ଭୁବନେଶ୍ବର : ୨୦୧୬-୧୭ ମସିହାରେ ବହି ଚୟନ କରାଗଲା। କେଉଁ ପ୍ରକାଶକଙ୍କ କେଉଁ ବହି କିଣା ହେବ, ତାହାର ତାଲିକା ପ୍ରସ୍ତୁତ କରାଗଲା। କିନ୍ତୁ ପ୍ରକାଶକଙ୍କୁ କିଣିବା ପାଇଁ କ୍ରୟାଦେଶ ଦିଆଗଲା ୨୦୨୩-୨୪ ମସିହାରେ, ଅର୍ଥାତ ୭ ବର୍ଷ ପରେ। ବିଡ଼ମ୍ବନାର ବିଷୟ ହେଲା ଯେ ୭ ବର୍ଷ ତଳର ପୁରୁଣା ଦରରେ ଏବେ ବହି କିଣାଯିବ, ତାହା ପୁଣି ୩୦% ରିହାତିରେ। ଏମିତି ଏକ ଅଭାବନୀୟ କଥା ଦେଖିବାକୁ ମିଳିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜା ରାମମୋହନ ରାୟ ପାଠାଗାର ପ୍ରତିଷ୍ଠାନ ଯୋଜନାରେ। ଏହାକୁ ନେଇ ପ୍ରକାଶକ ଓ ଲେଖକଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Advertisment

ପୁରୁଣା ଦରରେ ବହି ଯୋଗାଣ ନେଇ ଚିନ୍ତାରେ ପ୍ରକାଶକ
ସଂସ୍କୃତି ବିଭାଗ ରିହାତି ବ୍ୟବସ୍ଥା ଉଠାଇବାକୁ ଦାବି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜା ରାମମୋହନ ରାୟ ପାଠାଗାର ପ୍ରତିଷ୍ଠାନ ଯୋଜନାରେ ପ୍ରତି ବର୍ଷ ବହି କିଣାଯାଏ। ଏହି କାମ ପାଇଁ ସାହିତ୍ୟ ଏକାଡେମିକୁ ଦାୟିତ୍ବ ଦିଆଯାଇଛି। ଏକ କମିଟି ବସି ବହି ଚୟନ କରିଥାଏ। ଯେଉଁ ବର୍ଷ ବହି କିଣିବାକୁ ବିଜ୍ଞପ୍ତି ପ୍ରକାଶ ପାଏ, ତାହାର ପୂର୍ବ ତିନି ବର୍ଷ ଭିତରେ ପ୍ରକାଶ ପାଇଥିବା ବହି ହିଁ ଚୟନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥାଏ। ୨୦୧୬-୧୭ ମସିହା ଠାରୁ ଏହି ଯୋଜନାରେ ବହି କିଣାଯାଇ ନାହିଁ। ବିଭିନ୍ନ ବର୍ଷ ବହି ଚୟନ କରାଯାଇଥିଲେ ବି ପ୍ରକାଶକଙ୍କ ଠାରୁ କିଣାଯାଇ ନାହିଁ। ଚଳିତ ମାସରେ ୨୦୧୬-୧୭ ମସିହାରେ ମନୋନୀତ ହୋଇଥିବା ବହିଗୁଡ଼ିକୁ କିଣିବା ପାଇଁ ପ୍ରକାଶକମାନଙ୍କୁ ସାହିତ୍ୟ ଏକାଡେମି ପକ୍ଷରୁ କ୍ରୟାଦେଶ ଦିଆଯାଇଛି। ମେ’ ମାସରେ ପ୍ରକାଶକମାନେ ବହିଗୁଡ଼ିକୁ ଦାଖଲ କରିବେ। ଏଥିରେ ପ୍ରକାଶକମାନଙ୍କୁ ମନୋନୀତ ବହି ଉପରେ ୩୦% ରିହାତି ଦେବାକୁ କୁହାଯାଇଛି। ବିନା ରିହାତିରେ କୌଣସି ବହି ନିଆଯିବ ନାହିଁ।

publive-image LibraryScience.in

ଏହାକୁ ନେଇ ପ୍ରକାଶକମାନେ ଘୋର ଆପତ୍ତି ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ୨୦୧୬-୧୭ ମସିହାରେ ଯେଉଁ ବହିଗୁଡ଼ିକ ଚୟନ ହୋଇଥିଲା, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଏବେ ପ୍ରକାଶକଙ୍କ ପାଖରେ ମହଜୁଦ୍ ନ ଥିବ। ସେହି ବର୍ଷ ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ ମସିହାର ବହି ଚୟନ କରାଯାଇଥିଲା। ବିଭାଗ ପକ୍ଷରୁ ଏବେ ପ୍ରତି ବହି ୨୦୦ରୁ ୩୦୦ ଖଣ୍ଡ ପର୍ଯ୍ୟନ୍ତ କ୍ରୟାଦେଶ ଦିଆଯାଇଛି। ଯେଉଁ ବହିଟି ୨୦୧୪-୧୫ରେ ଛପା ହୋଇଥିବ, ସେହି ବହିର ୨୦୦ ଖଣ୍ଡ ୯ ବର୍ଷ ପରେ ପ୍ରକାଶକଙ୍କ ପାଖରେ ନ ଥିବା ସ୍ବାଭାବିକ। ତେଣୁ ଏବେ ପ୍ରକାଶକମାନଙ୍କୁ ପୁନର୍ବାର ଛାପିବାକୁ ପଡ଼ିବ। କିନ୍ତୁ ୭ ବର୍ଷ ତଳେ ବହିଗୁଡ଼ିକର ଛପା ମୂଲ୍ୟ ଯାହା ଥିଲା, ଏବେ ତାହା ବହୁଗୁଣିତ ହୋଇଗଲାଣି। ସେତେବେଳେ ବହିର ଦର ଯାହା ଧାର୍ଯ୍ୟ କରାଯାଇଥିଲା, ସେହି ଦରରେ ବହି ଛାପି ଯୋଗାଇବା ସମ୍ଭବ ନୁହେଁ। ପୁଣି ତାହା ଉପରେ ୩୦% ରିହାତି ବି ଦେବାକୁ କୁହାଯାଉଛି। ଏହି ପରିପ୍ରେକ୍ଷୀ‌ରେ ବହି ଯୋଗାଣ କିପରି ସମ୍ଭବ ହେବ ବୋଲି ପ୍ରକାଶକମାନେ ପ୍ରଶ୍ନ କରିଛନ୍ତି। କେବଳ ବିଭାଗ ତାହାର ଦାୟିତ୍ବ ସାରିଦେବାକୁ ଏମିତି ଅର୍ଡର୍‌ ଦେଇଛି ବୋଲି ସେମାନେ ଅଭିଯୋଗ କହିଛନ୍ତି। ଏସମ୍ପର୍କରେ ବିଭାଗରେ ଅଭିଯୋଗ ହୋଇଥିଲେ ବି କିଛି ପଦକ୍ଷେପ ନିଆଯାଇ ନାହିଁ। ଯଦି ବିଭାଗ ପକ୍ଷରୁ ୩୦% ରିହାତି ବ୍ୟବସ୍ଥା ଉଠାଇ ଦିଆଯାଆନ୍ତା, ତେବେ ପ୍ରକାଶକମାନେ କିଛି ମାତ୍ରାରେ ଆଶ୍ବସ୍ତ ହୁଅନ୍ତେ।

publive-image Twitter

ବହି କିଣାରେ ଅହେତୁକ ବିଳମ୍ବରେ ସମ୍ପର୍କରେ ଯେଉଁ କାରଣ ଦେଖାଯାଉଛି, ତାହା ଆହୁରି ଚିନ୍ତାଜନକ। ସାଧାରଣତଃ ବିଭାଗ ପକ୍ଷରୁ ବହି କିଣିଲା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପାଠାଗାରକୁ ମାଗଣାରେ ପଠାଯାଏ। ରାଜା ରାମ‌ମୋହନ ରାୟ ପାଠାଗାର ଯୋଜନାରେ ଅନୁବନ୍ଧିତ ପାଠାଗାରଗୁଡ଼ିକୁ ହିଁ ଦିଆଯାଏ। ଏହି ପାଠାଗାରଗୁଡ଼ିକ ବିଭାଗରୁ ନିଜେ ଆସି ବହି ନେଇଯା’ନ୍ତି। କିନ୍ତୁ ୨୦୧୬-୧୭ ପୂର୍ବ ୩/୪ ବର୍ଷରେ ବହି କିଣାଯାଇଥିଲେ ମଧ୍ୟ ପାଠାଗାରକୁ ପଠାଯାଇ ନାହିଁ। ସଂସ୍କୃତି ବିଭାଗର କିଛି ପ୍ରକୋଷ୍ଠରେ ବହିଗୁଡ଼ିକ ଗଦା ହୋଇରହିଛି। ନା ପାଠାଗାରଗୁଡ଼ିକ ନିଜେ ଆଗ୍ରହ ପ୍ରକାଶ କରି ନେଇଛନ୍ତି ନା ବିଭାଗ ପକ୍ଷରୁ ବହି ପଠାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି। ଯେହେତୁ ବହି ରଖିବାକୁ ବିଭାଗ ନିକଟରେ ଜାଗାର ଅଭାବ ଥିଲା, ତେଣୁ ୨୦୧୬-୧୭ ପରେ ବହି ଚୟନ କରାଯାଉଥିଲେ ମଧ୍ୟ ଆଉ କିଣାଯାଉ ନଥିଲା। ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ବିଭାଗ ପକ୍ଷରୁ ଲମ୍ବା ସମୟ ଧରି ମାନସ ମନ୍ଥନ ଚାଲିଥିଲା ବେଳେ ୨୦୨୦ରେ କରୋନା ଆସିଗଲା। ଫଳରେ ଏହି ପ୍ରକ୍ରିୟା ଆହୁରି ଧିମେଇ ଗଲା। ବହି କିଣା ଏକ ପ୍ରକାର ଠପ୍ ହୋଇଗଲା।

ପୂର୍ବରୁ ରାଜା ରାଜମୋହନ ରାୟ ପାଠାଗାର ଯୋଜନାରେ ଅନୁବନ୍ଧିତ ପାଠାଗାର ସଂଖ୍ୟା ପାଖାପାଖି ୯୦୦ ଥିଲା। କିନ୍ତୁ ଧୀରେ ଧୀରେ ଏହି ପାଠାଗାରଗୁଡ଼ିକରେ ତାଲା ଝୁଲିଲାଣି। ସଂସ୍କୃତି ବିଭାଗ ପକ୍ଷରୁ ନିକଟରେ ଏ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ୫୦୦ରୁ ଅଧିକ ପାଠାଗାରର ଆଦୌ ସ୍ଥିତି ହିଁ ନାହିଁ। ନା ବହି ଅଛି ନା ଘର ଅଛି। ପ୍ରାୟ ୩୫୦ ପାଠାଗାର ସଚଳ ଅଛି। ସେହି ପାଠାଗାରଗୁଡ଼ିକୁ ବହି ପଠାଇବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ୨୦୧୬-୧୭ ପୂର୍ବରୁ ଯେଉଁ ବହିଗୁଡ଼ିକ କିଣା‌ ହୋଇ ସଂସ୍କୃତି ଭବନରେ ଗଦା ହୋଇଥିଲା, ସେଗୁଡ଼ିକୁ ଏବେ ଏହି ପାଠାଗାରଗୁଡ଼ିକୁ ପଠାଚାଲିଛି। ୨୦୧୬-୧୭ ବହି କିଣା ପାଇଁ ଏବେ କ୍ରୟାଦେଶ ଦିଆଯାଇଛି। ତାହା ପରେ ପରବର୍ତ୍ତୀ ବର୍ଷଗୁଡ଼ିକର କ୍ରୟାଦେଶ ଦିଆଯିବ ବୋଲି ଜଣାପଡ଼ିଛି।