କୋଣାର୍କ : ଆଜି କୋଣାର୍କ ରଜ ଉତ୍ସବର ଦ୍ୱିତୀୟ ଦିବସରେ ଭଗବତୀ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା। ପୀଠରେ ସମବେତ ମହିଳା, ଯୁବତୀ, କିଶୋରୀ ଓ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁଚିଖେଳ ଓ ହୁଳହୁଳି ଧ୍ବନିରେ ଭଗବତୀ ପୀଠ ଦୁଲୁକି ଉଠିଥିଲା। ପାନଭଙ୍ଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମହିଳାମାନେ ନିଜେ ପାନ ଖାଇବା ସହିତ ଅନ୍ୟମାନଙ୍କୁ ପାନ ଖୁଆଇଥିଲେ। ଅତୀତରେ ଝିଅ ବାହାହୋଇ ଶାଶୂଘରକୁ ଯିବା ସମୟରେ କାନ୍ଦୁଥିବା କାନ୍ଦଣାକୁ ମହିଳାମାନେ ବାହୁନି ବାହୁନି କାନ୍ଦିବା ସମୟରେ ଉପସ୍ଥିତ ଥିବା ଦର୍ଶକଙ୍କ ଆଖି ମଧ୍ୟ ଲୁହରେ ଜକେଇ ପଡ଼ିଥିବା ଦେଖାଯାଇଥିଲା।
ବିଶେଷ କରି କୋଣାର୍କ ନାଟ୍ୟମଣ୍ଡପର କୁନି କଳାକାର କିର୍ତ୍ତୀକା ନାୟକଙ୍କ ନୃତ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ରଜ ଉତ୍ସବ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଆଜି ଅତିଥି ଓ ଆୟୋଜକମାନେ ପୀଠରେ ବୃକ୍ଷରୋପଣ କରିଥିଲେ। ରଜ ଉତ୍ସବର ଆୟୋଜକ ଅର୍କଶ୍ରୀର ସମ୍ପାଦକ ଉମେଶ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମାରୋହରେ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ୍ଏ ଶାହା ଆନସାରୀ, ସମାଜସେବୀ ପ୍ରଶାନ୍ତ କୁମାର ମହାନ୍ତି, କବି ଜୟନ୍ତ କୁମାର ପାଣିଗ୍ରାହୀ, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ବାନରସେନାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ନିଶିଗନ୍ଧା ଅନୁଷ୍ଠାନର ବଳରାମ ତରାଇଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତାପ ରାଉତ ମଞ୍ଚ ସଂଯୋଜନା କରିଥିବା ବେଳେ ସୁରେଶ ସ୍ୱାଇଁ, ଲିଙ୍ଗରାଜ ନାୟକ, ପଞ୍ଚାନନ ବରାଳ, ଅଜୟ ପାତ୍ର ଓ ଅର୍କଶ୍ରୀର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/konark-2.jpg)