ଭୁବନେଶ୍ୱର: ‘ଦାଦାବଟିକୁ ନା’ ମିସନକୁ ନେଇ କମିସନରେଟ୍ ପୁଲିସ ଦିନକୁ ଦିନ ଅଧିକରୁ ଅଧିକ କଠୋର ହେଉଛି। ଏହି ମିସନରେ ଗିରଫ ହେଉଥିବା ଅଭିଯୁକ୍ତଙ୍କ ବିରୋଧରେ ୧୧୦ ଓ ଜାତୀୟ ନିରାପତ୍ତା ଆଇନ(ଏନ୍ଏସ୍ଏ) ଭଳି ସଂଗିନ୍ ଦଫା ଲଗାଇବାକୁ ଯୋଜନା କରାଯାଉଛି। ଏହି ଯୋଜନାର ପ୍ରଥମ ଶିକାର ହୋଇଥିବା ଗ୍ୟାଙ୍ଗ୍ଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ କମିସନରେଟ୍ ପୁଲିସ ୧୧୦ ଦଫା ଲଗାଇ ସାରିଛି। ରାଜା ଜଣେ ଅଭ୍ୟାସଗତ ଅପରାଧି ହୋଇଥିବାବେଳେ ତା’ ନାମରେ ୫୦ରୁ ଊର୍ଦ୍ଧ୍ବ ଅପରାଧ ମାମଲା ରହିଛି। ପ୍ରାୟ ସବୁ ଅପରାଧଗୁଡ଼ିକ ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇଛନ୍ତି। ଏଣୁ ତା’ ବିରୋଧରେ ଏହି ଦଫା ଲାଗିଛି। ତେବେ ଏତିକିରେ କାର୍ଯ୍ୟାନୁଷ୍ଠାନ ସରିନାହିଁ, ତା’ ବିରୋଧରେ ଏନ୍ଏସ୍ଏ ଲାଗୁ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଏନ୍ଏସ୍ଏ ଲାଗିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
କେବଳ ରାଜା ଆଚାର୍ଯ୍ୟ ନୁହେଁ, ବରଂ ଏଭଳି ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବାକୁ ଯୋଜନା ହୋଇଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟରେ ଥାନାର ‘ହାଜିରା’ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସୂଚନା ମୁତାବକ, ଅନେକ ସମୟରେ ଅଭିଯୁକ୍ତମାନେ ଜାମିନ୍ରେ ଆସି ଅପରାଧ ଘଟାଉଛନ୍ତି। ଜାମିନ୍ରେ ଆସିବାବେଳେ ସେମାନଙ୍କ ପାଇଁ ରହିଥିବା ସର୍ତ୍ତକୁ ଖିଲାପ କରୁଛନ୍ତି। ବିଶେଷକରି ନିୟମିତ ଥାନାରେ ହାଜିରା ଦେବା ସର୍ତ୍ତକୁ ଅଭିଯୁକ୍ତମାନେ ଖିଲାପ କରୁଛନ୍ତି। ହାଜିରା ବ୍ୟବସ୍ଥା କଡ଼ାକଡ଼ି ହେଉନଥିବାରୁ ଅପରାଧୀଙ୍କ ଉପରେ ପୁଲିସ ନଜର ରହୁନାହିଁ। ଏଣୁ ଅପରାଧୀମାନେ ମୁକୁଳିବା ପରେ ପୁଣି ସେହି ଅପରାଧରେ ମାତିଯାଉଛି। ଏବେ ହାଜିରା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଜାମିନ୍ରେ ଆସୁଥିବା ଅଭିଯୁକ୍ତଙ୍କ ଗତିବିଧି ଉପରେ ମଧ୍ୟ କଡ଼ା ନଜର ରଖିବାକୁ ଥାନାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅପରାଧୀ ହାଜିରା ନ ଦେଲେ ପୁଲିସ ତା’ ଘରକୁ ଯାଇ ନଜର ରଖିବାକୁ କୁହାଯାଇଛି।
ଉଲ୍ଲେଖନୀୟ, ଗତ ୧୯ ତାରିଖରେ ଆରମ୍ଭ ହୋଇଥିବା ‘ଦାଦାବଟିକୁ ନା’ ମିସନ୍ରେ ଅଦ୍ୟାବଧି କମିସନରେଟ୍ ପୁଲିସର ଆଣ୍ଟି ଏକ୍ସଟର୍ସନ ସ୍କ୍ବାଡ୍ ଟ୍ବିନ୍ ସିଟିରେ ୨୪ ଜଣଙ୍କୁ ଗିରଫ କରିଛି। ଏଥିପାଇଁ ୧୫ ମାମଲା ରୁଜୁ ହୋଇଛି। କଟକରେ ୭ ମାମଲା ରୁଜୁ ହୋଇଥିବା ବେଳେ ୧୧ ଜଣ ଗିରଫ ହୋଇଛନ୍ତି। ଭୁବନେଶ୍ବରରେ ୮ ମାମଲା ରୁଜୁ ହୋଇଥିବା ବେଳେ ୧୩ ଜଣ ଗିରଫ ହୋଇଛନ୍ତି।