ଭୁବନେଶ୍ୱର: ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ରାଜୀବ ଆବାସ ଯୋଜନା (ରେ’) ବଳବତ୍ତର ରହିଛି। ବସ୍ତିରେ ବାସ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଆବାସ ଯୋଗାଇ ଦିଆଯାଉଛି। ରେ’ ପାଇଁ ଧାର୍ଯ୍ୟ ହୋଇଥିବା ନିର୍ଦ୍ଦେଶାବଳୀ ଆଧାରରେ ଯୋଗ୍ୟ ବିବେଚିତ ହେଉ ନଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ବିଏମ୍‌ସି ଏକ ନୂଆ ବ୍ୟବସ୍ଥା କରିଛି। ତାହା ହେଉଛି ‘ନନ୍‌ ରେ’। କିନ୍ତୁ ଏଥିପାଇଁ କୌଣସି ନିର୍ଦ୍ଦେଶାବଳୀ ନାହିଁ। କେଉଁମାନେ ଯୋଗ୍ୟ ହେବେ ତାଙ୍କୁ ଚିହ୍ନଟ କରିବାକୁ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ। ଏଣୁ ଅଧିକାରୀମାନେ ଯାହାକୁ ଯୋଗ୍ୟ ଭାବୁଛନ୍ତି ସେ ଯୋଗ୍ୟ, ଯାହାକୁ ଭାବୁନାହାନ୍ତି ସେ ଅଯୋଗ୍ୟ ଘୋଷିତ ହେଉଛି। ଫଳରେ ଏଥିରେ ଏକ ବଡ଼ କେଳେଙ୍କାରି ଚାଲିଥିବା ଅଭିଯୋଗ ହେଉଛି। କେତେବେଳେ ବିଧାୟକ ନିଜ ଭୋଟ୍‌ ବ୍ୟାଙ୍କ୍‌ ସୁରକ୍ଷିତ କରିବାକୁ ନିଜ ଲୋକଙ୍କୁ ଥଇଥାନ କରୁଛନ୍ତି ତ କେତେବେଳେ ଅଫିସର ନିଜ ଲୋକଙ୍କୁ ତାଲିକାରେ ସାମିଲ କରି ମନୋବାଞ୍ଛା ପୂର୍ଣ୍ଣ କରୁଛନ୍ତି। ଲୋକେ ଆଗକୁ ଥଇଥାନ ହେବାକୁ ପ୍ରତିଶ୍ରୁତି ପାଇଥିବାରୁ ମୁହଁ ଖୋଲୁ ନାହାନ୍ତି। ନେତା ନିଜ ଭୋଟ୍‌ ବ୍ୟାଙ୍କ୍‌ ସୁଦୃଢ଼ କରୁଥିବାରୁ ନିରବ ରହିଛନ୍ତି।

Advertisment

ଅନେକ ଯୋଗ୍ୟ ଲୋକ ଆବାସ ଯୋଜନାରୁ ବାଦ୍‌ ପଡ଼ି କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ଆବାସ ଯୋଜନାକୁ ନେଇ ଶହ ଶହ ଅଭିଯୋଗ ବିଭିନ୍ନ କୋର୍ଟରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୧୫୪ଟି ଅଭିଯୋଗର ଉତ୍ତର ରଖିବାକୁ ବିଏମ୍‌ସିକୁ ନୋଟିସ୍‌ ଆସିଛି। କୋର୍ଟ ନୋଟିସ୍‌ ପରେ ବିଏମ୍‌ସି ସେମାନଙ୍କୁ ଘର ଦେଇଦେବାକୁ ଯୋଜନା‌ କରିଛି। କାରଣ ଅଧିକ ଘଣ୍ଟା ଚକଟା ହେଲେ ସତ ପଦାରେ ପଡ଼ିଯିବ ଏବଂ ଅଧିକାରୀ ଓ ନେତାମାନେ କରିଥିବା ଯୋଜନା ଫସର ଫାଟିବା ଆଶଙ୍କା ରହିଛି। ଅନ୍ୟପଟେ ବର୍ଷ ବର୍ଷ ଧରି ସର୍ଭେ ହୋଇଥିଲେ ମଧ୍ୟ ନନ୍‌ ରେ’ ଅଧୀନରେ ଏ ଯାବତ୍‌ ଜଣେ ହେଲେ କାହାକୁ ଆବାସ ଯୋଗାଇ ଦିଆଯାଇ ନାହିଁ।

ନନ୍‌ ରେ’ କେଳେଙ୍କାରି
ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ନାହିଁ, ସର୍ଭେ ଚାଲିଛି
ଥଇଥାନ ହେଉଛନ୍ତି ନେତା, ଅଫିସରଙ୍କ‌ ଲୋକ
ଉଭୟ ବିଡିଏ, ବିଏମ୍‌ସି ସାମିଲ

ଏହାକୁ ବଳି ପଡ଼ିଛି ଦୁଇ ଦୁଇ ଥର ସର୍ଭେ। ରେ’ ଓ ନନ୍‌ ରେ’ ଉଭୟରେ ଏକାଧିକ ଥର ସର୍ଭେ ହେଉଛି। କେତେବେଳେ ରେ’ରେ ସାମିଲ୍‌ ହୋଇଥିବା ହିତାଧିକାରୀ କଟି ଯାଉଥିବା ବେଳେ ନନ୍‌ ରେ’ରେ ସାମିଲ ହୋଇଥିବା ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ୁଛି। ‘ଯାଞ୍ଚ ବେଳେ ହିତାଧିକାରୀ ଅନୁପସ୍ଥିତ ଥିବା’ ଦର୍ଶାଇ ତାଲିକାରୁ ସେମାନଙ୍କର ନାମ କାଟି ଦିଆଯାଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ହାଇକୋର୍ଟ, ମାନବାଧିକାର କମିସନ, ଭିନ୍ନକ୍ଷମ କମିସନଙ୍କ କୋର୍ଟରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ରାଜୀବ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ବାସଗୃହ ଯୋଗାଇବା ଅହେତୁକ ବିଳମ୍ବ ହୋଇଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଅଧିକାରୀମାନେ ଏବେ ଘର ଆବଣ୍ଟନ ପାଇଁ ଲାଗିପଡ଼ିଛନ୍ତି। ତଥାପି ମହିଷାଖାଲ ବସ୍ତି, ଶାନ୍ତିପଲ୍ଲୀ ଓ ମଣ୍ଡପବସ୍ତିରେ ବିବାଦ ତୁଟୁନାହିଁ। ଦୁଇ ଦୁଇ ଥର ସର୍ଭେ କରି ରେ’ ହିତାଧିକାରୀଙ୍କୁ କାଟି ଦେଇଥିବାରୁ ଅସନ୍ତୋଷ ବଢ଼ିଛି। ସେହିଭଳି ନନ୍‌ ରେ’ ତାଲିକା ମଧ୍ୟ ଲମ୍ବା ହେବାରେ ଲାଗିଛି। ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ୧୨୭ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ ୭ର ସରସ୍ବତୀ ବସ୍ତିରେ ୮୩ ଓ ଶ୍ରୀକୃଷ୍ଣ ବସ୍ତିରେ ୨୧, ଶାନ୍ତିପଲ୍ଲୀରେ ୬୫ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ କାହାକୁ ଘର ମିଳିନାହିଁ। କେବଳ ପ୍ରତିଶ୍ରୁତି ମିଳିଛି ଯେ ରେ’ ହିତାଧିକାରୀଙ୍କୁ ମିଳିସାରିବା ପରେ ନନ୍‌ ରେ’ଙ୍କ କଥା ବୁଝାଯିବ।

ଅନ୍ୟପଟେ ଅଭିଯୋଗ ମଧ୍ୟ ବଢ଼ି ବଢ଼ି ଚାଲିଛି। ୨୦୨୨ ମସିହାରେ ନବୀନ ନଗର ବସ୍ତି ଉଚ୍ଛେଦ କରାଯିବା ସହ ୪୩ ଜଣଙ୍କୁ ରେ’ରେ ସାମିଲ କରାଗଲା। ନନ୍‌ ରେ’ ସର୍ଭେ ବି ଗୁପ୍ତ ଭାବରେ ଚାଲିଲା। କିନ୍ତୁ ଜଣେ ଦିବ୍ୟାଙ୍ଗ(ଶତପ୍ରତିଶତ ଦୃଷ୍ଟିହୀନ) ବର୍ଷାରାଣୀ ପ୍ରଧାନଙ୍କୁ ଉଭୟ ତାଲିକାରୁ ବାଦ୍‌ ଦିଆଗଲା। ଏ ନେଇ ସେ ଦିବ୍ୟାଙ୍ଗ କମିସନଙ୍କ ଦ୍ବାରସ୍ଥ ହେବା ପରେ ତାଙ୍କୁ ଘର ଦେବା ପାଇଁ ବିଏମ୍‌ସିକୁ ଆଦେଶ ହୋଇଛି। ଏଭଳି ଗଦା ଗଦା ଅଭିଯୋଗ ରହିଛି। ବିଏମ୍‌ସି କିନ୍ତୁ ନନ୍‌ ରେ’ ନାମକ କଳିମଞ୍ଜି ପୋତି ବସି ଯାଇଛି। ବିଡିଏ ବି ଏଥିରେ ସାମିଲ୍‌ ଅଛି। ଶାନ୍ତିପଲ୍ଲୀ ବସ୍ତିରେ ସବୁଠାରୁ ଅଧିକ ଅଭିଯୋଗ ରହିଛି। ରେ’ରେ ସାମିଲ୍‌ ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସର୍ଭେରେ କାଟି ଦିଆଯାଇଥିବା ବେଳେ କେତେକ ଅଯୋଗ୍ୟଙ୍କୁ ନନ୍‌ ରେ’ରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ଏସବୁ କାରବାର ଏଠାରେ ବିଡିଏ କରିଛି। ବିଡିଏ ସେକ୍ରେଟାରି କବୀନ୍ଦ୍ର ସାହୁ କହିଛନ୍ତି, ‘‘ନନ୍‌ ରେ’ ପାଇଁ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ନାହିଁ। ସରକାରଙ୍କ ନିର୍ଦ୍ଦେଶ ଆଧାରରେ ଆମେ ସର୍ଭେ କରି ତାଲିକା ପ୍ରସ୍ତୁତ କରୁଛୁ। ଶାନ୍ତିପଲ୍ଲୀରେ ଆମେ ଦ୍ବିତୀୟବାର ସର୍ଭେ କରି ଅଯୋଗ୍ୟଙ୍କୁ ତାଲିକାରୁ ବାଦ୍‌ କରିଛୁ। ଯଦି ଅଧିକ ସୂଚନା ଦରକାର, ତେବେ ସୂଚନା ଅଧିକାର ଆଇନ ବଳରେ ମାଗନ୍ତୁ।’’