୧୯ ଘଣ୍ଟା ପରେ ମିଳିଲା ରାଜାର ମୃତଦେହ: ଶୋକରେ ଡୁବିଲା ରାଜଧାନୀ

ପ୍ରଖର ସୁଅରେ ୭ କିଲୋମିଟର ଭାସି ଯାଇଥିଲା ରାଜା, ପଞ୍ଚସଖାନଗର ନିକଟ ନାଳର ବାଉଁଶ ବୁଦାରେ ଲାଗିଥିଲା

ଏମ୍ସରେ ପଛବାଟ ଦେଇ ଶବ ନେଲା ବେଳେ ଉତ୍ତେଜନା
ଆମ୍ବୁଲାନ୍ସ ଡ୍ରାଇଭରକୁ ଉତ୍ତ୍ୟକ୍ତ ଲୋକଙ୍କ ଠେଲାପେଲା
ଲୁହରେ ଭିଜିଲା ଢିପସାହି, ସ୍ବର୍ଗଦ୍ବାରରେ ଶେଷକୃତ୍ୟ
ଧାରଣା ଦେଲା କଂଗ୍ରେସ, ବିକ୍ଷୋଭ କଲା ବିଜେପି

ଭୁବନେଶ୍ବର : ବରମୁଣ୍ଡାର ଶତାବ୍ଦୀନଗର ଡ୍ରେନରେ ଭାସି ଯାଇଥିବା ୧୫ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ଓରଫ୍‌ ରାଜା ବଞ୍ଚିଛି କି? ପ୍ରଖର ସୁଅରେ ଭାସି ଯାଇଥିବା ରାଜା କେଉଁଠି ଅଚେତ ଅବସ୍ଥାରେ ପଡ଼ିନି ତ? ରବିବାର ଅପରାହ୍ନଠାରୁ ପରିବାର ଲୋକଙ୍କ ସମେତ ରାଜଧାନୀବାସୀଙ୍କ ମନରେ ଏମିତି ପ୍ରଶ୍ନ ଉଙ୍କି ମାରୁଥିଲା। ସମସ୍ତେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ ରାଜା ଜୀବିତ ଅବସ୍ଥାରେ ମିଳିଯାଆନ୍ତି କି! କିନ୍ତୁ ବିଧିର ବିଧାନ ଥିଲା ଯନ୍ତ୍ରଣାଦାୟକ। ରାଜା ‌ଡ୍ରେନ୍‌ରେ ଭାସି ଯାଇ ନିଖୋଜ ହେବାର ପ୍ରାୟ ୧୯ ଘଣ୍ଟା ପରେ ସୋମବାର ପୂର୍ବାହ୍ନ ୧୧ଟାରେ ସେହି ଦୁଃଖଦ ଖବର ଆସିଲା। ଡୁମୁଡୁମା ପଞ୍ଚସଖାନଗର ନିକଟ ନାଳରେ ଏକ ବାଉଁଶ ବୁଦା ନିକଟରୁ ଲାଖିଥିବା ରାଜାର ମୃତଦେହକୁ ଠାବ କଲେ ଅଗ୍ନିଶମ କର୍ମଚାରୀ। ଏ ଖବର ସମସ୍ତଙ୍କୁ ଦୁଃଖରେ ମ୍ରିୟମାଣ କରିଦେବା ସହ ପୂରା ରାଜଧାନୀକୁ ସ୍ତବ୍ଧ କରି ଦେଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସ ନିଆ ଯାଇଥିବା ଖବର ପାଇ ଶହଶହ ଲୋକ ସେଠାରେ ରୁଣ୍ଡ ହୋଇଗଲେ। ଶବ ଚିହ୍ନଟ ପାଇଁ ସେଠାରେ ପହଞ୍ଚିଥିବା ରାଜାର ମାଉସୀ ଓ ଅନ୍ୟ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ରୁଣ୍ଡ ହୋଇଥିବା ଲୋକଙ୍କ କ୍ରୋଧ ଓ ଆକ୍ରୋଶ ଯୋଗୁଁ ତୀବ୍ର ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ଏପରିକି ରାଜାର ଶବକୁ ଏମ୍ସରୁ ବାହାର କରି ଢିପସାହି ସ୍ଥିତ ଘର ପର୍ଯ୍ୟନ୍ତ ନେବା ଲାଗି ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।

 

ରବିବାର ପୂର୍ବାହ୍ନ ସାଢ଼େ ୧୧ଟାରୁ ପ୍ରାୟ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରାଜଧାନୀରେ ମୁଷଳ ଧାରାରେ ବର୍ଷା ହେବାରୁ ରାସ୍ତା‌ଘାଟ ଓ ନାଳନର୍ଦ୍ଦମ‌ାରେ ବର୍ଷା ପାଣିର ସୁଅ ଛୁଟିଥିଲା। ବର୍ଷା ଛାଡ଼ିବାର ଅଳ୍ପ ସମୟ ପରେ ସଂସ୍କୃତ ଶିକ୍ଷକଙ୍କ ଘରକୁ ଟ୍ୟୁସନ ଯିବା ଲାଗି ସାଇକେଲରେ ବାହାରି ଯାଇଥିଲା। ତେବେ ଶତାବ୍ଦୀନଗରର ଏହି ମୁକୁଳା ନାଳ ନିକଟରେ ଛକି ବସିଥିଲା କାଳ। ଅପରାହ୍ନ ପ୍ରାୟ ୨ଟାବେଳେ ରାଜା ସାଇକେଲରୁ ପଡ଼ି ରାଜା ପାଣିସୁଅରେ ଭାସିଯିବା ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁଅ ଛୁଟିଥିଲା। ଅଗ୍ନିଶମ ବାହିନୀ, ପୁଲିସକୁ ନେଇ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍। ପାଖାପାଖି ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଜାଖୋଜି ପରେ ବି ରାଜାକୁ ଠାବ କରାଯାଇ ପାରିନଥିଲା। ରାତି ହୋଇ ଯିବାରୁ ଅପରେସନ୍ ବନ୍ଦ ରହିଥିଲା।

ସୋମବାର ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ଗଣ୍ଡମୁଣ୍ଡା ନିକଟରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ପାଖରୁ ଡ୍ରେନ୍ ଦୁଇ ଭାଗ ହୋଇ ଯାଇଥିବା ବେଳେ ପ୍ରଥମେ ବାମ ପଟ ଖୋଜା ଚାଲିଥିଲା। ସେଠାରେ କୌଣସି ପତ୍ତା ନ ମିଳିବାରୁ ଡାହଣ ପାର୍ଶ୍ବରେ ଖୋଜା ଆରମ୍ଭ ହୋଇଥିଲା। ଶେଷରେ ଘଟଣାସ୍ଥଳଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ୮ ନମ୍ବର ମୁଖ୍ୟ ଡ୍ରେନର ପଞ୍ଚଶଖାନଗରଠାରେ ଏକ ବାଉଁଶ ବୁଦା ମୂଳରୁ ରାଜାର ମୃତଦେହ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧା ଅଗ୍ନିଶମ ବାହିନୀକୁ ଏହି ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ପୁଲିସ ମୃତଦେହକୁ ଏମ୍ସ ନେଇଥିଲା। ସେଠାରେ ରାଜାର ବାପା ହୃଷୀକେଶ, ମଉସା, ମାଉସୀ ଓ ଅନ୍ୟ କିଛି ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏମିତିକି ମୃତଦେହ ଚିହ୍ନଟ କରିବା ସମୟରେ ରାଜାର ମାଉସୀ ଅଚେତ ହୋଇ ପଡ଼ିଥିଲେ। ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ପାଣି ଛିଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ହସ୍ପିଟାଲରେ ଜମା ହୋଇଥିବା ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଅଘଟଣ ପାଇଁ ବିଏମ୍‌ସିକୁ ଦାୟୀ କରି ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ତେଣୁ ହସ୍ପିଟାଲରୁ ଶବ ବାହାର କରି ଘର ପର୍ଯ୍ୟନ୍ତ ନେବା ଲାଗି ପୁଲିସ ପାଇଁ କାଠିକର ପାଠ ହୋଇଥିଲା।


ଶବ ବ୍ୟବଚ୍ଛେଦ ଗୃହରେ ରାଜାର ମୃତଦେହ ଥିବା ବେଳେ ଏକ ଆମ୍ବୁଲାନ୍ସରେ ତାଙ୍କ ମଉସା, ମାଉସୀ ବସିଥିଲେ। ହସ୍ପିଟାଲର ସମ୍ମୁଖ ଭାଗ ଫାଟକ ନିକଟରେ ଗାଡ଼ି ରହିଥିବା ବେଳେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଏକ ଦଳ ଆମ୍ବୁଲାନ୍ସ ଆଗରେ ଧାରଣାରେ ବସିଥିଲେ। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ପୁଲିସ ମୃତଦେହକୁ ଅନ୍ୟ ଏକ ଆମ୍ବୁଲାନ୍ସ ଶବ ବ୍ୟବଚ୍ଛେଦ ଗୃହ ପଛପାଖରେ ଥିବା ଫାଟକ ଦେଇ ନେଇ ଯାଉଥିବା ସମୟରେ କିଛି ସ୍ଥାନୀୟ ଲୋକ ଏହା ଦେଖି ରାସ୍ତା ଓଗାଳିଥିଲେ। ଏପରିକି ସେମାନେ ଆମ୍ବୁଲାନ୍ସ ଅଟକାଇ ଡ୍ରାଇଭରଙ୍କୁ ଟଣାଟଣି କରିବା ସହ ଗାଡ଼ି ନ ଛାଡ଼ିବା ଦାବିରେ ଜିଦ୍ ଧରି ବସିଥିଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପଛ ଗାଡ଼ିରେ ଥିବା ଖଣ୍ଡଗିରି ଥାନା ଅଧିକାରୀ, ଏସିପି ଓ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରାସ୍ତାରୁ ହଟାଇଥିଲେ। ଏହା ପରେ ଶବ ନେଇ ଆମ୍ବୁଲାନ୍ସ ଯିବା ସହ ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ଗାଡ଼ିରେ ରାଜାର ବାପା ହୃଷୀକେଶଙ୍କୁ ଧରି ପଛେପଛେ ଯାଇଥିଲେ।

ଢିପସାହିରେ ମୃତଦେହ ପହଞ୍ଚିବା ପରେ ଲୋକାରଣ୍ୟ ହୋଇ ପଡ଼ିଥିବା ଅଞ୍ଚଳ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପୁଅକୁ ହରାଇଥିବା ମା’ କାନ୍ଦିକାନ୍ଦି ଥରକୁ ଥର ଅଚେତ ହୋଇ ପଡ଼ୁଥିଲେ। ରାଜାର ସାନ ଭାଇ ଅବୋଧ ଶିଶୁଟି ମା’ ଆଖିରୁ ଲୁହ ପୋଛିବା ଦୃଶ୍ୟ ଏତେ ଦୁଃଖଦାୟକ ଥିଲା ଯେ ତାହା ଭାଷାରେ ବି ବର୍ଣ୍ଣନା କରିବା କଷ୍ଟକର। ଖାଲି ଯେ ପରିବାର ଲୋକ ତା ନୁହଁନ୍ତି; ସମସ୍ତଙ୍କର ଅତି ପ୍ରିୟ ରାଜାକୁ ହରାଇ ସାଙ୍ଗସାଥୀ, ପଡ଼ୋଶୀ, ସମ୍ପର୍କୀୟ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ନିଜର କୋହ ସମ୍ଭାଳି ପାରି ନ ଥିଲେ। ସମସ୍ତଙ୍କ ଆଖିରୁ ଧାରଧାର ହୋଇ ଲୁହ ବୋହି ଯାଉଥିଲା। ଏମିତି ଶୋକାକୁଳ ପରିବେଶରେ ଶେଷ ଦର୍ଶନ ସରିବାର ପ୍ରାୟ ଘଣ୍ଟାଏ ପରେ ସ୍ବର୍ଗଦ୍ବାର ଅଭିମୁଖେ ବାହାରିଥିଲା ମୃତଦେହ। ସାଙ୍ଗରେ ସମ୍ପର୍କୀୟମାନେ ଯାଇଥିବା ବେଳେ ଅପରାହ୍ନରେ ଶେଷକୃତ୍ୟ ହୋଇଥିଲା।

୪ ଲକ୍ଷ ଟଙ୍କାର ସହାୟତା, ଜାତୀୟ ମାନବାଧିକାର କମିସନରେ ଅଭିଯୋଗ
ଭୁବନେଶ୍ବର : ଓଡ଼ିଶା ରିଲିଫ୍ କୋଡ୍ ବ୍ୟବସ୍ଥା ଅନୁଯାୟୀ ମୃତ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଗତରାତିରେ ମୃତକଙ୍କ ପରିବାରକୁ ସାକ୍ଷାତ କରି ମନ୍ତ୍ରୀ ଶ୍ରୀ ପଣ୍ଡା ସମବେଦନା ଜଣାଇବା ସହ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ରାଜାଙ୍କ ମୃତଦେହ ମିଳିବା ପରେ ସେ ୪ ଲକ୍ଷ ଟଙ୍କା ସହାୟତା ବିଷୟରେ ଘୋଷଣା କରିଥିଲେ। ସେହିପରି ରାଜା ମୃତ୍ୟୁ ଘଟଣାରେ ବିଜେପି ଓ କଂଗ୍ରେସର ବିକ୍ଷୋଭ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ଏମ୍‌ସରେ ଶବ ବ୍ୟବଚ୍ଛେଦ ବେଳେ ସେ ଗଣମାଧ୍ୟମକୁ କହିଥିଲେ ଯେ ଏହା ଏକ ଦୁର୍ଘଟଣା। କେତେବେଳେ କାହା ସହ ଦୁର୍ଘଟଣା ଘଟିବ, ତାହା କହିବା ମୁସ୍କିଲ। କେମିତି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା, ତାହାର ଅନୁଧ୍ୟାନ ହେବା ଆବଶ୍ୟକତା ରହିଛି। ତେବେ ଏହା ନିଶ୍ଚିତ ବଡ଼ ଦୁଃଖଦାୟକ ଘଟଣା। ସମସ୍ତଙ୍କୁ ଏହି ଘଟଣା ଗଭୀର ଆଘାତ ଦେଇଛି।

ଅନ୍ୟପକ୍ଷରେରାଜଧାନୀରେ ଘଟିଥିବା ଏହି ଅଘଟଣ ନେଇ ଜାତୀୟ ମାନବାଧିକା କମିସନ(ଏନ୍‌ଏଚ୍‌ଆର୍‌ସି)ରେ ଅଭିଯୋଗ ହୋଇଛି। ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେବାକୁ କମିସନକୁ ନିବେଦନ କରିଛନ୍ତି। ଏଥିରେ ସେ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର