ରାଜେନ୍ଦ୍ର କଲେଜ ହେବ ବିଶ୍ବବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ାରେ ୬୧୮ ଓ ବଲାଙ୍ଗୀରରେ ୨୬୨ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗସ୍ତ‌ରେ ଝାରସୁଗୁଡ଼ା ଓ ବଲାଙ୍ଗୀରରେ ଆସି ଉଭୟ ଜିଲ୍ଲାରେ ଯଥାକ୍ରମେ ୬୧୮ ଓ ୨୬୨ କୋଟିର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଝାରସୁଗୁଡ଼ାର ଅମଲିପଡ଼ା ଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେହିପରି ବଲାଙ୍ଗୀର ରାଜେନ୍ଦ୍ର କଲେଜ ପଡ଼ିଆରେ ଅନୁଷ୍ଠିତ ବିଜୁ ଯୁବ ବାହିନୀର ସମାବେଶରେ ଯୋଗ ଦେଇଥିଲେ। ବଲାଙ୍ଗୀର ଠାରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ରାଜେନ୍ଦ୍ର କଲେଜକୁ ଅପଗ୍ରେଡେସନ କରାଯାଇ ବିଶ୍ବବ୍ୟଦ୍ୟାଳୟରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜେନ୍ଦ୍ର କଲେଜକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଅଞ୍ଚଳବାସୀଙ୍କ ବହୁଦିନର ଦାବି ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବାରୁ ତାଙ୍କର ଏହି ଘୋଷଣାକୁ ସବୁ ମହଲରୁ ସ୍ବାଗତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଅନେକ ଦିନ ହେଲା ଦାବି ହୋଇ ଆସୁଥିଲା। ପଶ୍ଚିମ ଓଡ଼ିଶାର ସର୍ବପୁରାତନ କଲେଜ କୁହାଯାଉଥିବା ରାଜେନ୍ଦ୍ର କଲେଜ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି କଲେଜ ୧୯୬୫-୬୬ରେ ଡିଗ୍ରି କଲେଜର ମାନ୍ୟତା ପାଇଲା। ପ୍ରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବେଳେ ୧୯୬୭ ମସିହା ଜାନୁଆରି ୧ ତାରିଖରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହି ପରିଚାଳିତ ହେଲା ଏବଂ ୧୯୭୮-୭୯ରୁ ସ୍ନାତକୋତ୍ତର ବିଭାଗ ଖୋଲିଲା। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଯୁକ୍ତ୨ରୁ ପିଜି ପର୍ଯ୍ୟନ୍ତ ପଢ଼ା ଚାଲିଲା। ଏହି କଲେଜ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର