ରାଜା ଆଚାର୍ଯ୍ୟର ନୂଆବର୍ଷ ବ୍ୟାନର୍‌ : ରାଜନୀତି ଆଡ଼କୁ ମୁହାଁଉଛି କି ରାଜା?

ରାଜଧାନୀରେ ରାଜନୈତିକ ହଟଚମଟ

ପୂର୍ବରୁ ରାଜନୀତିରେ ପାଦ ଥାପି ଟିଟୋ, ଡି’ ବ୍ରଦର୍ସ ବର୍‌ବାଦ
ମୁହଁ ବଢ଼ାଇଦେଲା କି ପୁଲିସ୍‌ର ଅପାରଗତା?

ଭୁବନେଶ୍ବର : ଦାଦାବଟି ଓ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ)ରେ ଗିରଫ ହୋଇ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ୍ ରାଜା ଆଚାର୍ଯ୍ୟ ଏବେ ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଛି। କିନ୍ତୁ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ତା’ର ନୂଆବର୍ଷ ଶୁଭେଚ୍ଛା ବହନ କରୁଥିବା ବ୍ୟାନର୍‌ ଦେଖିବାକୁ ମିଳିଛି। କଳ୍ପନା ଛକ ଓ ଲୁଇସ୍‌ରୋଡ୍‌ ଅଞ୍ଚଳରେ ଏଭଳି କିଛି ବ୍ୟାନର୍‌ ଲାଗିଛି। ତେବେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଲୋକସେବା ଭବନ ସାମ୍ନାରେ ଲାଗିଥିବା ବ୍ୟାନର୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହିନ୍ଦୁସେନା ଲେଖାଥିବା ଏହି ବ୍ୟାନର୍‌ରେ ରାଜାର ଫଟୋ ରହିଛି ଓ ରାଜଧାନୀବାସୀଙ୍କୁ ସେ ନବବର୍ଷର ଶୁଭେଚ୍ଛା ଜଣାଇଛି। ଡନ୍‌ ଭାବେ ପରିଚିତ ରାଜା ଜେଲ୍‌ରେ ଥିବା ବେଳେ ହିନ୍ଦୁସେନାର କେଉଁ କର୍ମୀମାନେ ଏହି ବ୍ୟାନର୍‌ ଲଗାଇଲେ, ତାହା ଅସ୍ପଷ୍ଟ ରହିଛି। ଏମିତିକି ପୁଲିସ ନିକଟରେ କିଛି ଖବର ନାହିଁ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି। ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ର କେଉଁ ସହଯୋଗୀ ରାଜଧାନୀରେ ସକ୍ରିୟ ଅଛନ୍ତି, ତାହାକୁ ନେଇ ପୁଲିସ ସାଧାରଣ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ ହୋଇଛି। ତେବେ ଆଗକୁ ହିନ୍ଦୁସେନା ନାଁରେ ରାଜା ରାଜଧାନୀ ରାଜନୀତିରେ ସକ୍ରିୟ ହେବାକୁ ଯାଉଛି ବୋଲି ଆଜି ସାରା ସହରରେ ସରଗରମ ଚର୍ଚ୍ଚା ଚାଲିଛି।

ଗତ କିଛି ଦିନ ତଳେ ଦାଦାବଟି ଆଦାୟ ମାମଲାରେ ଗିରଫ ହୋଇଥିବା ରାଜା ବିରୋଧରେ ପୁଲିସ୍‌ ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରି ନପାରିବାରୁ ଏହି ମାମଲା‌ରେ ତାକୁ ଜାମିନ୍‌ ମିଳିଗଲା। ପୁଲିସ୍‌ର ଏହି ଅପାରଗତା ପାଇଁ ରାଜାର ମୁହଁ ବଢ଼ିଯାଇଥିବା କୁହାଯାଉଛି।

ଆଜି ଅପରାହ୍ଣରେ ହଠାତ୍ ଏହି ବ୍ୟାନର ଲୋକସେବା ଭବନ ସମ୍ମୁଖ ରାସ୍ତାରେ ଲାଗିଥିବା ଦେଖିବାକୁ ମିଳିଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ବ୍ୟାନର୍‌କୁ ଦେଖି କିଛି ସମୟ ପାଇଁ ଅଟକି ଯାଉଥିଲେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ରାଜା ତ ଜେଲରେ ଅଛି, ଏହି ବ୍ୟାନର ଲଗାଇଲା କିଏ? ଯଦି ସହଯୋଗୀମାନେ ସାହସ କରି ବ୍ୟାନର୍‌ ଲଗାଉଛନ୍ତି, ତା ହେ‌ଲେ ସେମାନେ ଅନ୍ୟ ଅପରାଧରେ ସକ୍ରିୟ ରହିଛନ୍ତି କି? କାହିଁକି ସେମାନଙ୍କୁ ସ୍କାନରକୁ ନେଉନାହିଁ କମିସନରେଟ ପୁଲିସ? ଏଭଳି ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଥିବାବେଳେ ରାଜାର କେତେକ ସ୍ଲିପର୍‌ ସେଲ୍ ଏହି କାମ କରିଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ କିଛି ଖବର ନାହିଁ ବୋଲି ମନା କରିଦେଇଛି କ୍ୟାପିଟାଲ ଥାନା ପୁଲିସ। ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଫୋନ୍‌ କରାଯାଇଥିଲେ ବି ସେ ଫୋନ୍‌ ଉଠାଇ ନ ଥିଲେ। ସେହିଭଳି ବରିଷ୍ଠ ଅଧିକାରୀମାନେ ମଧ୍ୟ କିଛି କହିବାକୁ ମନା କରିଦେଇଛନ୍ତି।

ଏହି ବ୍ୟାନର୍‌ରୁ ରାଜାର ରାଜନୀତି ପ୍ରୀତି ବାରି ହୋଇପଡ଼ିଛି। ଗତ କିଛି ମାସ ପୂର୍ବରୁ ଏହାକୁ ନେଇ ଆଭାସ ମିଳିଥିଲା। ହିନ୍ଦୁସେନା ନାଁରେ ଏକ ସଂଗଠନ ଗଢ଼ି ସେ ପୈାର ନିର୍ବାଚନ ଜରିଆରେ ରାଜଧାନୀରେ ରାଜନୀତି କରିବ ବୋଲି ଭିତିରି ଚର୍ଚ୍ଚା ଚାଲିଥିଲା। ଏମିତିକି ଏକ ଜାତୀୟ ଦଳର ଜଣେ ନେତାଙ୍କ ସମର୍ଥନ ତା’ ପଛରେ ଥିବା ଆଲୋଚନା ହେଉଥିଲା। ତେଣୁ ରାଜଧାନୀର ରାଜନୀତି ଅପରାଧିକରଣ ହେବାକୁ ଯାଉଛି ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଠିକ୍‌ ସେତିକିବେଳେ କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ଅଭିଯାନରେ ରାଜା ଛନ୍ଦି ହୋଇଗଲା। ଦାଦାବଟି ମାଗୁଥିବା ଅଭିଯୋଗ ପାଇବା ମାତ୍ରେ ପୁଲିସ ତାକୁ ଗିରଫ କରିଥିଲା। ପରେ ପରେ ତା ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରାଗଲା। ତେଣୁ ‌ସେ ରାଜନୀତିରେ ପାଦ ଥାପିବା ପୂର୍ବରୁ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଲୋକେ ଆଶ୍ବସ୍ତ ହୋଇଥିଲେ। ମାତ୍ର ଆଜି ତା ବ୍ୟାନର୍‌ ପୁଣି ପୁରୁଣା ଚର୍ଚ୍ଚାକୁ ନୂଆ ଜୀବନ ଦେଇଛି। ଏହି ବ୍ୟାନର୍‌ ହିନ୍ଦୁସେନାର ହୁଙ୍କାର ବୋଲି ଶୁଣିବାକୁ ମିଳୁଛି।

ରାଜାର ଏହି ଯୋଜନା କେତେଦୂର ଫଳବତୀ ହେବ, ତାହା ସମୟ କହିବ। କିନ୍ତୁ ଓଡ଼ିଶାରେ ଏଭଳି ବ୍ୟକ୍ତିବି‌ଶେଷଙ୍କ ରାଜନୀତି ପୂର୍ବରୁ ସଫଳ ହୋଇନାହିଁ। ପୂର୍ବରୁ ଟିଟୋ ଓ ଡି’ ବ୍ରଦର୍ସ ରାଜନୀତିରେ ପାଦ ଥାପିବାକୁ ଯାଇ ବର୍ବାଦ ହୋଇ ସାରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ବଳଦେବଜୀଉ ଶ୍ରମିକ ସଂଗଠନ ନାଁରେ ଟିଟୋ କେନ୍ଦ୍ରାପଡ଼ାରେ ଏକ ବିରାଟ ଶୋଭାଯାତ୍ରା କରିଥିଲା। ତାକୁ ପ୍ରଥମେ ବିଜେଡି ଓ ପରେ ବିଜେପିର ବୋଲି ଆଲୋଚନା ହୋଇଥିଲା। ତେବେ ୨୦୧୭ରେ ସେ ଗିରଫ ହେବା ପରେ ଏହି ଚର୍ଚ୍ଚା ଲିଭି ଯାଇଥିଲା। ସେହିପରି କଟକର ଦୁର୍ଦ୍ଦାନ୍ତ ଡନ୍ ଧଳସାମନ୍ତ ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ ମଧ୍ୟ ରାଜନୀତିରେ ସକ୍ରିୟ ରହିଥିଲେ। କଟକରେ ଶହ ଶହ ଯୁବକଙ୍କୁ ନେଇ ବିରାଟ ସଂଗଠନ ତିଆରି କରିଥିଲେ। ତତ୍କାଳୀନ ବିଜେଡି କର୍ପୋରେଟର ତଥା ପ୍ରମୁଖ ସହଯୋଗୀ ରଞ୍ଜିତା ବିଶ୍ବାଳ ମଧ୍ୟ ଉକ୍ତ ସଂଗଠନ କଥା ବୁଝାଶୁଝା କରୁଥିଲେ। ତାଙ୍କ ସଂଗଠନର ବାର୍ଷିକ କାର୍ଯ୍ୟକ୍ରମରେ ବିଜେଡି ଓ ବିଜେପିର ହେଭିୱେଟ୍‌ମାନେ ଯୋଗ ଦେଉଥିଲେ। କିନ୍ତୁ ୨୦୧୬ ଜାନୁଆରିରେ ଦୁଇ ଭାଇ ଗିରଫ ହେବା ପରେ ସବୁ ଚର୍ଚ୍ଚା ଚୁଲିକୁ ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର