ଅଗ୍ନିକାଣ୍ଡ ପରେ ଚାଲିଲା ରାଜଧାନୀ ଏକ୍ସପ୍ରେସ୍‌, ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଜେନେରେଟର ବଗିରେ ଗତି କରିବ

ଭୁବନେଶ୍ୱର: ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିବା ଫଳରେ ଟ୍ରେନ୍‌ଟି ଦୀର୍ଘ ସମୟ ଧରି ବାଲେଶ୍ୱରର ଖନ୍ତାପଡ଼ା ନିକଟସ୍ଥ ଖଣ୍ଡରିଆ ପୋଲ ନିକଟରେ ଅଟକି ରହିବା ପରେ ଏବେ ଯାତ୍ରା ଆରମ୍ଭ କରିଛି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜେନେରେଟର ବଗିଟିକୁ ଟ୍ରେନ୍‌ରୁ କାଢ଼ି ଦେବା ପରେ ଟ୍ରେନ୍‌ଟି ଚାଲିବା ଆରମ୍ଭ କରିଛି। ଏହି ଟ୍ରେନ୍‌ରେ ୨ଟି ଜେନେରେଟର୍‌ ବଗି ଥିବା ହେତୁ ବିଶେଷ ଭାବେ କ୍ଷତିଗ୍ରସ୍ତ ବଗିଟିକୁ କାଢ଼ି ଦିଆଯାଇଛି। ଏବେ ଟ୍ରେନ୍‌ଟି ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଜେନେରେଟର ବଗି ସହାୟତାରେ ଚାଲିବ। ଯାତ୍ରୀମାନେ ଥିବା ବଗିରେ କୌଣସି କ୍ଷତି ଘଟି ନାହିଁ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଟ୍ରେନ୍‌ଟି ସଂପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ। ଟ୍ରେନ୍‌ଟିରେ ଅଗ୍ନିକାଣ୍ଡ ଘଟିବା ପରେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ବିଦ୍ୟୁତ୍‌ ସଂଯୋଗକୁ କିିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା। ଖଡ଼ଗପୁର ଡିଭିଜନର ଏକ ଟିମ୍‌ ଟ୍ରେନ୍‌ଟିର ଅବସ୍ଥା ପରଖିବା ପରେ ଯାଇ ଟ୍ରେନ୍‌ଟି ଚାଲିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଆସୁଥିବା ବାଟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା। ବାଲେଶ୍ୱରର ଖନ୍ତାପଡ଼ା ନିକଟସ୍ଥ ଖଣ୍ଡରିଆ ପୋଲ ନିକଟରେ ରାଜଧାନୀ ଏକ୍ସପ୍ରେସଟି ନିଆଁ ଲାଗିବା ପରେ ଅଟକି ରହିଥିଲା। ନିଆଁ ପ୍ରଥମେ ପଛ ବଗି ଆଡୁ ଲାଗିଥିଲା। ଟ୍ରେନ୍‌ର ପଛ ପଟେ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଟ୍ରେନ୍‌ ମଧ୍ୟରେ ଥିବା ଯାତ୍ରୀ ଚିତ୍କାର କରିଥିଲେ। ଯାତ୍ରୀମାନେ ଚିତ୍କାର କରି ବାହାରକୁ ବାହାରି ଆସିବା ସହ ରେଳବାଇ ପୁଲିସ୍‌କୁ ଜଣାଇ ଥିଲେ। ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଆସି ନିଆଁ ଲିଭା କାମ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ପଛ ପଟରୁ ଜେନେରେଟର ଥିବା ବଗିଟିକୁ ଟ୍ରେନ୍‌ରୁ ଅଲଗା କରି ଦେଇଥିଲେ। ନିଆଁ ଲାଗି ଯିବା ପରେ ଷ୍ଟେସନ୍‌ରେ ଗାଡ଼ିଟି ଅଟକି ରହିଛି। ପାଖାପାଖି ଅଧଘଣ୍ଟା ହେଲାଣି ଏହି ଦୁର୍ଘଟଣା ଘଟିିଛି। ଘଟିଥିବା ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।

ସମ୍ବନ୍ଧିତ ଖବର