ରାଜେନ୍ଦ୍ର କଲେଜ ଏକ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ; ବର୍ଷ ବର୍ଷ ଧରି ଜ୍ଞାନର ଆଲୋକ ବିତରଣ କରିଆସିଛି : ମୁଖ୍ୟମନ୍ତ୍ରୀ

ପୁରାତନ ଛାତ୍ରଛାତ୍ରୀ ବ୍ୟକ୍ତିଗତ ଉଦ୍ୟମରେ ନିଜ ଶିକ୍ଷାନୁଷ୍ଠାନର ଋଣ ପରିଶୋଧ କରିବା ଉଚିତ : ସୌମ୍ୟରଞ୍ଜନ

ବଲାଙ୍ଗୀର: ରାଜେନ୍ଦ୍ର କଲେଜ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ। ବହୁ ବର୍ଷ ଧରି ରାଜ୍ୟରେ ଜ୍ଞାନର ଆଲୋକ ବିତରଣ କରିଆସିଛି ଏହି କଲେଜ।  ଏହି କଲେଜର ଅଗଣିତ ବିଦ୍ୱାନ ଛାତ୍ରଛାତ୍ରୀ ଦେଶ ଓ ରାଜ୍ୟରେ ଗୌରବଅର୍ଜନ କରିଛନ୍ତି। ରାଜ୍ୟ ସରକାର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତିି। ଏହି ବିଶ୍ୱବିଦ୍ୟାଳୟ ଏ ଅଂଚଳବାସୀଙ୍କ ଶିକ୍ଷାର ବିକାଶରେ ସହାୟକ ହେବ ଏବଂ ଅଂଚଳର ଯୁବକମାନଙ୍କ ଶୈକ୍ଷିକ ଆକାଂକ୍ଷା ପୂରଣ କରିବ ବୋଲି ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଉନ୍ନତିକରଣ ପାଇଁ ୫୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏହି ଅନୁଦାନରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠର ଭିତ୍ତିଭୂମି ବିକାଶ ପାଇଁ ୨୫ କୋଟି ଏବଂ ସାଇନ୍‌ସପାର୍କ ଓ ପ୍ଲାନେଟୋରିୟମ୍ ନିର୍ମାଣ ପାଇଁ ୨୫ କୋଟି ଟଙ୍କା ରହିଛି ।

ପ୍ଳାଟିନମ ଜୁବୁଲି ଅବସରରେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଛନ୍ତି, ଜନ୍ମଦିନ ପାଳନର ପରମ୍ପରା ଆମ ସଂସ୍କାରରେ ଅଛି। ଆମେ ଜେଜେଙ୍କ ଜନ୍ମଦିନ ଏଇଥିପାଇଁ ପାଳନ କରୁ ଯେ ଜେଜେ ବାପାଙ୍କୁ ଜନ୍ମ ଦେଇ ନଥିଲେ, ମୁଁ ବି ଏ ଦୁନିଆକୁ ଆସି ନଥାନ୍ତି ତେଣୁ କୃତଜ୍ଞତା ପ୍ରକାଶ କରିବା ଏହି ଜନ୍ମଦିନ ପାଳନ ଉତ୍ସବର ଅନ୍ୟତମ ଲକ୍ଷ୍ୟ। ସେହିପରି ଶିକ୍ଷାନୁଷ୍ଠାନର ଜନ୍ମଦିନ ପାଳନ କରିବା ପଛରେ କୃତଜ୍ଞତା ପ୍ରକାଶ କରିବାର ଆଭିମୁଖ୍ୟ ରହିବ ଉଚିତ।

ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ ହେଲା ତା’ର ପୁରାତନ ଛାତ୍ରଛାତ୍ରୀ। ବିଦେଶରେ ଥିଲାବେଳେ ମୁଁ ଦେଖିଛି ବହୁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ତା’ର ପୁରାତନ ଛାତ୍ରଛାତ୍ରୀଙ୍କ ଅନୁଦାନରେ ସମୃଦ୍ଧ ହେଇ ଅଛନ୍ତି। ଜୁବୁଲି ପାଳନ ଉତ୍ସବ ଅବସରରେ ସେହି ପୁରାତନ ଛାତ୍ରଛାତ୍ରୀମାନେ ଋଣ ପରିଶୋଧ କରିବା କଥା। ରାଜେନ୍ଦ୍ର କଲେଜର ଦୁଇ ପୁରାତନ ଛାତ୍ର ଆଜି ଏଠି ଆମ ଗହଣରେ ଉପସ୍ଥିତ ଅଛନ୍ତି। ଜଣେ ମୁଖ୍ୟ ଶାସନ ସଚିବ ଓ ଆଉ ଜଣେ ବରିଷ୍ଠ ପୁଲିସ ଅଧିକାରୀ। ମୁଖ୍ୟ ଶାସନ ସଚିବ ଆଜି ଏକରକମର ଋଣ ପରିଶୋଧ କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ରାଜେନ୍ଦ୍ର କଲେଜକୁ ଆସିବା ବାଟ ଏବଂ ପାରିପାର୍ଶିକ ଅବସ୍ଥା ତାଙ୍କରି ଉଦ୍ୟମରେ ଏପରି ସୁନ୍ଦର ହୋଇଛି ଯେ ବେଳେବେଳେ ଭ୍ରମ ହେଉଛି, ମୁଁ ବଲାଙ୍ଗୀରରେ ନାଁ ଆଉ କେଉଁଠି !! ସେହିପରି ଅନ୍ୟ ସଫଳ ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଷେତ୍ରରେ ନିଜ ନିଜ ଉଦ୍ୟମରେ ନିଜ ଶିକ୍ଷାନୁଷ୍ଠାନର ଋଣ ପରିଶୋଧ କରିବା ପାଇଁ ଚେଷ୍ଟା କରିବା ଉଚିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ପାରିବାରିକ ଶୋକ ସତ୍ତ୍ୱେ କଥା ଦେଇ କଥା ରଖିଛନ୍ତି ଓ ଆମ ଗହଣରେ ଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି। ତାଙ୍କର ଏ ପ୍ରକାର ଆଭିମୁଖ୍ୟ ଆମକୁ ଗୋପବନ୍ଧୁଙ୍କର ତ୍ୟାଗ କଥା ସ୍ମରଣ କରାଇ ଦେଉଛି। ଆଜି ଜୁବୁଲିର ଶେଷଦିନ ଓ ବର୍ଷର ମଧ୍ୟ ଶେଷଦିନ। ଆଉ କିଛି ସମୟ ପରେ ଆମେ ୨୦୨୦ରେ ପ୍ରବେଶ କରିବା।୨୦୨୦ କହିଲେ ସମସ୍ତେ କ୍ରିକେଟକୁ ବୁଝନ୍ତି। ଆସନ୍ତୁ ସେଇ କ୍ରିକେଟ ମାନସିକତା ନେଇ ୨୦୨୦ ମସିହାକୁ ଚଉକା ଛ’କା ମାରି ଏକ ସଫଳ ବର୍ଷରେ ପରିଣତ କରିବା।

ରାଜେନ୍ଦ୍ର କଲେଜ ଛାତ୍ର ସଂସଦର ପୂର୍ବତନ ସଂପାଦକ ଓ ଆଲୁମିନି ସଂଘର ସାଧାରଣ ସଂପାଦକ ତଥା ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା)  ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ମିଶନଶକ୍ତି, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ସାଂସଦ ତଥା କଲେଜର ପ୍ରତିଷ୍ଠାତା ରାଜେନ୍ଦ୍ରନାରାୟଣ ସିଂଦେଓଙ୍କ କନିଷ୍ଠପୁତ୍ର ଅନଙ୍ଗଉଦୟ ସିଂଦେଓ, ରାଜେନ୍ଦ୍ର କଲେଜର ପୁରାତନ ଛାତ୍ର ତଥା ଓଡିଶାର ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ, ବିଜୁପଟ୍ଟନାୟକ ପୁଲିସ ଏକାଡେମୀର ମହାନିର୍ଦ୍ଦେଶକ ତଥା ପୁରାତନ ଛାତ୍ର ଅରୁଣ କୁମାର ଷଢଙ୍ଗୀ, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର