ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇବ ଓଡ଼ିଶାର କଳା, ସଂସ୍କୃତି

ପୂର୍ବତଟ ରେଳପଥ ଓ ନାଲକୋ ମଧ୍ୟରେ ରାଜିମାନା ସ୍ବାକ୍ଷର, ୩ଟି ଥିମ୍‌ ରହିବ, ପଟ୍ଟଚିତ୍ରକୁ ବି ସ୍ଥାନିତ କରାଯିବ

ଭୁବନେଶ୍ବର : ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ବାହାର ପାର୍ଶ୍ବରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଛାପ। ଏଥିପାଇଁ ପୂର୍ବତଟ ରେଳପଥ ଓ ନାଲକୋ ମଧ୍ୟରେ ଆଜି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା କୋଚ୍‌ଗୁଡିକ ଅଧିକ ସୁନ୍ଦର ଦେଖାଯିବା ପାଇଁ ଡିଜାଇନ୍‌ଗୁଡ଼ିକୁ ଆକର୍ଷଣୀୟ ଶୈଳୀରେ ତିଆରି କରାଯାଇଛି। ଏଥିରେ ମୁଖ୍ୟତଃ ଓଡ଼ିଶାର ନୃତ୍ୟ ଶୈଳୀ, ପ୍ରତ୍ନତତ୍ତ୍ବ ପ୍ରାଚୀନ କୀର୍ତ୍ତି, ଜଙ୍ଗଲ ପରିବେଶ ଓ ଜୀବଜନ୍ତୁ ଆଦି ବିଷୟବସ୍ତୁକୁ ସ୍ଥାନିତ କରାଯିବ; ଯାହ‌ା ରାଜଧାନୀ ଏକ୍ସପ୍ରେସ୍‌ର ଶୋଭା ବୃଦ୍ଧି କରିବ।

ପୂର୍ବତଟ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ ବେହେରା କହିଛନ୍ତି ଯେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନର ସମ୍ଭାବ୍ୟ ବିକାଶକୁ ଆଗକୁ ନେବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଡିଜାଇନ୍‌ଗୁଡିକ ଟ୍ରେନ ଝରକା ଗ୍ଲାସଗୁଡିକର ମଧ୍ୟବର୍ତ୍ତୀ ସ୍ଥାନଗୁଡ଼ିକରେ ଲଗାଯିବା ସହ ଏହାର ଉପରେ ଓ ତଳେ ଦୁଇଟି ଷ୍ଟ୍ରିପରେ ବିଭିନ୍ନ ଛବି ସହ ପାରମ୍ପରିକ ପଟ୍ଟଚିତ୍ରର ସ୍ଥାନ ପାଇବ। ରାଜଧାନୀ ଏକ୍ସପ୍ରେସର ସମୁଦାୟ ୩ଟି ରେକ୍‌ ରହିଛି। ପ୍ରତ୍ୟେକ ରେକ୍‌ରେ ପ୍ରାୟ ୧୫ଟି କୋଚ୍‌ ରହିଛି। ପ୍ରତିଟି ରେକ୍‌ ପାଇଁ ଏକ କୋଟି ହିସାବରେ ନାଲକୋ ୩ଟି କୋଚ ପାଇଁ ସମୁଦାୟ ୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ପୂର୍ବତଟ ରେଳପଥକୁ ଦେବ। ଏହି କୋଚଗୁଡିକରେ ନାଲକୋର ଡିଜାଇନ ଓ ଲୋଗୋ ମଧ୍ୟ ସ୍ଥାନ ପାଇବ। ଏହି କାର୍ଯ୍ୟ ପାଇଁ ନାମକରା ସଂସ୍ଥା କାର୍ଯ୍ୟରେ ଲାଗିଛନ୍ତି। ପ୍ରାୟ ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

ରାଜିନାମା ସ୍ୱାକ୍ଷର ସମୟରେ ନାଲକୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଉଭୟ ପୂର୍ବତଟ ରେଳପଥ ଓ ନାଲକୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ପି. କେ. ସାମଲ ଓ ନାଲକୋ ଉପ ମହାପ୍ରବନ୍ଧକ ଲଲାଟେନ୍ଦୁ ଦାସ ରାଜିନାମା ସ୍ବାକ୍ଷର କରିଥିଲେ। ଏହି ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ(ପାସେଞ୍ଜର ମାର୍କେଟିଙ୍ଗ) ଏମ ଏଲ ଆଶିଷ ରାଓ, ଉପମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ(ପାସେଞ୍ଜର ସର୍ଭିସ) ଜେ ଏଲ ଜେନା, ଭୁବନେଶ୍ବରର ବରିଷ୍ଠ କୋଚିଂ ଡିପୋ ଅଧିକାରୀ ଏସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ନାଲକୋ ପକ୍ଷରୁ ନିର୍ଦେଶକ(ପ୍ରଡକ୍ସନ) ଭି.ବାଲସୁବ୍ରମଣ୍ୟମ, ନିର୍ଦେଶକ(ଏଚ୍‌ଆର୍‌) ବସନ୍ତ କୁମାର ଠାକୁର, ନିର୍ଦେଶକ(ପି ଆଣ୍ଡ ଟି) ସଞ୍ଜୀବ କୁମାର ରାୟ, ନିର୍ଦେଶକ(ବାଣିଜ୍ୟ) ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର