ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ଭିସି, ରେଜିଷ୍ଟ୍ରାର ନିଯୁକ୍ତି କେବେ: ନରସିଂହ

ଭୁବନେଶ୍ବର : ଅନେକ ଦିନର ଦାବି ପରେ ବଲାଙ୍ଗୀରର ରାଜେନ୍ଦ୍ର କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଲା। ଚଳିତ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ସରକାର ଘୋଷଣା କରିଥିଲେ। କାର୍ଯ୍ୟକ୍ଷମ ହେବା ପୂର୍ବରୁ କୁଳପତି ଓ କୁଳସଚିବ ନିଯୁକ୍ତି ହେବା କଥା। କିନ୍ତୁ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବି ଏ ଯାଏ ପୂରଣ ହେଲାନି। ଭିତ୍ତିଭୂମି ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଇନି। ବଲାଙ୍ଗୀରରେ ଉଚ୍ଚଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ଏହା ହେଉଛି ବଡ଼ ପ୍ରମାଣ। ଏହା ବିରୋଧରେ ଆଗାମୀ ଦିନରେ ଜୋରଦାର ସ୍ବର ଉଠିବ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସ୍ଥିତି ନେଇ ସରକାରଙ୍କୁ ଦାୟୀ କରି ଏପରି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା, ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବ ପଦବି ପୂରଣ ପାଇଁ ସରକାର ନିଷ୍ପତ୍ତି ନେଇସାରିଛନ୍ତି। ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଅନ୍ୟପଟେ ଶ୍ରୀ ମିଶ୍ରଙ୍କ ଅଭିଯୋଗକୁ ଖଣ୍ଡନ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ତାଲାବନ୍ଦ ଯୋଗୁଁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବ ନିଯୁକ୍ତି ପ୍ରକ୍ରିୟାରେ କିଛିଟା ବିଳମ୍ବ ହୋଇଥିଲା। ଏବେ ସେ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ଆସନ୍ତା ଏକ ସପ୍ତାହ ଭିତରେ ଏହି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସରକାର କେବେ ବି ପଶ୍ଚିମ ଓଡ଼ିଶା ପ୍ରତି ପାତରଅନ୍ତର ନୀତି କରିନାହାନ୍ତି। ଉତ୍କଳ ଆଇନ ବିଶ୍ବବିଦ୍ୟାଳୟରେ କୌଣସି ନିଯୁକ୍ତି ହୋଇନାହିଁ ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର