ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ସୁସାହିତ୍ୟିକ, ସୁବକ୍ତା ତଥା ଜଣାଶୁଣା ଆଧ୍ୟାତ୍ମିକ ପ୍ରବଚକ ଡକ୍ଟର ରଜତ କୁମାର କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି। ରଜତ କରଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ଆସନ୍ତାକାଲି ଶେଷ ଦର୍ଶନ ହେବ। ଆସନ୍ତାକାଲି ସକାଳ ୧୦ ରଜତ କରଙ୍କ ପାର୍ଥୀବ ଶରୀର ପୁରୀ ଅଭିମୁଖେ ବାହାରିବ। ପୁରୀ ସ୍ବର୍ଗଦ୍ବାରରେ ସ୍ବର୍ଗତ ଶ୍ରୀ କରଙ୍କ ଶେଷ କୃତ୍ୟ ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି।ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଶ୍ରୀ ରଜତ କରଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ପରଲୋକ ହୋଇଥିଲା। ପୁତ୍ର ରଂଜିତ କର ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ସେ ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ତାଙ୍କୁୂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲା ମାହାଙ୍ଗାରେ ଜନ୍ମଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ୍‌ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବେଶ୍ ପରିଚିତ। ଦୀର୍ଘ ୬୨ ବର୍ଷ ଧରି ସେ ରଥଯାତ୍ରାରେ ରେଡିଓ ଓ ଟେଲିଭିଜନରେ ଉଦ୍‌ଘୋଷକ ଭାବେ ରେକର୍ଡ କରିଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶ୍ରୀ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟରତ ଥିଲେ। ସେ ବହୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଯାଇଛନ୍ତି।ଏଥିସହ ସେ ଆକାଶବାଣୀ ଓ ବିଭିନ୍ନ ଟେଲିଭିଜନ ଚାନେଲରେ ରଥଯାତ୍ରାର ଧାରା ବିବରଣୀ ଦେଇ ଓଡ଼ିଶାର ଘରେଘରେ ପରିଚିତ ଥିଲେ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଗତବର୍ଷ ନଭେମ୍ବର ମାସରେ ଆୟୋଜିତ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ବିତରଣ ସମାରୋହରେ ୬ ଜଣ ଓଡ଼ିଆ ସମ୍ମାନିତ ହୋଇଥିଲେ। ଏହି ସମାରୋହରେ ରାଷ୍ଟ୍ରପତି ରାମାନଥ କୋବିନ୍ଦ ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ଡ. ରଜତ କୁମାର କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ସାରସ୍ବତ ଜଗତରେ ଏକ ଅପୂରଣୀ୍ୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର