ଆର୍ଥିକ ବିକାଶର ରାହା ଦେଖାଇଛନ୍ତି ରାଜଲକ୍ଷ୍ମୀ : ୨୦ ବର୍ଷରେ ୧୦୦୦ରୁ ଅଧିକ ମହିଳା ସ୍ବାବଲମ୍ବୀ

ରା.ଉଦୟଗିରି, (ଜ୍ଞାନରଞ୍ଜନ ଷଡ଼ଙ୍ଗୀ): ଘରେ ଚାକିରିଆ ସ୍ବାମୀ। ପାଖରେ ସବୁ ସରକାରୀ ସୁବିଧା। ତଥାପି ନିଜେ ଆତ୍ମନିର୍ଭରଶୀଳ ହେବା ଅନ୍ୟ ମହିଳାଙ୍କୁ ବି ସ୍ବାବଲମ୍ବୀ କରି ସମ୍ମାନର ସହ ସମାଜରେ ବଞ୍ଚିବାର ରାହା ଦେଖାଇଛନ୍ତି ରାଜଲକ୍ଷ୍ମୀ ପ୍ରଧାନ। ମାତ୍ର ୩୦ ଟଙ୍କାରୁ ଯାତ୍ରା ଆରମ୍ଭ କରିଥିବା ରାଜଲକ୍ଷ୍ମୀ ଗତ ୨୦ ବର୍ଷ ମଧ୍ୟରେ ୧୦୦୦ରୁ ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସକ୍ଷମ ହୋଇପାରିଛନ୍ତି।

ଗଜପତି ଜିଲ୍ଲା ରା.ଉଦୟଗିରିର ବାସିନ୍ଦା ରାଜଲକ୍ଷ୍ମୀ। ନିଜ ପ୍ରଚେଷ୍ଟାରେ ‌ସେ ମା’ ବିମଳା ସ୍ବୟଂ ସହାୟିକା ଗୋଷ୍ଠୀ ତିଆରି କରିଛନ୍ତି। ସଭାନେତ୍ରୀ ସାଜି ଗ୍ରାମାଞ୍ଚଳରେ ଆର୍ଥିକ ସ୍ବାଧୀନତାର ବାଟ ଖୋଜୁଥିବା ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ୨୦୦୧‌ରେ ମାତ୍ର ୧୦ଜଣ ମହିଳାଙ୍କୁ ନେଇ ସେମାନଙ୍କଠୁ କେବଳ ୩୦ ଟଙ୍କା ଲେଖାଏଁ ପାଣ୍ଠି ସଂଗ୍ରହ କରି ନିଜ ଅଭିଯାନ ଆରମ୍ଭ କରିଥିଲେ। ଯାହାକି ୩୦ ହଜାର ଟଙ୍କାରେ ପହଞ୍ଚିଥିଲା। ଏହାପରେ ରାଜଲକ୍ଷ୍ମୀଙ୍କ ନେତୃତ୍ବରେ ଛେଳି, କୁକୁଡ଼ା ପାଳନ, କାଜୁ, ଡାଲି, ତେନ୍ତୁଳି, ବିରି ଓ ଝାଡ଼ୁ ବ୍ୟବସାୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଜଣେ ଜଣେ ସଦସ୍ୟାଙ୍କୁ ନେତୃତ୍ବ ଦେଇ ଆଉ ଗୋଟିଏ ଲେଖାଏଁ ଗୋଷ୍ଠୀ ଗଠନ କରିଥିଲେ। ପୁଣି ନୂ୍ଆ ସଦସ୍ୟାଙ୍କୁ ଦଳରେ ନେଉଥିଲେ। ତାଙ୍କ ପ୍ରେରଣାରେ ବର୍ତ୍ତମାନ ୧୦ ଜଣ ମହିଳା ନିଜେ ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ୧୦୦ରୁ ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରିସାରିଲେଣି।

ଅନ୍ୟପକ୍ଷରେ ରାଜଲକ୍ଷ୍ମୀଙ୍କ ଦଳ ଓର‌୍‌ମାସ୍‌ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରିଆସୁଛନ୍ତି। ତାଙ୍କ ଦଳର ଆଉ ଏକ ବିଶେଷତ୍ବ ହେଲା, ପ୍ରତିବର୍ଷ ସଦସ୍ୟମାନେ ନିଜ ଆୟର ଲାଭାଂଶକୁ ନିଜ ଭିତରେ ବାଣ୍ଟିନିଅନ୍ତି। ଗଜପତି ଜିଲ୍ଲାରେ ଏଭଳି ସ୍ବୟଂ ସହାୟିକା ଗୋଷ୍ଠୀ ହୁଏତ ବିରଳ। କେବଳ ସେତିକି ନୁହଁ, ରୋଗୀ ସେବାଠାରୁ ଆରମ୍ଭ କରି ଅସହାୟଙ୍କୁ ସାହାଯ୍ୟ କରିବା, ନାରୀ ନିର୍ଯାତନାକୁ ରୋକିବା, ମଦ ବିରୋଧୀ ଅଭିଯାନ ଓ ଗ୍ରାମ ସଫେଇ ଭଳି ଅନେକ ଜନହିତକର କାର୍ଯ୍ୟକ୍ରମ ରାଜଲକ୍ଷ୍ମୀଙ୍କ ନେତୃ୍ତ୍ବରେ ନିଆଯାଇଛି। ଗରିବଙ୍କୁ ବାହାଘର ଓ ବ୍ରତଘରରେ ସହାୟତାର ହାତ ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି।

ବହୁ ଘାତପ୍ରତିଘାତର ସମ୍ମୁଖୀନ ହୋଇ ସଫଳତାର ପାହାଚ ଚଢ଼ିଥିବା ରାଜଲକ୍ଷ୍ମୀଙ୍କ ଦଳରେ ବର୍ତ୍ତମାନ ୧୮ ଜଣ ସଦସ୍ୟା ଅଛନ୍ତି। ଆର୍ଥିକ ବିକାଶ ସହ ସାମାଜିକ ଦାୟିତ୍ବ‌ବୋଧମୂଳକ କାର୍ଯ୍ୟକ୍ରମକୁ ସେ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ପ୍ରୟାସ ଜାରି ରହିବ ବୋଲି ରାଜ୍ୟ ଶକ୍ତିରୂପା ମହାସ˚ଘର ରାଜ୍ୟ ଉପସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଉଥିବା ରାଜଲକ୍ଷ୍ମୀ କହିଛନ୍ତି।

ସମ୍ବନ୍ଧିତ ଖବର