ଭୁବନେଶ୍ବର : ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ, ଶିକ୍ଷାବିତ, ନାଟ୍ୟକାର ପଦ୍ମଶ୍ରୀ ରଜତ କର ଆଉ ନାହାନ୍ତି। ଲକ୍ଷ ଲକ୍ଷ ପ୍ରଶଂସକ, ଗୁଣମୁଗ୍ଧ ଶ୍ରୋତା ତଥା ବାଣୀଭଣ୍ଡାରକୁ ଛାଡ଼ି ସେ ଆରପାରିକୁ ଚାଲିଯାଇଛନ୍ତି। ଶବ୍ଦକୁ ଶବ୍ଦ ଯୋଡ଼ି କାଳଜୟୀ ସାହିତ୍ୟ ସୃଷ୍ଟି କରିଥିବା ଏହି ସ୍ରଷ୍ଟାଙ୍କ କଲମ ଧରା ହାତ ଅଟକି ଯାଇଛି। ନିସ୍ତେଜ ହୋଇଯାଇଛି ସଦା ଚଳଚଞ୍ଚଳ ଶରୀର। ତାଙ୍କ ପରଲୋକରେ ଓଡ଼ିଆ ସାରସ୍ବତ ଜଗତରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଦିନତମାମ ବେଶ୍ ଚଳଚଞ୍ଚଳ ଥିଲେ ୮୮ ବର୍ଷ ବୟସ୍କ ରଜତ କର। ଅନ୍ୟ ଦିନ ପରି ରବିବାର ଦିନ ନିଜର ଦିନଚର୍ଯ୍ୟା ସକାଳୁ ଆରମ୍ଭ କରିଥିଲେ। ପୂର୍ବାହ୍ନରେ ‘କଳିଙ୍ଗ ଭାରତୀ’ ଅନୁଷ୍ଠାନ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକରେ ଯୋଗ ଦେବାକୁ ସେ କଟକ ଯାଇଥିଲେ। ସେ ଏହି ଅନୁଷ୍ଠାନର ସଭାପତି ଥିବାରୁ ତାଙ୍କରି ସଭାପତିତ୍ବରେ ମିସନ୍ ରୋଡ୍ସ୍ଥିତ ଭଞ୍ଜମଣ୍ଡପରେ ବୈଠକ ହୋଇଥିଲା। ଅନ୍ୟ କର୍ମକର୍ତ୍ତାମାନଙ୍କ ସହ ବହୁ ସମୟ ଆଲୋଚନା କରିଥିଲେ। ଏହା ପରେ ମଧ୍ୟାହ୍ନରେ ଭୁବନେଶ୍ବରସ୍ଥିତ ଘରକୁ ଫେରି ଖାଇଥିଲେ। ଭଞ୍ଜ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ କିଛି ଲୋକଙ୍କ ସହ ଫୋନ୍ କଥା ହୋଇ ବିଶ୍ରାମ ନେଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳକୁ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ସଙ୍ଗେ ସଙ୍ଗେ ପରିବାର ସଦସ୍ୟମାନେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲେ ବି ତାହା ସଫଳ ହୋଇ ନ ଥିଲା। ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଥିଲା। ଆସନ୍ତାକାଲି ସକାଳେ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ନୂଆପଲ୍ଲୀସ୍ଥିତ ବାସଭବନ ‘ଅନନ୍ୟା ନିକେତନ’କୁ ଅଣାଯିବ ଓ ପ୍ରାୟ ୧୦ଟା ବେଳେ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯିବ। ସ୍ବର୍ଗତ କରଙ୍କ ପରିବାରରେ ପୁଅ ରଞ୍ଜିତ ଓ ରାଜୀବ, ବୋହୂ ନିବେଦିତା ଓ ଗୀତା, ଝିଅ ସାଗରିକା ଓ ସମ୍ବିଦା, ଜ୍ବାଇଁ ମନ୍ମନ ପ୍ରହରାଜ ଓ ଭୁବନେଶ୍ବର ପ୍ରସାଦ ମହାପାତ୍ର, ନାତି ଅଂଶୁମାନ ଓ ନାତୁଣୀ ବୋହୂ ଦେବସ୍ମିତା ଅଛନ୍ତି। ୬ ବର୍ଷ ପୂର୍ବରୁ ଶ୍ରୀ କର ତାଙ୍କ ପତ୍ନୀ ଶାନ୍ତିଲତା କରଙ୍କୁ ହରାଇଥିଲେ।
୧୯୩୪ ଅକ୍ଟୋବର ୨ ତାରିଖ ଦିନ କଟକ ଜିଲ୍ଲାରେ କୁଳମଣି କର ଓ ଇନ୍ଦୁମତୀ ଦେବୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ରଜତ କର। ସେ ରେଭେନ୍ସା କଲେଜିଏଟ ସ୍କୁଲ୍ରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ୧୯୫୩ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୬୮ ମସିହାରେ ବିଦ୍ୟାଳୟ ନୀରିକ୍ଷକ ଭାବେ ଓଡ଼ିଶା ସରକାରଙ୍କ ଅଧୀନରେ କାମ ଆରମ୍ଭ କରିଥିଲେ। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ ଜଣେ ଦକ୍ଷ ପ୍ରଶାସକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୯୨ରେ ଏସ୍ସିଇଆଇଟିର ନିର୍ଦ୍ଦେଶକ ଥିବା ସମୟରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କର ଓଡ଼ିଶା କଳା, ସାହିତ୍ୟ, ସଂସ୍କୃତି ପ୍ରତି ଥିଲା ପ୍ରଗାଢ଼ ଅନୁରକ୍ତି। ଜଣେ ଅର୍ଥନୀତି ଛାତ୍ର ହୋଇ ମଧ୍ୟ ଓଡ଼ିଆ ଜାତିକୁ ଭଲ ପାଇ ସାହିତ୍ୟାନୁରାଗୀ ହୋଇଥିଲେ। କମ୍ ବୟସରୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଛନ୍ତି। ବିଶେଷ କରି ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଛନ୍ତି। ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୂତିରେ, ଅନ୍ଧପୁଟୁଳି, ଚନ୍ଦନ ହଜୁର, ଜଣାଣ ଜଣାଉଛି ଜଗନ୍ନାଥ, ବାଇଶି ପାବଚ୍ଛ, ବୀର ଚାଖି ଖୁଣ୍ଟିଆ ଭଳି ତାଙ୍କର କାଳଜୟୀ ସୃଷ୍ଟି ଓଡ଼ିଶାର ବାଣୀଭଣ୍ଡାରକୁ ସମୃଦ୍ଧ କରିଛି। ୧୯୫୦ ମସିହାରୁ ଭଞ୍ଜ ଜୟନ୍ତୀ ପାଳନ କରି ରାଜ୍ୟ ତଥା ରାଜ୍ୟ ବାହାରେ ଭଞ୍ଜ ସାହିତ୍ୟକୁ ଜନମାନସରେ ସେ ଭଞ୍ଜ ସାହିତ୍ୟକୁ ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୫୯ରୁ ପୁରୀ ରଥଯାତ୍ରାର ରନିଂ କମେଣ୍ଟ୍ରି ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଦୂରଦର୍ଶନ ଓ ଆକାଶବାଣୀ ସମେତ ଘରୋଇ ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଛନ୍ତି।
ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି। ଓଡ଼ିଶାରେ ହଜି ଯାଉଥିବା ପାଲା ସଂସ୍କୃତିକୁ ସେ ପୁନରୁଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀଶ ବିଳାସରେ ତାଙ୍କର ଚମତ୍କାର ଆଧାତ୍ମିକ ଉପସ୍ଥାପନା ଦର୍ଶକଙ୍କୁ ଅଭିଭୂତ କରିଥିଲା। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି। ଜୀବନରେ ଶତାଧିକ ପୁରସ୍କାର ସମ୍ବର୍ଦ୍ଧନା ତାଙ୍କୁ ମିଳିଛି। ୨୦୨୧ ମସିହାରେ ତାଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ପୁରସ୍କାରରେ ପୁରସ୍କୃତ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିର ସମର୍ପିତ ଉପାସକ ଭାବେ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ଜାରି ରଖିଥିଲେ। ସୂଚନାଯୋଗ୍ୟ ଯେ ସ୍ବର୍ଗତ କରଙ୍କ ସାନ ଭାଇ ପୂର୍ବତନ ବାଚସ୍ପତି ଶରତ କରଙ୍କର ୨୦୨୦ ଅକ୍ଟୋବରରେ ପରଲୋକ ହୋଇଥିଲା।