ଏପ୍ରିଲ ୧ ସୁଦ୍ଧା ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି

ଅଭିଜ୍ଞ ପ୍ରଫେସରଙ୍କ ତାଲିକା ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବ‌ନେଶ୍ବର : ଏପ୍ରିଲ ପହିଲା ସୁଦ୍ଧା ନିଯୁକ୍ତି ପାଇବେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ଯୋଗ୍ୟତା ଥିବା ଜଣେ ପ୍ରଫେସରଙ୍କ ନାମ ଆସନ୍ତା ୩୧ ତାରିଖ ଭିତରେ ବିଭାଗ ନିକଟକୁ ପଠାଇବାକୁ ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ଆଜି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ସେକ୍ସନ ୬(୧୯) ଅନୁଯାୟୀ ଗୋଟିଏ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଚୟନ ହେବେ। ଯେଉଁ ପ୍ରଫେସର ପ୍ରଥମ କୁଳପତି ଭାବେ ନିଯୁକ୍ତ ପାଇବେ ତାଙ୍କର ପ୍ରଶାସନିକ ଦକ୍ଷତା‌ ଥିବା ଆବଶ୍ୟକ। ପ୍ରଥମ କୁଳପତି ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ରହିବା ବି ଦରକାର। ସମ୍ପୃକ୍ତ ପ୍ରଫେସର ଗୋଟିଏ ବର୍ଷ ପାଇଁ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେବେ। ୨୦୨୦-୨୧ ଶିକ୍ଷାବର୍ଷରୁ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ଏପ୍ରିଲ ପହିଲା ସୁଦ୍ଧା କୁଳପତି କାର୍ଯ୍ୟରେ ଯୋଗଦେବେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ କୁଳପତିମାନେ ଯେଉଁଭଳି ଦରମା ପାଉଛନ୍ତି ଏମାନଙ୍କୁ ବି ସମାନ ଭାବେ ଦରମା ଦିଆଯିବ। ରାଜ୍ୟ ବିଶ୍ବବିଦ୍ୟାଳୟର କୁଳସଚିବମାନେ ଜାନୁଆରି ୩୧ ସୁଦ୍ଧା କୁଳପତି ପଦ ପାଇଁ ଯୋଗ୍ୟ ପ୍ରଫେସରଙ୍କ ନାମ ଓ ସମ୍ପୂର୍ଣ୍ଣ ତଥ୍ୟ ଉଚ୍ଚଶିକ୍ଷା ବିଭାଗକୁ ପଠାଇବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର