ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବୁଲି ଉଦ୍‌ଘାଟିତ : ବିଶ୍ୱସ୍ତରୀୟ ହେଉ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ – ରାଜ୍ୟପାଳ

ବିଶ୍ୱସ୍ତରର ପରିକଳ୍ପନାର ଏନ୍ତୁଡ଼ିଶାଳ: ଧର୍ମେନ୍ଦ୍ର ପ୍ରଧାନ
ଗୌରବମୟ ଅଧ୍ୟାୟ ସୃଷ୍ଟି ହୋଇଛି: ଅରୁଣ ସାହୁ

ବଲାଙ୍ଗୀର : ସମାଜ ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷା ହିଁ ସମାଜକୁ ବିକଶିତ କରିଥାଏ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଗକୁ ବିଶ୍ୱସ୍ତରୀୟ ହେଉ ଏବଂ ଏଠାକାର ଛାତ୍ରଛାତ୍ରୀ ଜଗତର ହିତ ପାଇଁ କାର୍ଯ୍ୟ କରନ୍ତୁ ବୋଲି ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ପଶ୍ଚିମ ଓଡ଼ିଶାର ସର୍ବପୁରାତନ ବଲାଙ୍ଗୀର ରାଜେନ୍ଦ୍ର କଲେଜର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଦିନ ଧରି ଆୟୋଜିତ ହେବାକୁ ଥିବା ପ୍ଲାଟିନମ ଜୁବୁଲି ସମାରୋହକୁ ମୁଖ୍ୟଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀର ଲାଲ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ବାସ୍ନାଯୁକ୍ତ ଫୁଲ ଭଳି ଶିକ୍ଷା ସମାଜକୁ ମହକାଇ ଦିଏ। କଢ଼ିଟିଏ ସୁଯୋଗ ପାଇଲେ ଫୁଲ ହୋଇ ଫୁଟିଥାଏ। ସେହି ଫୁଲ ବାସ୍ନାଯୁକ୍ତ ହେଲେ ତାହାର ଆଦର ବଢ଼ିଥାଏ। ଠିକ୍‌ ସେମିତି ଶିକ୍ଷା ଗୁଣାତ୍ମକ ହେଲେ ସମାଜରେ ଗୁଣାତ୍ମକ ସଫଳତା ଆଣିଥାଏ। ୭୫ ବର୍ଷ ଭିତରେ ଏହି ମଣିଷ ତିଆରି କାରଖାନା ଅନେକ ସଫଳ ମଣିଷ ଗଢ଼ିଛି। ରାଜ୍ୟ ଓ ଦେଶର ଉନ୍ନତି ପାଇଁ ଅନେକ ବରପୁତ୍ର ଗଢ଼ିଛି। ତେଣୁ ଆଗାମୀ ପିଢ଼ି ପାଇଁ ମଧ୍ୟ ଏ ଶିକ୍ଷାନୁଷ୍ଠାନ ଗୁଣାତ୍ମକ ମଣିଷ ତିଆରି କାରଖାନା ହୋଇ ରହିବ। ଏଠିକାର ସମସ୍ତ ଛାତ୍ରଛାତ୍ରୀ ସୁଗନ୍ଧଯୁକ୍ତ ଫୁଲ ହୋଇ ଫୁଟିବେ। ସେମାନଙ୍କ ସଫଳତାର ମହକ ଚାରିଆଡ଼େ ଚହଟିବ। କଲେଜ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ।

ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ରାଜେନ୍ଦ୍ର କଲେଜ ସଫଳତାର ସହ ୭୫ ବର୍ଷରେ ଅନେକ ମଣିଷ ଗଢ଼ିଛି। ୧୯୪୪ ମସିହାରେ ଯେଉଁ ସମୟରେ ଇଂରେଜମାନଙ୍କ ସହ ଲଢ଼େଇ ଚାଲିଥିଲା, ସେହି ସମୟରୁ ହିଁ ରାଜେନ୍ଦ୍ର କଲେଜ ଗୁଣାତ୍ମକ ଶିକ୍ଷାଦାନ କରିଆସୁଛି। ବିଶ୍ୱସ୍ତରର ପରିକଳ୍ପନା ରଖୁଥିବା ସ୍ଥାନର ନାଁ ବଲାଙ୍ଗୀର। ଆଉ ଏହି ପରିକଳ୍ପନାର ଏନ୍ତୁଡ଼ିଶାଳ ହେଉଛି ରାଜେନ୍ଦ୍ର କଲେଜ। ଆଗାମୀ ଦିନରେ କଲେଜର ଆଲୁମ୍‌ନି ସଂଘ କଲେଜର ବିକାଶର ଗୁରୁ ଦାୟିତ୍ୱ ନେଉ। ଯେ ପର୍ଯ୍ୟନ୍ତ କଲେଜ ଆଗକୁ ଯିବ ନାହିଁ, ବଲାଙ୍ଗୀର ଆଗକୁ ବଢ଼ିବ ନାହିଁ। ବଲାଙ୍ଗୀର ଆଗକୁ ନ ବଢ଼ିଲେ ଓଡ଼ିଶାର ବିକାଶ ଅସମ୍ଭବ। ଏଣୁ ବଲାଙ୍ଗୀରର ବିକାଶ ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି କହିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ବଲାଙ୍ଗୀର ଜିଲ୍ଲାର କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲାରେ ରହିଛି। ତେଣୁ ଏହି ଅଞ୍ଚଳର ବିକାଶକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଏହି ଅବସରରେ ସେ ଆଲୁମ୍‌ନି ପାଣ୍ଠି ଓ କଲେଜରେ ଅଧ୍ୟାପକ ପଦବ ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ କହିଲେ, ରାଜେନ୍ଦ୍ର କଲେଜ ଐତିହାସିକ ମୁହୂର୍ତ୍ତରେ ପହଞ୍ଚିଛି। ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କଲେଜ ବିଶ୍ୱବଦ୍ୟାଳୟରେ ପରିଣତ ହୋଇଛି। ଏହା ଏକ ବଡ଼ ଉପହାର। ଏଭଳି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତଙ୍କ ଏକତା ନିହାତି ଏକ ବଡ଼କଥା। ଏବେ ଯେଉଁଠି ପାଠ ପଢ଼ି ଉପରକୁ ଉଠିଛୁ ସେହି ଋଣ ଶୁଝିବାର ସମୟ ଆସିଛି। ଉତ୍ସବରୁ ହିଁ ସମସ୍ତଙ୍କ ଏକ ବଡ଼ କର୍ତ୍ତବ୍ୟ ଆରମ୍ଭ ହୋଇଯାଇଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏହି ଅବସରରେ କଲେଜକୁ ପ୍ରତିଷ୍ଠା କରିଥିବା ତାଙ୍କ ଅଜା ଶ୍ୱଶୁର ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ପ୍ରଥମେ ମନେ ପକାଇଥିଲେ। ଏହି କଲେଜ ଅନେକ ସଫଳ ବ୍ୟକ୍ତିତ୍ୱ ସୃଷ୍ଟି କରିଛି ବୋଲି ସେ କହିଥିଲେ। ଏହାସହ ବଲାଙ୍ଗୀରର ବିକାଶରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ।

ପୁରାତନ ଛାତ୍ର ସଂଘର ସଭାପତି ଲଳିତ କୁମାର ନାୟକ ସଭା ସଂଯୋଜନା କରିଥିବା ବେଳେ କଲେଜର ଅଧ୍ୟକ୍ଷ ପ୍ରଫେସର ବିନୟ କୁମାର ଜେନା ସ୍ୱାଗତ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ର ସଂଘ ସଂପାଦକ ଅରବିନ୍ଦ ଦାସ ମଂଚାସୀନ ଥିଲେ। ଏହି ଅବସରରେ ଅତିଥି ଗଣ ପ୍ଲାଟିନମ ଜୁବୁଲି ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ହେଁ, ପାଗ ଖରାପ ଯୋଗୁଁ ତାଙ୍କ ହ୍ୟାଲିକପ୍ଟର ରାୟପୁରରୁ ଆସି ପାରି ନ ଥିଲା ଏବଂ ସେ ବାଧ୍ୟ ହୋଇ ରାୟପୁରରୁ ଦିଲ୍ଲୀ ଫେରି ଯାଇଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଉପରାଷ୍ଟ୍ରପତିଙ୍କ ଭଏସ୍‌ ମେସେଜ୍‌ ପ୍ରସାରଣ କରାଯାଇଥିଲା। ଶେଷରେ ପୁରାତନ ଛାତ୍ର ସଂଘ ସଂପାଦକ ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ସଂଧ୍ୟାରେ ଜୁବୁଲି କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର