାମତି, ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣ ପାର୍ଶ୍ବରେ ଥିବା ତଳ ଓ ଉପର ମହଲା ଏବଂ ତୃତୀୟ ପର୍ଯ୍ୟାୟରେ ବାକି ଅଞ୍ଚଳର ମରାମତି କରାଯିବ। ଜୁନ୍ ୩୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମରାମତି କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ପୂର୍ତ୍ତ ବିଭାଗର ପୁରୀ ଡିଭିଜନ ଏହାର ମରାମତି କରିବାକୁ ଦାୟିତ୍ବ ଦିଆଯାଇଛି।

ଏବେ ରାଜଭବନ ମରାମତି ହେବା ସମୟରେ ଏହାର କବାଟ, ଝରକା ଓ କରିଡରରେ ମୋଟା କାଚ ଲଗାଇବାକୁ କୁହାଯାଇଛି। ଯାହା ଅଧିକରୁ ଅଧିକ ପବନରେ (ବାତ୍ୟାରେ) ଯେପରି ନଷ୍ଟ ନହେବ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ମୁଖ୍ୟତଃ ବାତ୍ୟା ପ୍ରତିରୋଧ କରିପାରୁଥିବା କାଚ ଲଗାଇବାକୁ କୁହାଯାଇଛି। ରାଜଭବନରେ ଅତ୍ୟାଧୁନିକ ଏସି ଲଗାଇବାକୁ କୁହାଯାଇଛି। ‌ଲୁଣି ପବନରେ ଯେପରି ନଷ୍ଟ ନହେବ ତାହାକୁ ନଜରରେ ରଖି ଏସି ଲଗାଇବାକୁ କୁହାଯାଇଛି।

ଏହାବାଦ୍ ରାଜଭବନ‌େର ଜରୁରୀକାଳୀନ ବିଦ୍ୟୁତ ସେବା ପାଇଁ ସ୍ଥାୟୀ ଡିଜି ସେଟ୍‌ ବ୍ୟବସ୍ଥା ହେବ। ରାଜଭବନ କର୍ମଚାରୀଙ୍କ ପାଇଁ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ଏଠାରେ ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ନିର୍ମାଣ କରିବାକୁ କୁହାଯାଇଛି। ନଷ୍ଟ ହୋଇଯାଇଥିବା ଆସବାବପତ୍ରଗୁଡ଼ିକୁ ତୁରନ୍ତ ମରାମତି କରାଯିବ। ଧାର୍ଯ୍ୟ ସମୟରେ ଯେପରି ରାଜଭବନର ମରାମତି କାର୍ଯ୍ୟ ଶେଷ ହେବ ସେନେଇ ପୁରୀ ଜିଲ୍ଲାପାଳ ପ୍ରତି ସପ୍ତାହରେ ସମୀକ୍ଷା ବୈଠକ କରି ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର