ସମ୍ବଲପୁର, ଅନୁଗୁଳ ଦେଇ ଚାଲିଲା ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର : ସମ୍ବଲପୁର  ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ର ଚଳାଚଳ ଆରମ୍ଭ ହୋଇଛି। ଆଜି ନୂଆଦିଲ୍ଲୀସ୍ଥିତ ରେଲ୍‌ୱେ ବୋର୍ଡରୁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦୂରସଞ୍ଚାର ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ଟ୍ରେନ୍‌ର ଚଳାଚଳର ଶୁଭାରମ୍ଭ  କରିଛନ୍ତି। ଏ ଅବସରରେ ଭୁବନେଶ୍ୱର ଷ୍ଟେସନଠାରେ ଏକତ୍ରିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାରେ ରେଳପଥର ଆନୁଷଙ୍ଗିକ ବିକାଶ ଏବଂ ଯାତ୍ରୀଙ୍କ ସୁବିଧା କ୍ଷେତ୍ରରେ ସର୍ବାଧିକ ବ୍ୟୟ ବରାଦକୁ ପ୍ରଶଂସା କରିଥିଲେ। ସମ୍ବଲପୁର ସିଟି, ଝାରସୁଗୁଡ଼ା ମଧ୍ୟଦେଇ ରାଜଧାନୀ ଏକ୍ସପ୍ରେସ୍‌ର ଯାତ୍ରା ଦ୍ୱାରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ବହୁଦିନର ଦାବି ପୂରଣ ହୋଇଥିବା ଶ୍ରୀ ପ୍ରଧାନ କହିଥିଲେ। ଓଡ଼ିଶାରେ ରେଳପଥର ବିକାଶ କ୍ଷେତ୍ରରେ ପୁଞ୍ଜିର ଅଭାବ ରହିବ ନାହିଁ ଏବଂ ଓଡ଼ିଶା ବଜେଟ୍‌ରୁ ପର୍ଯ୍ୟାପ୍ତ ଅନୁଦାନ ପାଉଥିବା ମନ୍ତ୍ରୀ  ଶ୍ରୀ ସିହ୍ନା କହିଛନ୍ତି। ଏହି କ୍ରମରେ ସମସ୍ତ ବାକିଥିବା ପ୍ରକଳ୍ପଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତା ପାଇଁ ଜମି ଅଧିଗ୍ରହଣ କ୍ଷେତ୍ରରେ ରାଜ୍ୟସରକାର ସହଯୋଗ କରିବାକୁ ସେ ଆହ୍ଵାନ କରିଥିଲେ।

ଅନ୍ୟପଟେ ଭୁବନେଶ୍ୱର ରେଳଷ୍ଟେସନ୍‌ଠାରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ନୃସିଂହ ଚରଣ ସାହୁ, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଥିଲେ।

ଏହି ସାପ୍ତାହିକ ଟ୍ରେନ୍‌ ୨୦୮୧୭/୨୮୧୮ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ଅନାରା, ଏନ୍‌ଏସ୍‌ସିବି ଗୋମୋହ, କୋଦର୍ମା, ଗୟା, ଦୀନଦୟାଲ ଉପାଧ୍ୟାୟ (ମୁଗଲସରାଇ) ଏବଂ କାନ୍‌ପୁର ସେଣ୍ଟ୍ରାଲ ଷ୍ଟେସନ୍‌ମାନଙ୍କରେ ରହିବ। ପୂର୍ବ ତଟ ରେଳପଥର ଅତିରିକ୍ତ ମୁଖ୍ୟ ପ୍ରବନ୍ଧକ ରାଜୀବ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ପୂର୍ବ ତଟ ରେଳପଥ, ଖୋର୍ଧା ରୋଡ୍‌ ଡିଭିଜନ୍‌ର ଏଡିଆରଏମ୍‌ ଏସ୍‌ପି ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଖୋର୍ଧା ରୋଡ୍‌ ଡିଭିଜନ୍‌ ଏବଂ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର