ଭୁବନେଶ୍ୱର: ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ଆଜି ସେ ବାଚସ୍ପତିଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ଦେଇଛନ୍ତି | ତେବେ ସେ କହିଛନ୍ତି ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ | ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି | ଆଖି ଆଗରେ ନିର୍ବାଚନ ଅଛି | ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି | ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ ।

Advertisment

କୁହାଯାଉଛି ଯେ ଅନୁଗୁଳ ଜିଲ୍ଲାରେ ଦଳର ସଂଗଠନ ସେତେଟା ମଜବୁତ୍‌ ନ ଥିବା କୁହାଯାଉଛି। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି। ତେଣୁ ଅନୁଗୁଳରେ ରଜନୀକାନ୍ତ ସିଂହଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ‌ଯେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ମେ’ ମାସରେ ବାଚସ୍ପତି ପଦବିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ଦଳର ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆରୁଖଙ୍କୁ ସାମ୍ବିଧାନିକ ପଦବି ଛାଡ଼ିବାକୁ ପଡ଼ିଥିଲା।