ଭୁବନେଶ୍ବର: କଳିଙ୍ଗ ସ୍ୱରାଜ ଫାଉଣ୍ଡେସନ୍ ଆନୁକୂଲ୍ୟରେ ପୁଣେ ଏରଣ୍ଡାୱଣାସ୍ଥିତ ଲୋକଶାହି ଅନ୍ନାଭାଉ ସାଠେ ରଙ୍ଗମଣ୍ଡପଠାରେ ରଜ ମହୋତ୍ସବ-୨୦୨୫ ଧୁମ୍ଧାମ୍ରେ ପାଳିତ ହୋଇଛି। ଏହି ଉତ୍ସବରେ ୮୦୦ ପ୍ରବାସୀ ଓଡ଼ିଆ ଯୋଗ ଦେଇ ଓଡ଼ିଶାର ଗଣପର୍ବ ରଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ଉତ୍ସବକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓଡ଼ିଶା ବାହାରେ ଓଡ଼ିଆ ପରମ୍ପରା, ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ଆୟୋଜକଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ବାହାରେ ରହୁଥିଲେ ମଧ୍ୟ ଓଡ଼ିଆ ଭାଇଭଉଣୀ ସେମାନଙ୍କର ସାଂସ୍କୃତିକ ମହାନତାକୁ ଭୁଲିନାହାନ୍ତି, ଏହି କାର୍ଯ୍ୟକ୍ରମ ତାର ଜ୍ବଳନ୍ତ ଦୃଷ୍ଟାନ୍ତ। ବିବିଧତା ସତ୍ତ୍ବେ ଏହା ଆମ ସମସ୍ତଙ୍କୁ ଭାବଗତ ସଂପର୍କରେ ବାନ୍ଧିରଖିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଅବସରରେ ଓଡ଼ିଆ କୁଇଜ୍ ଓ ରଜ କୁଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ଦୋଳି ଖେଳ, ଓଡ଼ିଆ ପିଠାପଣାର ସମ୍ଭାର ସାଙ୍ଗକୁ ସ୍ବତନ୍ତ୍ର ସେଲ୍ଫି ପଏଣ୍ଟର ଆନନ୍ଦ ନେଇଥିଲେ ପ୍ରବାସୀ ଓଡ଼ିଆ। ‘ଟୁର୍ ଅଫ୍ ଓଡ଼ିଆ ଡେଲିକେସିଜ୍’ରେ ପୋଡ଼ ପିଠା, ଚକୁଳି ପିଠା, କାକରା, ଡାଲମା ସହିତ ବିଭିନ୍ନ ସ୍ବାଦିଷ୍ଟ ଓଡ଼ିଆ ଭୋଜନର ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଅରବିନ୍ଦ ଜେଜେଙ୍କ ବ୍ୟଙ୍ଗ ଆସର, ରାଜୁ ଦାସ ଓ ତାଙ୍କ ଟିମ୍ ଦ୍ବାରା ପରିବେଷିତ କମେଡି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ୍ କରିଥିଲା। ବଙ୍କିମ ପଟେଲ୍ ଓ ସ୍ମୃତିମୟୀ ମହାପାତ୍ରଙ୍କ ସୁମଧୁର ଗୀତ ଏବଂ ଓଡ଼ିଆ ଡିଜେ ଉପସ୍ଥିତ ଦର୍ଶକମାନଙ୍କୁ ମତୁଆଲା କରିଥିଲା। କଳିଙ୍ଗ ସ୍ୱରାଜ ଫାଉଣ୍ଡେସନ୍ର ଏହି ମହୋତ୍ସବକୁ ସମସ୍ତେ ଭରପୂର ଉପଭୋଗ କରିଥିଲେ।