ରାଜଧାନୀ ଏକ୍ସପ୍ରେସରେ ଝଲସିବ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ

ଭୁବନେଶ୍ୱର :  ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାରପ୍ରସାର ଲାଗି ନାଲକୋ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଯୋଜନା ଅନୁସାରେ  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟକୁ ଦର୍ଶାଉଥିବା ବ୍ରାଣ୍ଡିଂ କରାଯିବ । ଏଥିଲାଗି ନାଲକୋ ଓ ପୂର୍ବତନ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନାଲକୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ପୂର୍ବ ତଟ ରେଳବାଇର ବରିଷ୍ଠ ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  ଏଥିରେ ନାଲକୋ ପକ୍ଷରୁ ଉପମହାପ୍ରବନ୍ଧକ (ନିଗମସଂଚାର ଓ ଜନସମ୍ପର୍କ) ଏଲ୍. ଦାସ ଏବଂ ସିନିୟର୍ ଡିସିଏମ୍, ଖୋର୍ଦ୍ଧା, ପୂର୍ବ ତଟ ରେଳବାଇ ପକ୍ଷରୁ ପି.କେ. ସାମଲଙ୍କ ସ୍ୱାକ୍ଷର କରିଥିଲେ ।

ଜାତୀୟ ସ୍ତରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାରପ୍ରସାର ପାଇଁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ପୁରସ୍କୃତ ଅଭିନେତ୍ରୀ ନନ୍ଦିତା ଦାସ, ସୁପ୍ରସିଦ୍ଧ ଗାୟକ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଶ୍ୱସ୍ତରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡଃ ଇଲିଆନା ସିତାରିସ୍ତି ଏବଂ ପ୍ରସିଦ୍ଧ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ ପ୍ରମୁଖ ଭୂୟସୀ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ନୃତ୍ୟଶୈଳୀର ପ୍ରସାର ପାଇଁ ନାଲକୋ ଏବଂ ଭାରତୀୟ ରେଳବାଇର ଏହି  ପ୍ରୟାସ ଏକ ଐତିହାସିକ ପଦକ୍ଷେପ । ଏହା ଦ୍ୱାରା କେବଳ ଯେ ଓଡ଼ିଶାର ପର୍ଯ୍ୟଟନରେ ଅଭିବୃଦ୍ଧି ଘଟିବ ତାହା ନୁହେଁ ବରଂ ଏହା କର୍ମନିଯୁକ୍ତି ସୃଷ୍ଟିକୁ ମଧ୍ୟ ତ୍ୱରାନ୍ୱିତ କରିବ ।

 

ସମ୍ବନ୍ଧିତ ଖବର