ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରଠାରୁ ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ ସେବାର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏହି େସବାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍ସର୍ଗ କହିଥିଲେ। ଭୁବନେଶ୍ବରରୁ ଫୁଲବାଣୀ, ରାଉରକେଲା,ଭବାନୀପାଟଣା,ଭଞ୍ଜନଗର, ରାଜଗାଙ୍ଗପୁର( ଭାୟା ସୁନ୍ଦରଗଡ଼), ରାଜ ଖରିଆର(ଭାୟା ବଲାଙ୍ଗୀର), ଗୋରୁମହିଷାଣି( ଭାୟା କରଂଜିଆ), ବୁର୍ଲା( ଭାୟା ସମ୍ବଲପୁର) ଦେଇ ଏହି ବସ ସବୁ ଯାତାୟାତ କରିବେ।

ଏହି ଅବସରରେ ନିଗମ ସୂଚନା େଦଇଛି େଯ ଖୁବ ଶୀଘ୍ର ୪ଟି ଭଲ୍‌ଭୋ ବସର ଶୁଭାରମ୍ଭ କରାଯିବ। ଏହି ବସ୍‌ଗୁଡ଼ିକ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ବର-କୋଲକାତା ଏବଂ ପାରାଦୀପଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ଯାତାୟାତ କରିବ। ମୋଟ ୨୭ଟି ବସ ୧୬ କୋଟି ଟଙ୍କା ବ୍ୟୟରେ କ୍ରୟ କରାଯାଇଛି।

ଏସବୁ ବସ୍‌ରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ମାଗଣା ୱାଇଫାଇ ସେବା, ମୋବାଇଲ ଫୋନ୍ ଚାର୍ଜିଂ, ସିସିଟିଭି କ୍ୟାମେରା, ଭେଇକିଲ ଟ୍ରାକିଂ ସହିତ ପାନୀୟ ଜଳର ବ୍ୟବସ୍ଥା ରହିଛି। ଅନ୍‌ ଲାଇନ୍‌ ମାଧ୍ୟମରେ ଯାତ୍ରୀମାନେ ଟିକେଟ୍‌ ବୁକିଂ କରି ପାରିବେ।

ପ୍ରକାଶଥାଉକି, ଏବେ ରାଜ୍ୟ ସଡ଼କ ପରିବହନ ନିଗମର ୪୨୯ଟି ବସ୍ ୩୦ଟି ଜିଲ୍ଲାରେ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ହୋଇଛି। ଏହା ଛଡ଼ା ୪୩ଟି ବସ୍ ଅନ୍ତଃ ରାଜ୍ୟ ସଡ଼କ ଦେଇ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରମୁଖ ସହରକୁ ଯାତାୟାତ କରୁଅଛି। ଆଗାମୀ ଦିନରେ ୨୫ଟି ବସ୍‌ଷ୍ଟାଣ୍ଡ୍‌ର ପୁନରୁଦ୍ଧାର ସହିତ ୫ଟି ନୂଆ ବସ୍‌ଷ୍ଟାଣ୍ଡ୍‌ର ନିର୍ମାଣ ଜୟପୁର, ବଲାଙ୍ଗୀର, ଅନୁଗୁଳ, ବାମରା, ଓ ଓଡ଼ଗାଁଠାରେ କରାଯିବ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ନୃସିଂହ ସାହୁ, ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବାଣିଜ୍ୟ ଓ ପରିବହନ ସଚିବ ଜି ଶ୍ରୀନିବାସ, ଓଏସଆରଟିସିର ପରିଚାଳନା ନି‌ର୍ଦେଶକ କେବି ସିଂହ, ସ୍ବତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର