ପୂର୍ବତଟ ରେଳପଥ ସୁରକ୍ଷା ବଳର ନୂତନ ନିରାପତ୍ତା ଆୟୁକ୍ତ

ଭୁବନେଶ୍ବର : ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ରାଜା ରାମ ଯୋଗ ଦେଇଛନ୍ତି। ସେ ୧୯୮୮ର ଭାରତୀୟ ସିଭିଲ୍‌ ସେବା ଅଧିକାରୀ। ଏହାପୂର୍ବରୁ ଶ୍ରୀ ରାଜାରାମ ଉତ୍ତରପୂର୍ବ ରେଳପଥ ଗୋରଖପୁରଠାରେ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ। ସେ ରେଳବାଇ ବୋର୍ଡରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ରେଳବାଇରେ ଅପରାଧ ଅନ୍ୱେଷଣ କ୍ଷେତ୍ରରେ ଦକ୍ଷତା ରହିଛି।

ଶ୍ରୀ ରାଜାରାମ ମଧ୍ୟ ଲକ୍ଷ୍ନୌଠାରେ ଆର୍‌ଡିଏସଓ ଓ ହାଜିପୁରସ୍ଥିତ ପୂର୍ବ କେନ୍ଦ୍ରୀୟ ରେଳପଥର ମୁଖ୍ୟ ନିରାପତ୍ତା ଆୟୁକ୍ତ, ଲକ୍ଷ୍ନୌସ୍ଥିତ ରେଳବାଇ ସୁରକ୍ଷା ବଳ ଏକାଡେମିର ନିର୍ଦେଶକ ଓ ଦକ୍ଷିଣ ପୂର୍ବ ରେଳପଥ, ପୂର୍ବତଟ ରେଳପଥ ଓ ପୂର୍ବ ସୀମାନ୍ତ ରେଳପଥରେ ରେଳବାଇ ସୁରକ୍ଷା ବଳର ବହୁ ପଦପଦବିରେ ରହି କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୨ରେ ଭାରତୀୟ ପୁଲିସ ସେବା, ୨୦୦୪ରେ ରେଳବାଇ ସୁରକ୍ଷା ବଳ ମହାନିର୍ଦେଶକଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ଏବଂ ମହାପ୍ରବନ୍ଧକଙ୍କ ପକ୍ଷରୁ ଅନେକ ଥର ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର