କୋରାପୁଟ: ଦକ୍ଷିଣ ସିନେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି କୋରାପୁଟ ଜିଲ୍ଲା। ପୁଣି ଗୋଟିଏ ବଡ଼ ବଜେଟ୍ ସିନେମାର ସୁଟିଂ ହେବାକୁ ଯାଉଛି। ବାହୁବଳୀ, ଆର୍ଆର୍ଆର୍ ଭଳି ବ୍ଲକ୍ବଷ୍ଟର୍ ସିନେମା ଭେଟି ଦେଇଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲୀଙ୍କ ଟିମ୍ କୋରାପୁଟ ପହଞ୍ଚି ସାରିଛି। ଆଉ କିଛି ଦିନ ପରେ ସାଉଥ୍ ସୁପରଷ୍ଟାର୍ ମହେଶବାବୁ ଏବଂ ବଲିଉଡ୍ ଅଭିେନେତ୍ରୀ ପ୍ରିୟଙ୍କା ଚୋପ୍ରା ସୁଟିଂ ପାଇଁ କୋରାପୁଟ ଆସିବେ ବୋଲି ସୂଚନା ମିଳିଛି। ପାଖାପାଖି ୧୦୦୦ ହଜାର କୋଟି ଟଙ୍କାର ବଜେଟ୍ରେ ନିର୍ଦ୍ଦେଶକ ରାଜାମୌଲୀ ସିନେମା ‘ଏସ୍ଏସ୍ଏମ୍ବି୨୯’ ନିର୍ମାଣ କରୁଛନ୍ତି।
ଆକ୍ସନ ଏବଂ ଜଙ୍ଗଲ ଆଡ୍ଭେଞ୍ଜର୍ ଭିତ୍ତିକ ସିନେମା ନିମନ୍ତେ ରାଜମୌଲୀଙ୍କ ଟିମ୍ର କିଛି ସଦସ୍ୟ ଉପଯୁକ୍ତ ସ୍ଥାନ ସନ୍ଧାନ କରୁଥିଲେ। କୋରାପୁଟ ଜିଲ୍ଲାର ଉଚ୍ଚ ପାହାଡ଼ ଏବଂ ସବୁଜିମା ଟିମ୍କୁ ବିଭୋର କରିଥିଲା। ଏହାପରେ ନିଜେ ରାଜାମୌଲୀ ସାଇଟ୍ ଭିଜିଟ୍ କରିଥିଲେ। ଶେଷରେ କୋରାପୁଟ ଜିଲ୍ଲାରେ ସିନେମାର କିଛି ଅଂଶ ସୁଟିଂ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଥିଲା। ଆସନ୍ତା ୨୮ତାରିଖରୁ ସିନେମାର ସୁଟିଂ ଆରମ୍ଭ ହେବ ବୋଳି ସୂଚନା ମିଳିଛି। ତେଣୁ ୫୦୦ ଜଣିଆ ଟିମ୍ କୋରାପୁଟ ଆସି ଡେରା ପକାଇଛନ୍ତି। ଦେଓମାଳି, ତଳମାଳି, ମାଛକୁଣ୍ଡ ଆଦି ଅଞ୍ଚଳରେ ସିନେମାର ସୁଟିଂ ହେବ। ପ୍ରଥମ ପର୍ଯ୍ୟାୟ ସୁଟିଂ ତଳମାଳି ଅଞ୍ଚଳରେ ହେଉଥିବାରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ସେମିଳିଗୁଡ଼ା ଅଞ୍ଚଳର ହୋଟେଲ୍ଗୁଡିକ ସଂପୂର୍ଣ୍ଣ ରୂପେ ବୁକିଂ ହୋଇଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପୂର୍ବରୁ ବି ଅନେକ ସାଉଥ୍ ଚଳଚ୍ଚିତ୍ର କୋରାପୁଟ ଜିଲ୍ଲାରେ ସୁଟିଂ ହୋଇସାରିଛି। ଏହି ସିନେମାଗୁଡ଼ିକ ବକ୍ସ ଅଫିସ୍ରେ ଧୁମ୍ ମଚାଇଛି। ଯେମିତି ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟି ‘ଘାଟି’ ଚଳଚ୍ଚିତ୍ରର ସୁଟିଂ ନିମନ୍ତେ କୋରାପୁଟ ଆସିଥିଲେ। ପାଖାପାଖ ଗୋଟିଏ ମାସ ପର୍ଯ୍ୟନ୍ତ ଏହି ସିନେମାର ସୁଟିଂ ହୋଇଥିଲା। ସେହିପରି ସୁପରଷ୍ଟାର୍ ଭେଙ୍କଟେଶଙ୍କ ଚଳିତବର୍ଷର ସୁପରହିଟ୍ ଚଳଚ୍ଚିତ୍ର ‘ସଂକ୍ରାନ୍ତିକି ବସତୁନାମା’ର ସୁଟିଂ ମଧ୍ୟ କୋରାପୁଟ ଜିଲ୍ଲାର ବାଲଡ଼ା ଗୁମ୍ଫା ଏବଂ ଆରକୁ ରାସ୍ତାରେ ହୋଇଥିଲା।