ରାଜେନ୍ଦ୍ର ନାରାୟଣ ଦାସଙ୍କ ‘ସ୍ମୃତିରେ କଟକ’ ଉନ୍ମୋଚିତ : ‘ଭାଷା ବଞ୍ଚାଇବା ପାଇଁ ସୁଖପାଠ୍ୟ ଗଦ୍ୟ ଜରୁରୀ’

କଟକ : ୬୦ବର୍ଷ ତଳର କଟକ ଓ ଆଜିର କଟକ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତନ ଭିତରେ ମଧ୍ୟ କଟକିଆଙ୍କ ମନରେ କଟକ ପ୍ରତି ପ୍ରେମ ଏବେବି ଅତୁଟ ରହିଛି ବୋଲି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ଡ. ଜୟନ୍ତ ମହାପାତ୍ର କହିଛନ୍ତି। ଜର୍ମାନୀରେ ରହୁଥିବା ଇଞ୍ଜିନିୟର ଡ.ରାଜେନ୍ଦ୍ର ନାରାୟଣ ଦାସଙ୍କ ପୁସ୍ତକ ‘ସ୍ମୃତିରେ କଟକ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ.ମହାପାତ୍ର ଏହା କହିଛନ୍ତି।

‘ଆମ ଓଡ଼ିଶା’ ପକ୍ଷରୁ ଶତାବ୍ଦୀ ଭବନରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ‘ସ୍ମୃତିରେ କଟକ’ ପୁସ୍ତକଟି ସମକାଳୀନ ଇତିହାସ ପାଇଁ ଏକ ଉପାଦେୟ ଦସ୍ତାବିଜ୍ ‌େହାଇରହିବ। ଆମ ଇତିହାସକୁ ଠିକ୍‌ରେ ଲେଖାଯାଇ ନ ଥିବାରୁ ଆମ ଉତ୍ତରପିଢ଼ି ଏଥିରୁ ‌ଉପଯୁକ୍ତ ପ୍ରେରଣା ପାଇପାରୁ ନାହାନ୍ତି। ଏହା ଉତ୍ତରପିଢ଼ିଙ୍କୁ ହଜାରେ ବର୍ଷର କଟକ ସଂପର୍କରେ ଅନେକ ସୂଚନା ଦେବା ସହ ଆମ ଭାଷାକୁ ବଞ୍ଚାଇବାରେ ସହାୟକ ହେବ। ଭାଷା ବଞ୍ଚାଇବା ପାଇଁ ଏହିଭଳି ସୁଖପାଠ୍ୟ ଗଦ୍ୟର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ।

ପୁସ୍ତକକୁ ସମୀକ୍ଷା କରି ବିଶିଷ୍ଟ ସମ୍ଭକାର ଜୟନ୍ତ କୁମାର ବିଶ୍ବାଳ କହିଲେ, ରାଜନୀତି, ବ୍ୟବସାୟ ଓ ଶିକ୍ଷାର ପ୍ରାଣକେନ୍ଦ୍ର ଥିବା କଟକ ସଂପର୍କରେ ଏହି ପୁସ୍ତକ ଅନେକ ଅଜଣା କଥାକୁ ‌ଉନ୍ମୋଚିତ କରିଛି। ସ୍ର‌ଷ୍ଟା ଡକ୍ଟର ଦାସ ତାଙ୍କ ପୁସ୍ତକକୁ ଅଧିକ ବ୍ୟକ୍ତିକୈନ୍ଦ୍ରିକ କରିଥିବା ବେଳେ କଟକର ସାମାଜିକ ଇତିହାସ ଉପରେ କମ୍ ଗୁରୁତ୍ବ ଦେଇଥିବା ସମୀକ୍ଷକ ଶ୍ରୀ ବିଶ୍ବାଳ କହିବା ସହ ଏହି ପୁସ୍ତକ ପ୍ରତି କଟକିଆଙ୍କ ପାଇଁ ଉପାଦେୟ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ।

ସ୍ରଷ୍ଟା ଡ. ରାଜେନ୍ଦ୍ର ନାରାୟଣ ଦାସ ନିଜ ଲେଖକୀୟ ଅଭିଭାଷଣରେ କହିଥିଲେ ଯେ, ଭାବପ୍ରବଣତା ଭାରତୀୟଙ୍କ ପୁଞ୍ଜି। କଟକ ପ୍ରତି ଓ କଟକିଆଙ୍କ ଥିବା ଭାବପ୍ରବଣତାରୁ ଏହି ପୁସ୍ତକ ଆତ୍ମପ୍ରକଟ କରିଛି। ପୁସ୍ତକ ଉନ୍ଚୋଚନ କରିବା ଆଳରେ ନିଜ ଅନ୍ତରଙ୍ଗମାନଙ୍କ ମୁହଁ ‌ଦେଖି ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ପାଇଛନ୍ତି।

ଉତ୍ସବରେ ଡ. ଦାସ ପୁସ୍ତକକୁ କବିରାଜ ସ୍ବର୍ଗତ ଅଗଣୀ ତ୍ରିପାଠୀଙ୍କୁ ଉତ୍ସର୍ଗ କରିବା ସହ ତାଙ୍କ ପୁତ୍ର ଲୋକନାଥ ତ୍ରିପାଠୀ ଓ ଅଣନାତି ଅବିନାଶ ତ୍ରିପାଠୀଙ୍କୁ ଉନ୍ମୋଚିତ ପୁସ୍ତକ ଓ ୧୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦାସ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ‘ୱାନ୍ ଲାଇନ୍ ଇନ୍ ଏ ‌େଡ’ ପୁସ୍ତକ ପ୍ରଦାନ କରି ଦିନକୁ ୨/୩ ଧାଡି ଲେଖି ‘ସୌମ୍ୟବାଣୀ’ ଶୀର୍ଷକ ପୁସ୍ତକ ରଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଆମ ଓଡ଼ିଶା ରାଜ୍ୟ ସଂପାଦକ ସ୍ବରାଜ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଆମ ଓଡ଼ିଶା ପ୍ରକାଶନ ସଂପାଦକ ଅସିତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ସଂଗୀତ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଗୀତିକାର ସୁବ୍ରତ ସ୍ବାଇଁଙ୍କ ରଚିତ ଓ ଗୁରୁ ନୃସିଂହ ଚରଣ ସାହୁଙ୍କ ସଂଯୋଜିତ ‘ଘୁମୁରା ପାରା’ ସଂଗୀତକୁ ନବକଳିକାର ଶିଳ୍ପୀମାନେ ପରିବେଷଣ କରିଥିଲେ। ‘ସମ୍ବାଦ’ କଟକ ସଂସ୍କରଣ ଏଜିଏମ୍‌(ନିଉଜ୍) କୃଷ୍ଣପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।

ସମାରୋହରେ ଡ. ବିଜୟାନନ୍ଦ ସିଂହ, ଦାଶ ବେନହୁର,ଭଗବାନ ପ୍ରକାଶ, ଡ.ନଟବର ଶତପଥୀ, ‌କବି ଶୈଳେଜ ରବି, ହେମେନ୍ଦ୍ର ନାରାୟଣ ଦାସ, ଡ.ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ରବୀନ୍ଦ୍ରନାଥ ମହାନ୍ତି, ଡ. ଗୋବିନ୍ଦ ଭୂୟାଁ, ପ୍ରଫେସର ସଂଗୀତା ରଥ, ଡ. ସୁନାମଣି ରାଉତ, ତରୁଣକାନ୍ତ ସାହୁ, ଗୀତିକବି ଦେବେନ୍ଦ୍ର ଦାସ, ଡ. ବାବାଜୀ ପଟ୍ଟନାୟକ, ସଂଜିତ ପଟ୍ଟନାୟକ, ନରେନ ଚନ୍ଦ୍ର ଦାସ, ଡ. ସୁବାସିନୀ ଲେଙ୍କା, ଧିରେନ୍ଦ୍ର ନାଥ ବିଶ୍ବାଳ, ଇଂଜିନିୟର ଗୋପାଳକୃଷ୍ଣ ବେହେରା, ପ୍ରଫେସର କୃପାସିନ୍ଧୁ ପଣ୍ଡା, ଡ. ପ୍ରଣତି ମିଶ୍ର, ପ୍ରଫେସର ପ୍ରସନ୍ନ ରାଥୋଡ, ଇଂ. ଆକାଶ ଭୂୟାଁ, କୈଳାସ ବରାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର