‘ବନସ୍ତେ ଡାକିଲା ଗଜ…ଆସିଲା ରଜ’ ହେଲେ କରୋନା ରଜକୁ କରି ଦେଲା ରଙ୍ଗହୀନ

କରୋନା ଆତଙ୍କ ଯୋଗୁଁ ନା ହେଲା ସଜବାଜ, ନା ଦୋଳିଖେଳ, ନା ତାସଖେଳ, ନା ପାନଖଣ୍ଡେ ଖିଆ...

ଭୁବନେଶ୍ୱର: ରଜ ହେଉଛି ଓଡ଼ିଶାର ଗଣପର୍ବ। ଏକ କୃଷିଭିତ୍ତିକ ପର୍ବ ହେଲେ ବି ରାଜ୍ୟର ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ରଜ ପାଳିତ ହୋଇଥାଏ ମହା ଧୂମଧାମରେ। ବିଶେଷ ଭାବେ ରଜ ଅବସରରେ ରାଜ୍ୟର ଗାଁ ଗଣ୍ଡା ହୋଇ ଉଠିଥାଏ ଉତ୍ସବମୁଖର। ରଜ ହେଉଛି ଏକମାତ୍ର ପର୍ବ ଯାହାକି ଦୁର୍ଗାପୂଜା ପରେ ପାଳିତ ହୋଇଥାଏ କ୍ରମାଗତ ଭାବେ ଲଗାତାର ୩ ଦିନ ଧରି। ସହରକୁ ବା ଅନ୍ୟ ରାଜ୍ୟକୁ କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ ଯାଇଥିବା ଗାଁ ପୁଅ ଫେରିଆସେ ଗାଁକୁ ଏଇ ରଜ ସମୟରେ। ଗ୍ରାମାଂଚଳର ଲୋକମାନେ ଏଇ ରଜ ୩ ଦିନ ସମସ୍ତ କାମରୁ ଛୁଟି ନେଇ ଖେଳକୁଦ ଖିଆପିଆରେ ମାତି ଉଠନ୍ତି। ତାସ୍‌ ପାଲି ମାଡ଼ରେ କମ୍ପିଉଠେ ଗାଁ ଦାଣ୍ଡ। ଗପସପରେ ମାତି ଯାଇଥାନ୍ତି ପିଲାଠାରୁ ବୁଢା ସମସ୍ତେ।

ଘରେ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରଜ ଅବସରରେ ନୂଆ ପୋଷାକ ହେବା ସହ ଘରେ ପିଠାପଣା ପ୍ରସ୍ତୁତ ହୋଇ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ରଜ ପର୍ବ। ରଜ ପର୍ବର ସବୁଠୁ ଗୁରୁତ୍ୱପୂର୍ଣ୍ଣ ୨ଟି ଜିନିଷ ହେଲା ରଜ ପାନ ଓ ରଜ ଦୋଳି। ପାନ ଚୋବାଉ ନଥିବା ଲୋକ ମଧ୍ୟ ରଜ କାଳରେ ରଜ ପାନ ଖାଇବାକୁ ଆଗ୍ରହ ପ୍ରକାଶ କରିଥାଏ। ସେହିପରି ପ୍ରତି ଗାଁ ମୁଣ୍ଡ ଠାରୁ ଆରମ୍ଭ କରି ଆମ୍ବ ତୋଟାରେ ଦେଖିବାକୁ ମିଳେ ରଜ ଦୋଳି। ଗାଁର ଝିଅ ବୋହୂମାନେ ରଜ ଦୋଳି ଖେଳି ରଜ ଗୀତ ଗାଇ ରଜର ଭରପୁର ମଜା ଉଠାଇଥାନ୍ତି।

ହେଲେ, କରୋନା ବା କୋଭିଡ-୧୯ ମହାମାରୀ ଚଳିତ ବର୍ଷ ରାଜ୍ୟରେ ରଜ ମାହୋଲକୁ କରି ଦେଇଛି ସଂପୂର୍ଣ୍ଣ ଫିକା। ଯଦିଓ ଅନେକ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ୟରେ ରଜ ଅବସରରେ ମୌସୁମୀ ଆସି ରାଜ୍ୟକୁ ଭିଜାଇ ଦେବା ସହ ତମାମ ରାଜ୍ୟରେ ରଜ ପାଗ ଦେଖିବାକୁ ମିଳିଛି ତଥାପି ରଜର ଉଦ୍ଦୀପନା କିନ୍ତୁ ଲୋକଙ୍କ ଭିତରେ ନାହିଁ। କରୋନା ମହାମାରୀ ଜନିତ ଏକ ଅଜଣା ଆତଙ୍କ ରାଜ୍ୟର ଗାଁ ଗଣ୍ଡା ସହର-ବଜାର ସବୁକୁ ଆବୋରି ବସିଛି। ଏଥିରେ ପୁଣି କରୋନା ପ୍ରତିଷେଧକ କାରଣରୁ ପାନ ଚୋବାଇବା ମନା, ଛେପ ପକାଇବା ବି ମନା। ଆଉ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ସଂଘବଦ୍ଧ ହୋଇ ରଜଦୋଳି ଖେଳିବା ଉପରେ ବି ଲାଗିଛି ଅଙ୍କୁଶ। ତେଣୁ ରଜ ଆସିଛି ତା’ବାଟରେ, ଚାଲି ବି ଯିବ ତା’ବାଟରେ । କେହି ବି ଉଠେଇ ପାରିବେନି ତିନି ଦିନିଆ ରଜ ମଉଜର ମଜା।

ସମ୍ବନ୍ଧିତ ଖବର