ରାଜା ରାମମୋହନ ରାୟ ପାଠାଗାର ପରିଯୋଜନାରେ ବହି କିଣା ପ୍ରହସନ

୨ ବର୍ଷର ବହି ଗ୍ରହଣ ହୋଇନି, ଆଉ ଦୁଇବର୍ଷ ପାଇଁ କିଣିବାକୁ ବିଜ୍ଞପ୍ତି

ଭୁବନେଶ୍ବର: ରାଜା ରାମମୋହନ ରାୟ ପାଠାଗାର ସଂସ୍ଥା ପରିଯୋଜନାରେ ପୁସ୍ତକ କିଣାଯାଉଛି। ମାତ୍ର ବହି ପାଠାଗାରରେ ପହଞ୍ଚୁ ନାହିଁ। ଗୋଟିଏ ପଟେ ସରକାରୀସ୍ତରରେ ନିଷ୍କ୍ରିୟତା ଏବଂ ଅନ୍ୟ ପଟେ ପାଠାଗାରଗୁଡ଼ିକର ବହି ନେବାକୁ ଅନାଗ୍ରହ ଯୋଗୁଁ ଷ୍ଟୋର୍‌ ରୁମରେ ବହି ବର୍ଷବର୍ଷ ଧରି ପଡ଼ି ରହିଛି। ବିଡ଼ମ୍ବନା ଏହି ଯେ ୨୦୧୬-୧୭ ଓ ୨୦୧୭-୧୮ ମସିହା ନିମନ୍ତେ ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ବହି ଚୟନ ସରି ମଧ୍ୟ ତାହା ଅଦ୍ୟାବଧି ଲେଖକ କିମ୍ବା ପ୍ରକାଶକଙ୍କଠାରୁ ଗ୍ରହଣ କରାଯାଇନାହିଁ। ଅଥଚ ୨୦୧୮-୧୯ ଓ ୨୦୧୯-୨୦ ମସିହା ପାଇଁ ପୁସ୍ତକ କ୍ରୟ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ବିଜ୍ଞାପନ ଜରିଆରେ ନୂଆ ଲେଖକ ଓ ପ୍ରକାଶକଙ୍କୁ ସାମିଲ୍‌ କରିବାରେ ସମସ୍ୟା ନାହିଁ। ମାତ୍ର ପୂର୍ବ ବର୍ଷଗୁଡ଼ିକର ବାକିଆ ପୁସ୍ତକ ଗ୍ରହଣ କାମ କାହିଁକି କରୁନାହିଁ ବୋଲି ଲେଖକ ଓ ପ୍ରକାଶକମାନେ ପ୍ରଶ୍ନ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୫-୧୬ରେ ପାଖାପାଖି ୯୦୦ ପାଠାଗାରକୁ ଏହି ଯୋଜନାରେ ଆସିଥିବା ବହି ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ଲକ୍ଷାଧିକ ସଂଖ୍ୟାରେ ବହି କିଣା ଯାଇଥିଲା। ତେବେ ୯୦୦ ପାଠାଗାର ମଧ୍ୟରୁ ପ୍ରାୟ ୨୫୦ ପାଠାଗାର ହିଁ ବହି ନେଇଥିଲେ। ଯୋଜନା ମୁତାବକ, ପ୍ରତ୍ୟେକ ପାଠାଗାରକୁ ୨ଶହରୁ ଅଧିକ ବହି ପ୍ରଦାନ କରାଯାଇଥିଲା। ତେଣୁ ହିସାବ ମୁତାବକ ଏବେ ମଧ୍ୟ ଲକ୍ଷାଧିକ ବହି ଷ୍ଟୋର ରୁମ୍‌ରେ ଗଚ୍ଛିତ ହୋଇ ରହିଛି। ହେଲେ ତାକୁ ଏପର୍ଯ୍ୟନ୍ତ ସମସ୍ତ ପାଠାଗାରକୁ ଯୋଗାଇବାର ବ୍ୟବସ୍ଥା କରାଯାଉ ନାହିଁ।
ଚଳିତ ବର୍ଷ ମଧ୍ୟ ସାଧାରଣ ଓ ଶିଶୁ ବିଭାଗରେ ବହି ଆହ୍ବାନ କରାଯାଇଛି। ସହରାଞ୍ଚଳର ୩ଶହ ଓ ଗ୍ରାମାଞ୍ଚଳର ୩ଶହ ପାଠାଗାରକୁ ବହି ଯୋଗାଇ ଦେବାକୁ ରାଜ୍ୟ ପାଠାଗାର କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ତେଣୁ ଏଥର ମଧ୍ୟ ପ୍ରତି ପାଠାଗାରକୁ ଯଦି ୨ଶହ କିମ୍ବା ତା’ଠୁ ଅଧିକ ବହି ଯୋଗାଇ ଦିଆଯାଏ, ତାହା ବି ଲକ୍ଷାଧିକ ସଂଖ୍ୟାରେ ହେବ। ଦୁଇ ବର୍ଷ ପାଇଁ ପୁସ୍ତକ କ୍ରୟ ନିମନ୍ତେ ବହି ଆହ୍ବାନ କରାଯାଇଥିବାରୁ ଏହା ଦ୍ବିଗୁଣିତ ହେବ। ତେଣୁ ସଂସ୍କୃତି ବିଭାଗ କେବଳ ବହି ସଂଗ୍ରହ କରି ଷ୍ଟୋର୍‌ ରୁମରେ ମହଜୁଦ କରିବା ଅପେକ୍ଷା ବହିଗୁଡ଼ିକ ପାଠାଗାର ପାଖରେ ପହଞ୍ଚାଇବା ଦାୟିତ୍ବ ନେଉ ବୋଲି ସାହିତ୍ୟିକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର