ରାଜେନ୍ଦ୍ର କଲେଜ ଇଗ୍‌ନୋ ଷ୍ଟଡି ସେଣ୍ଟରରେ ଅଚଳାବସ୍ଥା‌ : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର!

ବଡ଼ବଡ଼ିଆଙ୍କ କଳିରେ ବଳି ପଡ଼ୁଛନ୍ତି ପିଲା, ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି

ଭୁବ‌ନେଶ୍ବର : ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର କଲେଜରେ ପ୍ରତିଷ୍ଠା ହୋଇଥିବା ଇଗ୍‌ନୋ ଷ୍ଟଡି ସେଣ୍ଟରରେ ଅଚଳାବସ୍ଥା ଦେଖାଯାଇଛି। ମାସେ କି ଦୁଇ ମାସ ନୁହେଁ, ୨୦୧୯ରୁ ଏଠାରେ କର୍ମଚାରୀ ସଙ୍କଟ ଲାଗିରହିଛି। ଏଥିସହ ରାଜେନ୍ଦ୍ର କଲେଜ କର୍ତୃପକ୍ଷ ଓ କୋରାପୁଟସ୍ଥିତ ଇଗ୍‌ନୋ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦେଶକଙ୍କ ମଧ୍ୟରେ ବିବାଦ ସବୁ ସୀମା ଟପିଲାଣି। ଚିଠି ଲେଖି ପରସ୍ପର ପ୍ରତି ଆରୋପ ପ୍ରତ୍ୟା‌ରୋପ କରୁଛନ୍ତି। ଏଭଳି ସ୍ଥିତିରେ ଏହି କେନ୍ଦ୍ରରେ ପଢ଼ୁଥିବା ରାଜ୍ୟର ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା‌ ପ୍ରକାଶ ପାଇଛି। ଆଗକୁ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ବି ଚିନ୍ତାରେ ପଡ଼ିଲେଣି। ଆସାଇନ୍‌ମେଣ୍ଟ ଦାଖଲ କରିବାର ସମୟ ହୋଇଯାଇଥିଲେ ମଧ୍ୟ ଗ୍ରହଣ କରିବାକୁ କେହି ନାହିଁ। ଆସାଇନ୍‌ମେଣ୍ଟ କେମିତି ଦାଖଲ କରିବେ? ‌କେଉଁଠି ଦେବେ? ଆଗକୁ ହେବାକୁ ଥିବା ‌ପରୀକ୍ଷା ଦେଇପାରିବେ କି ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି।

ସବୁଠାରୁ ବଡ଼ କଥା ହେଉଛି ଯେ ଆଉ ମାତ୍ର କିଛି ଦିନ ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା। ଓଡ଼ିଶାର ଅନ୍ୟାନ୍ୟ ଷ୍ଟଡି ସେଣ୍ଟରରେ ପଢ଼ୁଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏଠାରେ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ ସେନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। କୋରାପୁଟସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଓ ରା‌ଜେନ୍ଦ୍ର କଲେଜ କର୍ତୃପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ମଧ୍ୟ କେହି ହସ୍ତକ୍ଷେପ କରୁନାହାନ୍ତି। କେବଳ ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି। ଫଳସ୍ବରୂପ ଛାତ୍ରଛାତ୍ରୀ ବଳି ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି। ଇଗ୍‌ନୋ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ବକେୟା ପାଉଣା ଦିଆଯାଉ ନ ଥିବାରୁ କେହି ଦାୟିତ୍ବ ନେବାକୁ ଉଚ୍ଛା ପ୍ରକାଶ କରୁ ନ ଥିବା ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ କହୁଥିବା ବେଳେ ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦେଶକ ସିଧାସଳଖ ରାଜେନ୍ଦ୍ର କଲେଜ ଅଧ୍ୟକ୍ଷଙ୍କୁ ଦୋଷ ଦେଉଛନ୍ତି। ଉଭୟ ଅଧିକାରୀଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିଦେବା ଭଳି ମନେ ହେଉଛି।

