ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ରାଜେନ୍ଦ୍ରଭିଆନ୍ସ କର୍ମକର୍ତ୍ତା : ‘ବିଶ୍ବବିଦ୍ୟାଳୟ ରୂପରେଖକୁ ଚୂଡ଼ାନ୍ତ ସ୍ପର୍ଶ’

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଶିକ୍ଷାବର୍ଷରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କାର୍ଯ୍ୟାରମ୍ଭ କରିବ ବୋଲି ସୂଚନା ମିଳିଛି। ତେବେ ବିଧିବଦ୍ଧ ଭାବେ ପୂର୍ଣ୍ଣକାଳୀନ କୁଳପତି ନିଯୁକ୍ତ ହେବା ଯାଏ ସର୍ବାଧିକ ବର୍ଷେ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ବିକଳ୍ପ ହେବାଯାଏ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଦାୟିତ୍ବରେ ରହିବେ। ଉଭୟ ନୂତନ ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବ ଭଳି ପ୍ରମୁଖ ପଦବିଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ରାଜେନ୍ଦ୍ର କଲେଜ ଆଲୁମ୍ନି କର୍ମକର୍ତ୍ତାମାନଙ୍କୁ ବୁଧବାର ମଧ୍ୟାହ୍ନରେ ସୂଚନା ଦେଇଛନ୍ତି।

କଲେଜର ପ୍ଲାଟିନମ୍ ଜୁବୁଲି ବର୍ଷରେ ପୂର୍ବରୁ ପ୍ରଶାସନିକ ସ୍ବୀକୃତି ଲାଭ କରିଥିବା ପ୍ରେକ୍ଷାଳୟ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗରୁ ସାନି ଅଟକଳ ଆସିଲେ ଖୁବ୍‌ ଶିଘ୍ର ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ନେଇ ସେ ସୂଚନା ଦେଇଥିଲେ। ସେହିପରି ଏହି କଲେଜ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ। ଆହୁରି ମଧ୍ୟ ଏହି ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ସାକ୍ଷାତ କରି ନୂଆ ବିଶ୍ବବିଦ୍ୟାଳୟର ରୂପରେଖ ନେଇ ଆଲୋଚନା କରିଥିଲେ। ଗତ ଡିସେମ୍ବର ୩୧ ତାରିଖ ପ୍ଲାଟିନମ୍ ଜୁବୁଲି ସମାରୋହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର କଲେଜ ପାଇଁ ଘୋଷଣା କରିଥିବା ୫୦ କୋଟି ଟଙ୍କାରେ ‌ନିର୍ମିତ ହେବାକୁ ଥିବା କଲେଜ/ବିଶ୍ବବିଦ୍ୟାଳୟର ଭିତ୍ତିଭୂମିର ରୂପରେଖ ଚୂଡ଼ାନ୍ତ କରିବାକୁ ଶ୍ରୀ ତ୍ରିପାଠୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଦ୍ବାରା ଘୋଷିତ ସାଇନ୍ସ ପାର୍କ, ପ୍ରସ୍ତାବିତ ପ୍ରେକ୍ଷାଳୟ ତଥା ଖାଲିଥିବା ଅଧ୍ୟାପକ ପଦବି ପୂରଣ ଆଦି ପ୍ରସଙ୍ଗରେ ରାଜେନ୍ଦ୍ରଭିଆନ୍ସ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଛଡ଼ା, ରାଜେନ୍ଦ୍ର କଲେଜର ଇଗ୍‌ନୋରେ ହୋଇଥିବା ଅଚଳାବସ୍ଥା, ଇଣ୍ଟିଗ୍ରେଟେଡ୍‌ ବି.ଇଡି ଓ ଏମ୍‌.ଇଡି ପାଠ୍ୟକ୍ରମକୁ ନେଇ ହୋଇଥିବା ଦ୍ବନ୍ଦ୍ବ ମଧ୍ୟ ଦୂର କରିବାକୁ ତାଙ୍କୁ ନିବେଦନ କରାଯାଇଥିଲା। ଜିଲ୍ଲାର ଅନ୍ୟତମ ପୁରୁଣା ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବନ୍ଦ ହେବା ନେଇ ହେଉଥିବା ଆଶଙ୍କା ଦୂର କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ଆଲୁମ୍ନି ସଭାପତି ଲଳିତ ନାୟକ, ସାଧାରଣ ସଂପାଦକ ଅରବିନ୍ଦ ଦାସ, ସଂଯୋଜକ ହରିନାରାୟଣ ପୂଜାରୀ ଓ ମିଡିଆ କମିଟି ଆବାହକ ସତ୍ୟସୁନ୍ଦର ଭଞ୍ଜଙ୍କୁ ନେଇ ଗଠିତ ଉକ୍ତ ପ୍ରତିନିଧି ଦଳର ସଦସ୍ୟମାନେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଲେଜର ପୁରାତନ ଛାତ୍ର ସୁଶାନ୍ତ ସିଂହଙ୍କୁ ସାକ୍ଷାତ କରି କଲେଜର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର