ମୃତ୍ୟୁମୁଖରେ ପଡ଼ୁଛନ୍ତି ରାଜସ୍ଥାନୀ ଗାଈ

ସ୍ବାବଲମ୍ବୀ ଯୋଜନାରେ ଏସ୍‌ଏସ୍‌ଜିକୁ ମିଳୁଛି

ଗଞ୍ଜାମ : ରାଜ୍ୟ ସରକାରଙ୍କ ମିସନ୍ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ କରାଇବାକୁ ଗୋପାଳନ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ହେଲେ, ରାଜସ୍ଥାନରୁ ଅଣାଯାଇ ଗଞ୍ଜାମ ଜିଲ୍ଲାର ଏସ୍‌ଏଚ୍‌ଜି କ୍ଲଷ୍ଣ୍‌ଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଗାଈ ଓ ବାଛୁରୀ ଗୁଡ଼ିକ ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେବଳ ଗଞ୍ଜାମ ବ୍ଲକ୍‌ରେ।

ସୂଚନା ଅନୁସାରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତତ୍ତ୍ବାବଧାନରେ ଗଠିତ ‘ସବୁଜ ଗଞ୍ଜାମ’ କମ୍ପାନି ମାଧ୍ୟମରେ ରାଜସ୍ଥାନରୁ ଗାଈ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଲକ୍‌ର ୧୯ଟି କ୍ଲଷ୍ଟର୍‌ର ଏସ୍‌ଏଚ୍‌ଜିଙ୍କୁ ୩୯ଟି ଗାଈ ଯୋଗାଇ ଦିଆଯାଇଛି।‌ ହେଲେ, ଗତ ତିନିଦିନ ତଳେ ସନ୍ତୋଷପୁର ପଞ୍ଚାୟତର ଲାଉପୁଟୁ ଗ୍ରାମର ମହିଳା ଗୋଷ୍ଠୀ ରାଜସ୍ଥାନରୁ କଣ୍ଟେନର୍‌ରେ ଆସିଥିବା ଗାଈ ଓ ବାଛୁରୀ ଓହ୍ଲାଇବାବେଳେ ଏଗୁଡ଼ିକର ସ୍ବାସ୍ଥ୍ୟାବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇଟି ବାଛୁରୀ ଓ ଗୋଟିଏ ଗାଈ ମରିଯାଇଥିବାବେଳେ ଆଉ ଏକ ଗାଈର ଗୋଡ଼ ଭାଙ୍ଗିଯାଇଥିଲା। ଅନ୍ୟ ଗାଈ ଓ ବାଛୁରୀ ଗୁଡ଼ିକ ଅଚେତ ହୋଇ ପଡ଼ିରହିଥିଲେ। ଏହି ଗାଈ ଗୁଡ଼ିକୁ ପରିବହନ କରି ଆଣିବା ସମୟରେ ଠିକ୍ ସମୟରେ ଖାଇବାକୁ ଦିଆଯାଇ ନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ସେହିପରି ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ମଧ୍ୟ ରାଜସ୍ଥାନରୁ ଆସିଥିବା ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୩ଟି ଗାଈ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ସକାଳେ ପୁଣି ଆଉ ୩ଟି ଗାଈ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସରକାରୀ ଯୋଜନାରେ ରାଜସ୍ଥାନରୁ ଅଣାଯାଇ ଏସ୍‌ଏଚ୍‌ଜିଙ୍କୁ ଦିଆ ଯାଇଥିବା ଗାଈ ଗୁଡ଼ିକ ଏଠାକାର ପରିବେଶ ସହ ଖାପ ଖୁଆଇ ପାରୁ ନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ବିଶେଷଜ୍ଞ ଗୋପାଳକମାନେ କହୁଛନ୍ତି। ଏଭଳିକି କେତେକ ବାଛୁରୀ ମା ଗାଈକୁ ଚିହ୍ନିପାରୁ ନାହାନ୍ତି। ଫଳରେ ଏ ଯୋଜନାରୁ ଏସ୍‌ଏଚ୍‌ଜି ସଦସ୍ୟା ଲାଭବାନ୍‌ ହେବା ଓ ଏହାର ସଫଳ ରୂପାୟନ ଦେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର