ନାଗରିକ ସମାଜ ସହ ଯୋଡ଼ି ହେଲେ ଶିକ୍ଷାନୁଷ୍ଠାନ ଉତ୍କର୍ଷ ହାସଲ କରିବ: ମୁଖ୍ୟ ସଚିବ

‘୩ ପିଢ଼ିର ମଣିଷ ତିଆରି କରିଛି ରାଜେନ୍ଦ୍ର କଲେଜ’, ପ୍ଲାଟିନମ୍‌ ଜୁବିଲି ଲୋଗୋ ଓ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷାୟତନରେ ଉତ୍କର୍ଷ ହାସଲ ପାଇଁ କର୍ତ୍ତୃପକ୍ଷ ନାଗରିକ ସମାଜ ସହ ଯୋଡ଼ି ହେବାର ଆବଶ୍ୟକତା ରହିଛି। ଇଣ୍ଟରନେଟ୍‌ ଯୁଗରେ ତଥ୍ୟ ଓ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ଆଉ କଲେଜ ଉପରେ ନିର୍ଭର କରୁନାହାନ୍ତି। ଏଗୁଡ଼ିକ ମୂଲ୍ୟବୋଧ ଓ ଚରିତ୍ର ଗଠନ ପାଇଁ ମୂଳତଃ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ରବିବାର ସଂଧ୍ୟାରେ ଓୟୁଏଟିସ୍ଥିତ ପଶୁପାଳନ ମହାବିଦ୍ୟାଳୟର ସମ୍ମେଳନ କକ୍ଷରେ ରାଜେନ୍ଦ୍ର କଲେଜ, ଭୁବନେଶ୍ୱର ଚାପ୍ଟର୍‌ର ଅଧ୍ୟକ୍ଷ ଗୋପାଳକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ଲାଟିନମ୍‌ ଜୁବିଲି ଲୋଗୋ ଓ ୱେବ୍‌ସାଇଟ୍‌ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତ୍ରିପାଠୀ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏକ ଉତ୍କର୍ଷ ଶିକ୍ଷା କେନ୍ଦ୍ର ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିର ଅଧ୍ୟକ୍ଷ ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଗତ ୭୫ ବର୍ଷ ଧରି ରାଜେନ୍ଦ୍ର କଲେଜ ୩ ପିଢ଼ିର ମଣିଷ ତିଆରି କରିଥିବା ଦର୍ଶାଇଥିଲେ। ରାଜେନ୍ଦ୍ର କଲେଜ ମହମ୍ମଦ ଫକିରୁଦ୍ଦିନ୍‌ ଓ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଭଳି ଅଧ୍ୟକ୍ଷ ସୃଷ୍ଟି କରି ମହିମାନ୍ବିତ ହୋଇଥିବା ସ୍ମରଣ କରାଇ ଦେଇଥିଲେ। ଏହି ଅବସରରେ ଓୟୁଏଟିର କୁଳପତି ପ୍ରଫେସର୍‌ ପୱନ ଅଗ୍ରୱାଲ ରାଜେନ୍ଦ୍ର କଲେଜକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶିକ୍ଷାକେନ୍ଦ୍ର ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଫକିରୁଦ୍ଦିନ୍‌ଙ୍କୁ ସମ୍ବର୍ଧିତ କରିଥିଲେ। ରାଜେନ୍ଦ୍ର କଲେଜ ଆଲୁମନି ସଂଘର ସଭାପତି ଲଳିତ କୁମାର ନାୟକ ଓ ଅଧ୍ୟକ୍ଷ ଡ. ବିନୟ କୁମାର ଜେନା ଜୁବିଲି ସମାରୋହ ପାଳନ କରିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦକ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅତିଥିମାନଙ୍କୁ କମିଟିର ସଂଯୋଜକ ହରି ନାରାୟଣ ପୂଜାରି, ଛାତ୍ର ସଂସଦର ପୂର୍ବତନ ସଭାପତି ଅନନ୍ତ ଦାସ ଓ ଭୁବନେଶ୍ୱର ଚାପ୍ଟର୍‌ର ଆବାହକ ଉଦିତ ଦେହୁରୀ ସମ୍ବର୍ଧିତ କରିଥିଲେ। ଶେଷରେ ପଶୁପାଳନ କଲେଜର ଡିନ୍‌ ପ୍ରଫେସର୍‌ ଲକ୍ଷ୍ମଣ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯୁବ ବ୍ୟଙ୍ଗ ଚିତ୍ରଶିଳ୍ପୀ ଦେବାଶିଷ ସିଂହ ମୁଖ୍ୟ ଅତିଥିଙ୍କୁ ତାଙ୍କର ଏକ ବ୍ୟଙ୍ଗ ଚିତ୍ର ପ୍ରଦାନ କରିଥିଲେ। ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନିଜ ନିଜ ପରିଚୟ ପ୍ରଦାନ କରିବା ସହ ବିଶ୍ବବିଦ୍ୟାଳୟର ରୂପରେଖ ଓ ଜୁବିଲି ପାଳନ ନେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର