ଖୋର୍ଦ୍ଧା: ଓଡ଼ିଶାର ଜଣାଶୁଣା ସମାଜବାଦୀ ନେତା, ପୂର୍ବତନ ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ ରବି ରାୟଙ୍କ ନାମରେ ରାଜଧାନୀ ଭୁବନେଶ୍ବରରେ ଥିବା ରାଜଧାନୀ ମହାବିଦ୍ୟାଳୟକୁ ନାମିତ କରିବାକୁ ଖୋର୍ଦ୍ଧାର ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ, ପ୍ରାଧ୍ୟାପକ ପ୍ରମୁଖ ଦାବି କରିଛନ୍ତି ।
ଏନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏଥିରେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଦେବ ପ୍ରସାଦ ମଜୁମଦାର, ପ୍ରମୋଦ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁକାନ୍ତ କୁମାର ନାୟକ, ସୌମ୍ୟାଶ୍ରୀ ପ୍ରିୟଦର୍ଶନୀ, ଡ ସନ୍ତୋଷ କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରଧ୍ୟାପକ ଗୋପାଳକୃଷ୍ଣ ଦାସ ପ୍ରମୁଖ ସ୍ବାକ୍ଷର କରିଛନ୍ତି। ସ୍ମାରକପତ୍ର ସମ୍ପର୍କରେ ମେଜର ମହାନ୍ତି କହିଛନ୍ତି ଯେ ରବି ରାୟ ଓଡ଼ିଶା ପାଇଁ ଏକ ସମ୍ମାନାସ୍ପଦ ବ୍ୟକ୍ତିତ୍ବ। ତାଙ୍କର ସ୍ମୃତି ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା କଥା। ରବି ରାୟ ରେଭେନ୍ସା ମହାବିଦ୍ୟାଳୟ ଛାତ୍ର ସଂସଦର ଦୁଇ ଦୁଇ ଥର ସଭାପତି ଥିଲେ। ଛାତ୍ର ଜୀବନରୁ ସେ ଜଣେ ସଫଳ ରାଜନେତା ଥିଲେ। ଏଭଳି ଏକ ବ୍ୟକ୍ତିତ୍ବର ସ୍ମୃତିରେ ରାଜଧାନୀ ମହାବିଦ୍ୟାଳୟକୁ ନାମିତ କଲେ ପରବର୍ତୀ ପିଢ଼ି ତାଙ୍କ ସମ୍ପର୍କରେ ଜାଣିବେ, ନଚେତ ସେ ଲୋକଲୋଚନରୁ ହଜି ଯିବେ।