ପରଲୋକରେ ରାଜେନ୍ଦ୍ର କଲେଜର ପୂର୍ବତନ ହେଡ୍‌କ୍ଲର୍କ ଅଭୟ ମିଶ୍ର

ବଲାଙ୍ଗୀର : ଅଭୟ ମିଶ୍ର। ବଲାଙ୍ଗୀର ଜଣେ ଚିହ୍ନା ଚେହେରା। ରାଜେନ୍ଦ୍ର କଲେଜର ଚାରି ଦଶନ୍ଧିର ଜୟଯାତ୍ରା ଓ ସେଥିରେ ଅଭୟ ମିଶ୍ରଙ୍କ ଚାକିରି ଜୀବନ ଅଭିନ୍ନ। ଜୀବନତମାମ ଛାତ୍ରଛାତ୍ରୀଙ୍କ ଗହଣରେ ରହିଥିଲେ ସେ। ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଅନେକ ସଫଳ ବ୍ୟକ୍ତିତ୍ୱଙ୍କ ସହ ଅଭୟ ମିଶ୍ରଙ୍କ ପରିଚୟ। ସବୁବେଳେ ହସହସ ଚେହେରା। ଅଚିହ୍ନା ଲୋକଙ୍କ ସହିତ ବି ଚିହ୍ନାଚିହ୍ନା କଥା। କର୍ମଚଞ୍ଚଳ ଅଭୟ ମିଶ୍ର ସବୁବେଳେ, ସବୁ ସମୟରେ ନିର୍ଭୟ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜର ଭୟମୁକ୍ତ କର୍ମପ୍ରବଣତା ଯୋଗୁଁ ନିଜର ନାଁକୁ ପ୍ରମାଣିତ କରିଛନ୍ତି। ରାଜେନ୍ଦ୍ର କଲେଜର ଅବସରପ୍ରାପ୍ତ ହେଡ୍‌କ୍ଲର୍କ ଅଭୟ ମିଶ୍ରଙ୍କ ଆଜି ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହେଉଥିଲା। ଶୁକ୍ରବାର ସକାଳୁ ସକାଳୁ ନିତ୍ୟକର୍ମ ସାରି ବସିଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହେବା ସହ ହୃଦ୍‌ଘାତରୁ ତାଙ୍କ ମୃତ୍ୟୁ ହୋଇଥିଲା।

୨୩ ଜୁନ୍‌ ୧୯୪୬ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ୧୯୬୬ ମସିହାରେ ତତ୍କାଳୀନ ରାଜେନ୍ଦ୍ର ମହାବିଦ୍ୟାଳୟରେ କନିଷ୍ଠ କିରାଣି ଭାବରେ ଯୋଗଦେଇଥିଲେ। ପରେ ୧୯୭୧ ମସିହାରେ ବରିଷ୍ଠ କିରାଣି ଭାବେ ପଦୋନ୍ନତି ପାଇଥିଲେ। ୧୯୯୩ ମସିହାରେ ସ୍ବର୍ଗତ ଦଧିବାମନ ମିଶ୍ରଙ୍କ ଅବସର ଗ୍ରହଣ ପରେ ମହାବିଦ୍ୟାଳୟର ହେଡ୍‌କ୍ଲର୍କ ଭାବେ ଦାୟିତ୍ୱ ନେଇଥିଲେ। ସେ ଜଣେ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ। ବଲାଙ୍ଗୀରର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ରାଜେନ୍ଦ୍ର ମହାବିଦ୍ୟାଳୟରେ ପିଜି ଶ୍ରେଣୀ ଖୋଲିବାଠାରୁ ଆରମ୍ଭ କରି ଡିସପେ୍‌ନସାରି, ପୋଷ୍ଟ ଅଫିସ ଓ ବାଡ଼ ନିର୍ମାଣ ଇତ୍ୟାଦିରେ ତାଙ୍କର ସହଯୋଗ ଅବିସ୍ମରଣୀୟ। ସରକାରୀ ଚାକିରି ଜୀବନର କିଛି କାଳ ସେ ବାରିପଦାର ଏମ୍‌ପିସି କଲେଜରେ ମଧ୍ୟ କାମ କରିବାର ସୁଯୋଗ ପାଇଥିଲେ। ଅବସର ପରେ ସ୍ୱର୍ଗତ ମିଶ୍ର ସାଇଟ୍‌ କଲେଜରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ।

ଶେଷ ସମୟରେ ତାଙ୍କର ଦୁଇପୁତ୍ର ଅରୁଣ ମିଶ୍ର, ଅନୁପ ମିଶ୍ର, ଡ. କୃତାର୍ଥ ଚନ୍ଦ୍ର ମିଶ୍ର, ଡ. ଜ୍ୟୋସ୍ନା ମହାପାତ୍ର, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ, ସିଏନ୍‌ସି କଲେଜ ନିର୍ଦେଶକ ଆଶୁତୋଷ ପୁରୋହିତ, ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ବିନୟ ଜେନାଙ୍କ ସମେତ ବନ୍ଧୁବର୍ଗ ସହ ସରୋଜ ସାହୁ, ଅକ୍ଷୟ ସେଠୀ, ସୋମନାଥ ମିଶ୍ର ଓ ପରିବାର ବର୍ଗ ଉପସ୍ଥିତଥିଲେ।

ତାଙ୍କ ମୃତ୍ୟୁରେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଅକ୍ଷୟ ନନ୍ଦ, ଡ. ଅଭିମନ୍ୟୁ ମିଶ୍ର, ଡ. କଳାକାର ସାହୁ, ବିନୟ ଜେନା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଦୁର୍ଗା ପ୍ରସନ୍ନ ମହାପାତ୍ର, ପ୍ରାଧ୍ୟାପକ ରବିଶଙ୍କର ପାଣ୍ଡିଆ, ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ଘରୋଇ ବସ୍‌ ମାଲିକ ସଂଘ, ସାଇଟ୍‌ କଲେଜ ସମୂହ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର