ରାୟଗଡ଼ା: ରାୟଗଡା ନିକଟସ୍ଥ ଏକ ନିପଟ୍ଟ ଆଦିବାସୀ ଗାଁରେ ଅଙ୍କୁର ଫାଉଣ୍ଡେସନ ତରଫରୁ ରଜପର୍ବ ପାଳନ କରାଯାଇଛି। ଆଡ଼ପତିଗୁଡା ଗ୍ରାମକୁ ନିଜର ପୌଷ୍ୟ ଗ୍ରାମ ରୂପେ ଅଙ୍କୁର ଫାଉଣ୍ଡେସନ ଗ୍ରହଣ କରି ସେହି ଗ୍ରାମର ଆଦିବାସୀପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦେବା ସହ ବୃକ୍ଷରୋପଣ ନେଇ ସଚେତନ କରାଉଛି। ରଜପର୍ବ ଅବସରରେ ବୁଧବାର ସଂପାଦିକା ଚିନ୍ମୟୀ ପଣ୍ଡା ଆଡ଼ପତିଗୁଡା ଗ୍ରାମରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ଜେକେ ପେପର ମିଲର କର୍ମକର୍ତ୍ତାଙ୍କ ମଧ୍ୟରୁ ହରିହର ଖମାରି ଏବଂ ମିଲନ ଲେଙ୍କା ଯୋଗ ଦେଇଥିଲେ। ଫାଉଣ୍ଡେସନ ତରଫରୁ ଗ୍ରାମର ପିଲାମାନଙ୍କ ପାଇଁ ଆଇଡି କାର୍ଡ ସହ ସେମାନଙ୍କର ପାଠ ପଢାର ସମସ୍ତ ଜିନିଷ ପ୍ରଦାନ କରାଯାଇଥିଲା।

Advertisment

publive-image

ସେହିପରି ଜେକେ ପେପର ମିଲ ତରଫରୁ ମଧ୍ୟ ପିଲାଙ୍କୁ ବ୍ୟାଗ, ଖାତା, କଲମ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏହି ଗ୍ରାମରେ ଅଙ୍କୁର ଫାଉଣ୍ଡେସନ ଏକ ସ୍କୁଲ ଖୋଲି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛି। ଏହି ଗ୍ରାମର ତ୍ରିନାଥ ହୁଇକା ମଧ୍ୟ ମାଗଣାରେ ପିଲାଙ୍କୁ ପାଠ ପଢାଉଛନ୍ତି। ସ୍ଥାନୀୟ ଏକ ଗଛରେ ଦୋଳି ବନ୍ଧାଯାଇ ପିଲାଙ୍କୁ ଦୋଳି ଝୁଲିବାର ମଜା ଦିଆଯାଇଥିଲା। ପିଲାମାନେ କିପରି ଖୁସିରେ ରହିବେ ସେନେଇ ସଂସ୍ଥା ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହି ପିଲାମାନେ କେବେ ମଧ୍ୟ ରଜ ପର୍ବ କଣ ଜାଣିନଥିଲେ।

publive-image

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ସମସ୍ତ ଶିଶୁ ସ୍କୁଲରେ ଏବଂ ଘରେ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଥିଲେ। ଓଡ଼ିଆ ଭାଷା ଜାଣିନଥିଲେ। କିନ୍ତୁ ଏହି ସଂସ୍ଥା ଏହି ଗ୍ରାମକୁ ପୌଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପରେ ପିଲାମାନେ ଆଉ ତେଲୁଗୁ ଭାଷାରେ କଥାବାର୍ତ୍ତା ହେଉନାହାନ୍ତି। ସମସ୍ତେ ଓଡ଼ିଆରେ ହିଁ ସ୍କୁଲରେ ଏବଂ ଘରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା, ଯାହା ଏକ ବଡ ପରିବର୍ତ୍ତନ।