କରୋନା ନିୟମକୁ ନ ଭାଙ୍ଗି ବି କରିହେବ ରଜ ମଉଜ

ଭୁବନେଶ୍ୱର: ‘ବୋଉ ମତେ ଜଲଦି ସଜେଇ ଦେ, ରୋଜି ପା ତୋଟାରେ ଦୋଳିରେ ଝୁଲିବଣି’ | ସବୁ ଥର ବୋଉକୁ ଏମିତି କହିଆସୁଥିବା କୁମାରୀ ଝିଅଙ୍କ ପାଇଁ ଏଥର ରଜ ଟିକେ ଭିନ୍ନ ହୋଇପାରେ | କିନ୍ତୁ ଫିକା ପଡ଼ିବନି ରଜ ମଉଜ, କାରଣ ବାଉଁଶ ଦୋଳି ନଥିବ ସତ କିନ୍ତୁ କରୋନା ଭୟ ବି ନଥିବ | ତେବେ ଘରେ ରହି ବି କେମିତି ରଜ ପରିବେଶ କରିହେବ ସେ କଥା ଦେଖାଇଛନ୍ତି କିଛି ଓଡ଼ିଆ ବୋହୁ | ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡ଼ିଆ ବୋହୂମାନେ ଏଭଳି ଢଙ୍ଗରେ ରଜ ପାଳିଛନ୍ତି |


ମନରେ ରଜ ଉତ୍ସାହ ସାଙ୍ଗକୁ ଅଳ୍ପ ଲାଜ | ଆଖିରେ କଜଳ, ମଥାରେ ସିନ୍ଦୁର, ସହ ପାଦରେ ଅଳତା | ଘରୁ ନ ବାହାରିକି ବି ରଜ ପର୍ବକୁ ଅନୁଭବ କରିଛନ୍ତି | ରଜର ବାଉଁଶ ଦୋଳି, ପୋଡପିଠା ନାହିଁ ସତ କିନ୍ତୁ ସ୍ମୃତି ଏବେ ବି ଉଜାଗର ଅଛି | ଠିକ ସେଥିପାଇଁ ତ କାହିଁ କେତେ ଦୂରରେ ଥିଲେ ବି ଭିନ୍ନ ଢଙ୍ଗରେ ରଜ ପାଳିବାକୁ ଭୁଲିନାହାନ୍ତି |

କରୋନା ସଂକ୍ରମଣକୁ ଦେଖି ଭାରତ ସହ ଆମେରିକା ଇଟାଲୀରେ ଥିବା ଓଡ଼ିଆଣୀମାନେ ରଜ ମଉଜରେ ଝୁମିଛନ୍ତି | ଦୋଳି ଓ କୋଳାକୋଳି ଛଡା ମାତୃଜାତି ଓ ମାଟିକୁ ସମ୍ମାନ ସହ ଜାତିର ସ୍ୱାଭିମାନକୁ ସ୍ମରଣ କରାଇଦେଇଛି ଏଥର ରଜ | ହାଲକା ବର୍ଷା ଭିଜା ସାଙ୍ଗକୁ ଏକାଠି ହୋଇ ଖେଳିବା ଅପେକ୍ଷା କରୋନାକୁ ହରାଇବାର ବାର୍ତ୍ତା ଦେଇଛନ୍ତି ପ୍ରବାସୀ ଓଡ଼ିଆ ବୋହୁ |

ସମ୍ବନ୍ଧିତ ଖବର