କୋରାପୁଟସ୍ଥିତ ଇଗ୍‌ନୋ ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦେଶକ ବି. ରାଜଗୋପାଳ ଗତ ସପ୍ତାହରେ ‘ସମ୍ବାଦ’କୁ କହିଥିଲେ ଯେ ରାଜେନ୍ଦ୍ର କଲେଜରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାରେ ଆଞ୍ଚଳିକ କେନ୍ଦ୍ରର କୌଣସି ଦୋଷ ନାହିଁ। ୨୦୧୯ ମେ’ ମାସରୁ ବିବାଦର ସୂତ୍ରପାତ ହୋଇଥିଲା। ଦୁଇଟି ସିଫ୍ଟରେ ପ୍ରାକ୍ଟିକାଲ କ୍ଲାସ କରିବାକୁ ରାଜେନ୍ଦ୍ର କଲେଜକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଯାଞ୍ଚ ସମୟରେ ଦେଖିବାକୁ ମିଳିଥିଲା ଯେ ଇଗ୍‌ନୋ କେନ୍ଦ୍ରକୁ ପୂର୍ବାହ୍ନ ୧୦ଟାରେ ଖୋଲାଯାଇ ଶୀଘ୍ର ବନ୍ଦ କରି ଦିଆଯାଉଛି। ଏହି କଥାକୁ କେନ୍ଦ୍ର କରି ଗତ ଡିସେମ୍ବର ମାସରେ ଏହି ଷ୍ଟଡି ସେଣ୍ଟରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ହଠାତ୍‌ ଇସ୍ତଫା ଦେଇଥିଲେ। ବକେୟା ଅର୍ଥ ଥିବା ନେଇ ଯେଉଁ ଅଭିଯୋଗ କରାଯାଉଛି ସେନେଇ ରାଜଗୋପାଳ କହିଥିଲେ ଯେ ଷ୍ଟଡି ସେଣ୍ଟରର ସଂଯୋଜକ ବିଲ୍‌ ଦାଖଲ କରିବାରେ ବିଳମ୍ବ କରିଥିଲେ। ଯେ‌ତେ ବି ବିଲ୍‌ ଦାଖଲ ହୋଇଛି ସେହି ଟଙ୍କା ଦେବାକୁ ପ୍ରସ୍ତୁତ ଅଛୁ। ଏଥର ସଂଯୋଜକ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ ଆଉ କେହି ଯୋଗଦେଇ ନାହାନ୍ତି। ଫଳରେ ଟଙ୍କା ଦିଆଯାଇପାରୁ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଏବେ ରାଜେନ୍ଦ୍ର କଲେଜରେ ଚାଲିଥିବା ଇଗ୍‌ନୋ ଷ୍ଟଡି ସେଣ୍ଟରରେ ଏବେ କେବଳ ଜଣେ ଦୁଇ ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସେମାନେ କେବଳ ରବିବାର ଗେଟ୍‌ ପାଖରେ ଛିଡ଼ା ହୋଇ ରହୁଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ଆସାଇନ୍‌ମେଣ୍ଟ ଦାଖଲ କରିବାକୁ ଆସିଲେ କେହି ଅଧିକାରୀ ନାହାନ୍ତି ବୋଲି କହୁଛନ୍ତି। ତିନି ମାସ ହେଲା ଏମିତି ସ୍ଥିତି ହୋଇଥିଲେ ମଧ୍ୟ କେହି ଗୁରୁତ୍ବ ନ ଦେବା ଆଶ୍ଚର୍ଯ୍ୟଚକିତ କରିଛି। ସମସ୍ତ କର୍ମଚାରୀ ଏକାଥରେ ଛୁଟିରେ ଯିବା ଏବଂ ପରବର୍ତୀ ସମୟରେ ପଦବୀ ପୂରଣ ନ କରିବା ପଛର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଇଗ୍‌ନୋ କର୍ତୃପକ୍ଷ ତୁରନ୍ତ ଷ୍ଟଡି ସେଣ୍ଟରକୁ ଚାଲୁ କରନ୍ତୁ। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ହେଉଥିବାରୁ ରାଜ୍ୟ ସରକାର ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର